ସୋନମ ୱାଙ୍ଗଚୁକଙ୍କ ବିରୋଧରେ କେନ୍ଦ୍ରର କଠୋର କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ଲଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ ଦାବିରେ ବୁଧବାର ହୋଇଥିବା ହିଂସାକୁ ନେଇ କେନ୍ଦ୍ର ସରକାର ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୱାଙ୍ଗଚୁକଙ୍କ ଦ୍ବାରା ପରିଚାଳିତ ଏନଜିଓ ଷ୍ଟୁଡେଣ୍ଟ ଏଜୁକେସନ ଆଣ୍ଡ କଲଚରାଲ ମୁଭମେଣ୍ଟ ଅଫ୍ ଲଦାଖ (ଏସ୍ଇସିଏମ୍ଓଏଲ୍)ର ଏଫସିଆରଏ ଲାଇସେନ୍ସକୁ ରଦ୍ଦ କରିଦେଇଛନ୍ତି। ବିଦେଶ ଅନୁଦାନ (ରେଗୁଲେସନ) ଆଇନ (ଏଫସିଆରଏ) ଲାଇସେନ୍ସ ଦ୍ବାରା ୱାଙ୍ଗଚୁକଙ୍କ ଏନଜିଓ ବିଦେଶରୁ ପାଣ୍ଠି ସଂଗ୍ରହ କରିପାରୁଥିଲା। ମାତ୍ର ଏହି […]
ନୂଆଦିଲ୍ଲୀ: ଲଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ ଦାବିରେ ବୁଧବାର ହୋଇଥିବା ହିଂସାକୁ ନେଇ କେନ୍ଦ୍ର ସରକାର ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୱାଙ୍ଗଚୁକଙ୍କ ଦ୍ବାରା ପରିଚାଳିତ ଏନଜିଓ ଷ୍ଟୁଡେଣ୍ଟ ଏଜୁକେସନ ଆଣ୍ଡ କଲଚରାଲ ମୁଭମେଣ୍ଟ ଅଫ୍ ଲଦାଖ (ଏସ୍ଇସିଏମ୍ଓଏଲ୍)ର ଏଫସିଆରଏ ଲାଇସେନ୍ସକୁ ରଦ୍ଦ କରିଦେଇଛନ୍ତି। ବିଦେଶ ଅନୁଦାନ (ରେଗୁଲେସନ) ଆଇନ (ଏଫସିଆରଏ) ଲାଇସେନ୍ସ ଦ୍ବାରା ୱାଙ୍ଗଚୁକଙ୍କ ଏନଜିଓ ବିଦେଶରୁ ପାଣ୍ଠି ସଂଗ୍ରହ କରିପାରୁଥିଲା। ମାତ୍ର ଏହି ପାଣ୍ଠି ବଳରେ ୱାଙ୍ଗଚୁକ ହିଂସା ଘଟାଇଥିବା ଅଭିଯୋଗ ହୋଇଛି। ଲେହ ହିଂସା ପରେ ଗୃହ ମନ୍ତ୍ରଣାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ତେବେ ସୋନମ ୱାଙ୍ଗଚୁକଙ୍କ ସମସ୍ୟା ଏବେ ବଢ଼ିପାରେ। ଇଡି ଖୁବ୍ ଶୀଘ୍ର ୱାଙ୍ଗଚୁକଙ୍କ ଏନଜିଓ SECMOL ବିରୋଧରେ FEMA ଅଧୀନରେ ତଦନ୍ତ ଆରମ୍ଭ କରିପାରନ୍ତି । ଆର୍ଥିକ ଅନିୟମିତତା ପାଇଁ ଅଗଷ୍ଟ ୨୦ ତାରିଖରେ ୱାଙ୍ଗଚୁକ୍ଙ୍କ ଏନଜିଓକୁ ନୋଟିସ୍ ଜାରି କରାଯାଇଥିଲା, କିନ୍ତୁ ପ୍ରଦାନ କରାଯାଇଥିବା ଉତ୍ତର ସନ୍ତୋଷଜନକ ନଥିଲା । ୱାଙ୍ଗଚୁକ୍ଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ଅଭିଯୋଗ ମଧ୍ୟ ଆସିଛି।
ଲଦାଖରେ ଘଟିଥିବା ହିଂସା ପାଇଁ ଗୃହ ମନ୍ତ୍ରଣାଳୟ ସୋନମ ୱାଙ୍ଗଚୁକଙ୍କୁ ଦାୟୀ କରିଛି। ମନ୍ତ୍ରଣାଳୟ କହିଛି ଯେ ସୋନମ ୱାଙ୍ଗଚୁକ ତାଙ୍କର ଉତ୍ତେଜନାପୂର୍ଣ୍ଣ ବୟାନ ଦେଇ ଭିଡ଼କୁ ଉସୁକାଇଥିଲେ। ଅନଶନ ସମାପ୍ତ କରିବା ପାଇଁ ଅନେକ ନେତାଙ୍କ ଅପିଲ ସତ୍ତ୍ୱେ, ସୋନମ ୱାଙ୍ଗଚୁକ୍ ଅନଶନ ଜାରି ରଖିଥିଲେ। ଏହି ସମୟରେ ହିଂସା ଘଟାଇବା ଲାଗି ସେ ଯୁବକମାନଙ୍କୁ ମତେଇଥିଲେ। କାରଣ ୱାଙ୍ଗଚୁକଙ୍କ ଭାଷଣ ପରେ ଯୁବକମାନେ ବିଜେପି କାର୍ଯ୍ୟାଳୟରେ ପୋଡାଜଳା କରିଥିଲେ। ପରେ ସେମାନେ ହିଲ୍ କାଉନସିଲ ମୁଖ୍ୟାଳୟ ଓ ପୁଲିସ ଗାଡି ପୋଡାଜଳା କରିଥିଲେ। ହିଂସା ଯୋଗୁଁ ୪ଜଣଙ୍କର ମୃତ୍ୟୁ ହେବା ସହ ୭୦ରୁ ଅଧିକ ଆହତ ହୋଇଥିଲେ। ଲେହରେ କର୍ଫ୍ୟୁ ଜାରି କରାଯାଇଛି । କାର୍ଗିଲ ସମେତ ଅନ୍ୟାନ୍ୟ ପ୍ରମୁଖ ସହରରେ ମଧ୍ୟ ପାଞ୍ଚରୁ ଅଧିକ ଲୋକ ଏକାଠି ହେବାକୁ ନିଷେଧ କରି କଠୋର ପ୍ରତିବନ୍ଧକ ଲଗାଯାଇଛି । ଲଦାଖକୁ ରାଜ୍ୟ ମାନ୍ୟତା ସହିତ ଏହାକୁ ଷଷ୍ଠ ଅନୁଚ୍ଛେଦରେ ସାମିଲ କରିବାକୁ ଦାବି ନେଇ ଲେହରେ ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ କାର୍ଗିଲ ଡେମୋକ୍ରାଟିକ୍ ଆଲାଏନ୍ସ (KDA) ଦ୍ୱାରା ବନ୍ଦ ଡାକରା ଦିଆଯାଇଥିଲା।




