ଦିଲ୍ଲୀ ଶ୍ୱାସରୁଦ୍ଧ : କାର୍ଯ୍ୟାନୁଷ୍ଠାନ ଦାବି କରି ଇଣ୍ଡିଆ ଗେଟରେ ଦିଲ୍ଲୀ ବାସିନ୍ଦାଙ୍କ ଆନ୍ଦୋଳନ
ଦିଲ୍ଲୀ ଶ୍ୱାସରୁଦ୍ଧ : କାର୍ଯ୍ୟାନୁଷ୍ଠାନ ଦାବି କରି ଇଣ୍ଡିଆ ଗେଟରେ ଦିଲ୍ଲୀ ବାସିନ୍ଦାଙ୍କ ଆନ୍ଦୋଳନ ନୂଆଦିଲ୍ଲୀ : ଦିଲ୍ଲୀ ବାସିନ୍ଦା ପ୍ରଦୂଷଣ ପାଇଁ ଅଣନିଶ୍ବାସୀ ହୋଇପଡ଼ିଛନ୍ତି। ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଏକ୍ୟୁଆଇ (ବାୟୁ ଗୁଣବତ୍ତା ସୂଚକାଙ୍କ) ୪୦୦ ଟପିବା ସହ ଦିଲ୍ଲୀ ରେଡ୍ ଜୋନ୍ରେ ପ୍ରବେଶ କରିଛି। ତେଣୁ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଅନେକ ସଂଖ୍ୟାରେ ଦିଲ୍ଲୀ ବାସିନ୍ଦା ଆପ ଏବଂ କଂଗ୍ରେସ ଭଳି ବିରୋଧୀ ଦଳର ନେତାମାନଙ୍କ ସହିତ ଆନ୍ଦୋଳନରେ ଯୋଗ ଦେଇଥିଲେ। ସେମାନେ ଇଣ୍ଡିଆ ଗେଟ୍ ଆଡକୁ ପଦ ଯାତ୍ରା କରିଥିଲେ ଏବଂ ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ସରକାର ପ୍ରଭାବଶାଳୀ ନୀତି ପ୍ରଣୟନ କରିବାକୁ ଦାବି କରିଥିଲେ। ବିକ୍ଷୋଭ ସ୍ଥଳରୁ ପୁଲିସ ଅନେକଙ୍କୁ ଅଟକ ରଖିଛି। ନୂଆଦିଲ୍ଲୀର ବରିଷ୍ଠ ପୋଲିସ ଅଧିକାରୀ ଦେବେଶ କୁମାର ଏନେଇ କହିଛନ୍ତି, ଇଣ୍ଡିଆ ଗେଟ୍ ଏକ ପ୍ରତିବାଦ ସ୍ଥାନ ନୁହେଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନୂଆଦିଲ୍ଲୀରେ ନିର୍ଣ୍ଣିତ ପ୍ରତିବାଦ ସ୍ଥାନ ହେଉଛି ଜନ୍ତରମନ୍ତର। ସେଥିପାଇଁ ଆମେ ସମସ୍ତଙ୍କୁ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦେଇଛୁ। ଉଲ୍ଲେଖଯୋଗ୍ୟ ଯେ ଇଣ୍ଡିଆ ଗେଟରେ ପ୍ରାୟ ୩୦ ମିନିଟ୍ ଧରି ପ୍ରତିବାଦ ଚାଲିଥିଲା ଏବଂ ପୁଲିସ ପ୍ରଦର୍ଶନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ସେମାନଙ୍କୁ ଅଟକ ରଖିବା ଆରମ୍ଭ କରିଥିଲା। ଜଣେ ପ୍ରଦର୍ଶନକାରୀ କହିଛନ୍ତି ଯେ ସେମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିବାକୁ ଅନୁମତି ଦିଆଯାଉନାହିଁ ଏବଂ ସେମାନଙ୍କୁ ସ୍ଥାନାନ୍ତର କରାଯାଉଛି।


