ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ
ନୂଆଦିଲ୍ଲୀ : ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ବାତ୍ୟା ‘ମୋନ୍ଥା’ ୨୮ ତାରିଖ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇ ଆନ୍ଧ୍ର ପ୍ରଦେଶର କାକିନାଡ଼ାଠାରେ ଏହା ସ୍ଥଳଭାଗ ଛୁଇଁବ। ବାତ୍ୟା ନେଇ ଆନ୍ଧ୍ର ପ୍ରଦେଶରେ ହାଇ ଆଲର୍ଟ ଜାରି ହୋଇଛି। ଏଠାରେ ପ୍ରବଳ ବର୍ଷା ଓ ପବନର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି। ଓଡ଼ିଶା, ତାମିଲନାଡ଼ୁ ଓ ତେଲେଙ୍ଗାନାରେ ମଧ୍ୟ ଜୋର୍ଦାର ପବନ ସହିତ ବର୍ଷା […]
ନୂଆଦିଲ୍ଲୀ : ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ବାତ୍ୟା ‘ମୋନ୍ଥା’ ୨୮ ତାରିଖ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇ ଆନ୍ଧ୍ର ପ୍ରଦେଶର କାକିନାଡ଼ାଠାରେ ଏହା ସ୍ଥଳଭାଗ ଛୁଇଁବ। ବାତ୍ୟା ନେଇ ଆନ୍ଧ୍ର ପ୍ରଦେଶରେ ହାଇ ଆଲର୍ଟ ଜାରି ହୋଇଛି। ଏଠାରେ ପ୍ରବଳ ବର୍ଷା ଓ ପବନର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି। ଓଡ଼ିଶା, ତାମିଲନାଡ଼ୁ ଓ ତେଲେଙ୍ଗାନାରେ ମଧ୍ୟ ଜୋର୍ଦାର ପବନ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟା ଆନ୍ଧ୍ର ମୁହାଁ ହେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନରେ କଥା ହେବା ସହିତ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି। ବାତ୍ୟା ସମ୍ପର୍କିତ ପ୍ରସ୍ତୁତି ଏବଂ ରିଲିଫ କାର୍ଯ୍ୟ ନେଇ ନିଆଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଇବାକୁ ମନ୍ତ୍ରୀ ନର ଲୋକେଶଙ୍କୁ ନାଇଡୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅମରାବତୀ ଆରଟିଜିଏସ୍ଠାରେ ବାତ୍ୟା ସମୀକ୍ଷା କରିଛନ୍ତି। ଅଧିକାରୀମାନଙ୍କୁ ଆଲର୍ଟ ରହିବାକୁ କହିବା ସହିତ ଘଣ୍ଟାକୁ ଘଣ୍ଟା ବାତ୍ୟାର ଗତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଓ ବନ୍ୟା ଆଶଙ୍କା ଥିବା ଅଞ୍ଚଳରେ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ନଦୀବନ୍ଧ ସୁଦୃଢ଼ କରିବା ଏବଂ ଚାଷୀଙ୍କ ଫସଲ ଯେପରି ନଷ୍ଟ ନହେବ ସେନେଇ ଆଗୁଆ ପଦକ୍ଷେପ ନେବାକୁ କହିଛନ୍ତି।




