ବିମୁଦ୍ରିକରଣ ନିଷ୍ପତ୍ତି ଠିକ୍ ଥିଲା : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା । ଏସମ୍ପର୍କିତ ସମସ୍ତ ପିଟିସନକୁ ଖାରଜ କରି ନରେନ୍ଦ୍ର ମୋଦୀ ସରକାରଙ୍କ ୨୦୧୬ର ବିମୁଦ୍ରୀକରଣ ପଦକ୍ଷେପକୁ ବୈଧ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସୂଚନା ମୁତାବକ, ୬ ବର୍ଷ ତଳେ ଅର୍ଥାତ୍ ୨୦୧୬ ମସିହା ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ଦେଶରେ ପ୍ରଚଳିତ ୫୦୦ ଓ ୧ହଜାର ଟଙ୍କିଆ ନୋଟ୍ ଅଚଳ କରିବାକୁ ଘୋଷଣା କରିଥିଲେ । ତାହାକୁ ନେଇ ଦେଶରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। […]

Samaya Live Picture
Published On

ନୂଆଦିଲ୍ଲୀ :ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା । ଏସମ୍ପର୍କିତ ସମସ୍ତ ପିଟିସନକୁ ଖାରଜ କରି ନରେନ୍ଦ୍ର ମୋଦୀ ସରକାରଙ୍କ ୨୦୧୬ର ବିମୁଦ୍ରୀକରଣ ପଦକ୍ଷେପକୁ ବୈଧ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ସୂଚନା ମୁତାବକ, ୬ ବର୍ଷ ତଳେ ଅର୍ଥାତ୍ ୨୦୧୬ ମସିହା ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ଦେଶରେ ପ୍ରଚଳିତ ୫୦୦ ଓ ୧ହଜାର ଟଙ୍କିଆ ନୋଟ୍ ଅଚଳ କରିବାକୁ ଘୋଷଣା କରିଥିଲେ । ତାହାକୁ ନେଇ ଦେଶରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ଚାଲେଞ୍ଜ କରି ଦେଶର ସର୍ବୋଚ୍ଚ ଅଦାଲତରେ ଏକାଧିକ ଆବେଦନ ଦାଏର କରାଯାଇଥିଲା। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟସ ଏସ ଏ ନାଜିରଙ୍କ ନେତୃତ୍ୱରେ ଗଠିତ ପାଞ୍ଚଜଣିଆ ସାମ୍ବିଧାନିକ ପୀଠରେ ମାମଲାର ଶୁଣାଣି ହୋଇଥିଲା। ଏହି ପୀଠରେ ଜଷ୍ଟିସ ବି ଆର ଗଭାଇ, ଜଷ୍ଟିସ ବି ଭି ନାଗରତ୍ନ, ଜଷ୍ଟିସ ଏ ଏସ ବୋପାନ୍ନା ଏବଂ ଜଷ୍ଟିସ ଭି ରାମସୁବ୍ରମନିଅନ୍‌‌ ରହିଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଗତ ୫୮ଟି ପିଟିସନର ଏକାଠି ଶୁଣାଣି କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ତେବେ ଆଜି ଜଷ୍ଟିସ ଏସ୍‌.ଏ.ନାଜିରଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ମାମଲରେ ନିଜ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଏହି ନିଷ୍ପତ୍ତିକୁ ବଦଳାଇ ଯାଇପରିବ ନାହିଁ। ବିମୁଦ୍ରୀକରଣ ନିଷ୍ପତ୍ତିରେ କୌଣସି ତ୍ରୁଟି ନାହିଁ। ସମସ୍ତ ରେକର୍ଡ ଯାଞ୍ଚ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ‘୨୦୧୬ରେ ମୋଦୀ ସରକାର ଆଣିଥିବା ବିମୁଦ୍ରାକରଣ ନୀତି ଠିକ୍ ଥିଲା । ଏହା ଦ୍ୱାରା କଳାଧନ, ସହ ନକଲି ନୋଟ୍ କାରବାର, ଆତଙ୍କବାଦୀ ସଙ୍ଗଠନକୁ ଆର୍ଥିକ ସହାୟତା ଓ ଟିକସ ଠକେଇ ମାମଲାକୁ ନିୟନ୍ତ୍ରଣ କରାଯାଇପାରିଛି ।

ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ପି. ଚିଦମ୍ବରମ୍‌‌ ଯୁକ୍ତି ଦର୍ଶାଇଥିଲେ ଯେ ୫ଶହ ଏବଂ ୧ହଜାର ଟଙ୍କିଆ ନୋଟ ଅଚଳ କରି ଦିଆଯିବା ଘଟଣା ସମ୍ପୂର୍ଣ୍ଣ ଭାବରେ ବେଆଇନ ଥିଲା। ସରକାର ବ୍ୟାଙ୍କ ନୋଟ ସମ୍ପର୍କରେ ନିଜଆଡୁ କୌଣସି ପଦକ୍ଷେପ ନେଇପାରିବେ ନାହିଁ ଏବଂ ତାହା କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡ ସୁପାରିଶ ଅନୁଯାୟୀ କରାଯାଇପାରିବ। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ବିମୁଦ୍ରାୟନ ଏକ ସୁଚିନ୍ତିତ ନିଷ୍ପତ୍ତି ଥିଲା ଏବଂ ଜାଲ ଟଙ୍କା କାରବାର, ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣ, କଳାଟଙ୍କା କାରବାର ଓ ଟିକସ ଠକେଇ ଆଦି ରୋକିବାକୁ ପ୍ରସ୍ତୁତ ଏକ ବୃହତ୍ତର ରଣକୌଶଳର ଏହା ଅଂଶବିଶେଷ ଥିଲା।

ଅନ୍ୟପଟେ ବିମୁଦ୍ରାକରଣ ସଂକ୍ରାନ୍ତ ସମସ୍ତ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଗତ ଡିସେମ୍ବର ୭ ତାରିଖରେ କେନ୍ଦ୍ର ସରକାର ଓ ଆରବିଆଇକୁ ନିର୍ଦ୍ଦେଶ ଦେବା ସହ ରାୟ ସଂରକ୍ଷିତ ରଖିଥିଲେ । କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ଘୋଷଣାକୁ ବିଭିନ୍ନ ରାଜନୈତିକ ଦଳ ଓ ଅର୍ଥନୀତିଜ୍ଞ ବିରୋଧ କରିଥିଲେ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ କଳାଧନ ବିରୋଧରେ ଏକ ବଡ଼ ପଦକ୍ଷେପ ବୋଲି ଦର୍ଶାଇଥିଲେ ।

ସୂଚନାନୁସାରେ ୨୦୧୬ ମସିହା ନଭେମ୍ବର ୮ ତାରିଖରେ ସରକାର ବିମୁଦ୍ରାକରଣ ଘୋଷଣା କରିଥିଲେ । ପୁରୁଣା ୫ଶହ ଓ ୧ ହଜାର ଟଙ୍କିଆ ନୋଟ୍ ସବୁକୁ ବିମୁଦ୍ରାକରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ମୋଦି ସରକାରଙ୍କ ଏହି ନିଷ୍ପତ୍ତି ପରେ ସାରା ଦେଶରେ ଚହଳ ପଡିଯାଇଥିଲା। ବ୍ୟାଙ୍କ ଆଗରେ ଲୋକମାନଙ୍କୁ ଲମ୍ବା ଧାଡିରେ ଛିଡା ହେବା ପାଇଁ ପଡିଥିଲା। ସାରା ଦେଶରେ ଲୋକେ ଏଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ I

Tags: