ଆଜିଠୁ ଦୁଇ ଦିନିଆ ଭାରତ ବନ୍ଦ
ଭୁବନେଶ୍ୱର: ମାର୍ଚ୍ଚ ୨୮: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ପକ୍ଷରୁ ୧୨ ଦଫା ଦାବି ନେଇ ଆଜି ଓ ଆସନ୍ତାକାଲି ୨ ଦିନ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀ ସିଆଇଟିୟୁ କର୍ମକର୍ତ୍ତା ଏବଂ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରି ରାସ୍ତାରୋକ କରାଯାଇଛି।ଅନ୍ୟପକ୍ଷେ, ଭାରତ ବନ୍ଦକୁ ନେଇ ଗତକାଲି ରାତିରୁ ପେଟ୍ରୋଲ ପମ୍ପରେ ଲୋକଙ୍କ […]
ଭୁବନେଶ୍ୱର: ମାର୍ଚ୍ଚ ୨୮: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ପକ୍ଷରୁ ୧୨ ଦଫା ଦାବି ନେଇ ଆଜି ଓ ଆସନ୍ତାକାଲି ୨ ଦିନ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀ ସିଆଇଟିୟୁ କର୍ମକର୍ତ୍ତା ଏବଂ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରି ରାସ୍ତାରୋକ କରାଯାଇଛି।ଅନ୍ୟପକ୍ଷେ, ଭାରତ ବନ୍ଦକୁ ନେଇ ଗତକାଲି ରାତିରୁ ପେଟ୍ରୋଲ ପମ୍ପରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତି ଯାଏ ଲୋକମାନେ ପେଟ୍ରୋଲ ପମ୍ପରେ ଛିଡ଼ା ହୋଇ ତେଲ ପକାଇଥିଲେ। ଆଜି ସକାଳୁ ମଧ୍ୟ ଲୋକମାନେ ଲାଇନ୍ରେ ଛିଡ଼ା ହୋଇଥିବା ନଜର ଆସିଛି। ଧର୍ମଘଟରେ ପେଟ୍ରୋଲ ପମ୍ପ ସଂଘ ଏଥିରେ ସାମିଲ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ପିକେଟିଂ ଯୋଗୁ ଭଙ୍ଗାରୁଜା ଡରରେ ଭୁବନେଶ୍ୱରରେ ମଧ୍ୟାହ୍ନ ଯାଏ ପେଟ୍ରୋଲ ବନ୍ଦ ରଖିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୁଇ ଦିନ ପାଇଁ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି ।ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଘୁଞ୍ଚାଇଛନ୍ତି । ପରବର୍ତ୍ତୀ ସମୟରେ ନୂତନ ତାରିଖ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି।




