ଜିବିଏସ୍ ପ୍ରଥମ ଆକ୍ରାନ୍ତଙ୍କ ମୃତ୍ୟୁ
ପୁନେ: ମହାରାଷ୍ଟ୍ର ପୁଣେରେ ଚିନ୍ତା ବଢ଼ାଇଲା ଗୁଇଲେନ- ବେରି ସିଣ୍ଡ୍ରୋମ (ଜିବିଏସ୍) । ଜିବିଏସ୍ ରେ ଆକ୍ରାନ୍ତ ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୋଲାପୁରରେ ଜଣେ ବ୍ୟକ୍ତି ଜିବିଏସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ମୃତକ ଜଣକ ସୋଲାପୁରର ଜଣେ ବାସିନ୍ଦା ହୋଇଥିଲାବେଳେ କିଛି ଦିନ ପୂର୍ବରୁ ସେ କୌଣସି କାମ ପାଇଁ ପୁନେ ଯାଇଥିଲେ । ତେଣୁ […]
ପୁନେ: ମହାରାଷ୍ଟ୍ର ପୁଣେରେ ଚିନ୍ତା ବଢ଼ାଇଲା ଗୁଇଲେନ- ବେରି ସିଣ୍ଡ୍ରୋମ (ଜିବିଏସ୍) । ଜିବିଏସ୍ ରେ ଆକ୍ରାନ୍ତ ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୋଲାପୁରରେ ଜଣେ ବ୍ୟକ୍ତି ଜିବିଏସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ମୃତକ ଜଣକ ସୋଲାପୁରର ଜଣେ ବାସିନ୍ଦା ହୋଇଥିଲାବେଳେ କିଛି ଦିନ ପୂର୍ବରୁ ସେ କୌଣସି କାମ ପାଇଁ ପୁନେ ଯାଇଥିଲେ । ତେଣୁ ସେ ପୁନେରୁ ହିଁ ଜିବିଏସ୍ର ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏହା ସହିତ ରବିବାର ଆଉ ନୂଆ ୨୮ ପୀଡ଼ିତ ଚିହ୍ନଟ ହୋଇଛନ୍ତି। ମୋଟ ୧୦୧ ଜଣ ଏଥିରେ ପୀଡ଼ିତ ଥିବା ଚିହ୍ନଟ ହୋଇଛନ୍ତି। ତେବେ ପୁଣେ ସହରରେ ଏହା ସୀମିତ ଥିବା ଏବଂ ଅନ୍ୟ ଅଞ୍ଚଳରେ ଦେଖାଦେଇ ନ ଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ, ରାଜ୍ୟରେ ଜିବିଏସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଥିବାବେଳେ କେବଳ ପୁନେରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଛି । ଏଥି ମଧ୍ୟରେ ୬୮ ପୁରୁଷ ଏବଂ ୩୩ ମହିଳା ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରେ ୧୬ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଥିବା ସହ ସେମାନେ ଭେଣ୍ଟିଲେଟରରେ ରହିଥିବା ଜଣାଯାଇଛି ।
ସେପଟେ, ପୁନେ ମ୍ୟୁନିସିପାଲିଟି କର୍ପୋରେସନ ରାପିଡ ରେସପନ୍ସ ଟିମ୍ ଏବଂ ସ୍ୱାସ୍ଥ୍ୟ ବିଭାଗ ନିରନ୍ତର ସ୍ଥିତି ଉପରେ ନଜର ରଖିଛନ୍ତି । ବିଶେଷକରି, ପୁନେର ସିଂହଦ ରୋଡରେ ସର୍ବାଧିକ ସଂଖ୍ୟକ ରୋଗୀ ମିଳିଥିବାରୁ ସେଠାରେ ସ୍ୱତନ୍ତ୍ର ନଜର ରଖାଯାଇଛି ।
‘ଗୁଲେନ ବୈରୀ ସିଂଡ୍ରୋମ’ ଏକ ଅଟୋଇମ୍ୟୁନ ନ୍ୟୁରୋଲଜିକାଲ୍ ଡିଜ୍ଅର୍ଡର ଅଟେ । ଏହି ରୋଗ ମଣିଷ ଶରୀରର ଇମ୍ୟୁନ ସିଷ୍ଟମରେ ଥିବା ନର୍ଭକୁ ଆଟାକ୍ କରିଥାଏ । ଯାହାଫଳରେ ଆକ୍ରାନ୍ତ ବ୍ୟକ୍ତି ବସିବା ଓ ଉଠିବାରେ ସମସ୍ୟା ଏବଂ ଚଲାବୁଲା କରିବାରେ ସମସ୍ୟା ଅନୁଭବ କରିଥାନ୍ତି । ଏହି ରୋଗରେ ଆକ୍ରାନ୍ତ ହେଲେ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି । ମଣିଷର ରୋଗପ୍ରତିରୋଧକ ଶକ୍ତି ହିଁ ଶରୀରର ବିଭିନ୍ନ ସ୍ନାୟୁକୁ ଆକ୍ରମଣ କରିଥାଏ। ପକ୍ଷାଘାତ ଏହି ରୋଗର ଏକ ଲକ୍ଷଣ ବୋଲି କୁହାଯାଉଛି ।
ଠିକ୍ ସମୟରେ ଚିକିତ୍ସା କରାଗଲେ ରୋଗୀଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିଥାଏ, କିନ୍ତୁ ସେମାନଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ଡାକ୍ତର କହିଛନ୍ତି। ତେବେ ବିଶେଷଜ୍ଞଙ୍କ ମତରେ ଅପରିଷ୍କାର ଓ ଦୂଷିତ ପାଣି ମଧ୍ୟ ଏହି ରୋଗ ବ୍ୟାପିବାର ଏକ ପ୍ରମୁଖ କାରଣ ହୋଇପାରେ। ତେଣୁ ପୁଣେରେ ରହୁଥିବା ଲୋକଙ୍କୁ ଖାଇବା ପିଇବା କ୍ଷେତ୍ରରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ମହାରାଷ୍ଟ୍ରର ପୁଣେରେ କିଛିଦିନ ଧରି ଏଥିରେ ପୀଡ଼ିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି।




