୬ ରାଜ୍ୟର ୭ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ, ଇଣ୍ଡିଆ ମେଣ୍ଟ ପାଇଁ ପ୍ରଥମ ପରୀକ୍ଷା
ନୂଆଦିଲ୍ଲୀ : ୬ ରାଜ୍ୟରେ ୭ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେଉଛି। କଡ଼ା ସୁରକ୍ଷା ମଧ୍ୟରେ ଆଜି ସକାଳ ୭ଟାରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଝାଡ଼ଖଣ୍ଡର ଡୁମରି, ତ୍ରିପୁରାର ବକ୍ସନଗର,ଧାନପୁର, ଉତ୍ତରପ୍ରଦେଶର ଘୋସି, ଉତ୍ତରାଖଣ୍ଡର ବାଗେଶ୍ବର, କେରଳର ପୁଥୁପ୍ପଲ୍ଲି ଏବଂ ପଶ୍ଚିମବଙ୍ଗର ଧୁପଗୁଡ଼ି ଆସନରେ ଉପନିର୍ବାଚନ ହେଉଛି। ତେବେ ଏହି ଉପନିର୍ବାଚନ ବିରୋଧୀ ଇଣ୍ଡିଆ ମେଣ୍ଟ ପାଇଁ ପ୍ରଥମ ପରୀକ୍ଷା। ୪ଟି ରାଜ୍ୟରେ ଇଣ୍ଡିଆ ମେଣ୍ଟ ଏବଂ ବିଜେପି ମଧ୍ୟରେ […]
ନୂଆଦିଲ୍ଲୀ : ୬ ରାଜ୍ୟରେ ୭ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେଉଛି। କଡ଼ା ସୁରକ୍ଷା ମଧ୍ୟରେ ଆଜି ସକାଳ ୭ଟାରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଝାଡ଼ଖଣ୍ଡର ଡୁମରି, ତ୍ରିପୁରାର ବକ୍ସନଗର,ଧାନପୁର, ଉତ୍ତରପ୍ରଦେଶର ଘୋସି, ଉତ୍ତରାଖଣ୍ଡର ବାଗେଶ୍ବର, କେରଳର ପୁଥୁପ୍ପଲ୍ଲି ଏବଂ ପଶ୍ଚିମବଙ୍ଗର ଧୁପଗୁଡ଼ି ଆସନରେ ଉପନିର୍ବାଚନ ହେଉଛି। ତେବେ ଏହି ଉପନିର୍ବାଚନ ବିରୋଧୀ ଇଣ୍ଡିଆ ମେଣ୍ଟ ପାଇଁ ପ୍ରଥମ ପରୀକ୍ଷା। ୪ଟି ରାଜ୍ୟରେ ଇଣ୍ଡିଆ ମେଣ୍ଟ ଏବଂ ବିଜେପି ମଧ୍ୟରେ ମୁହାଁମୁହିଁ ଲଢ଼େଇ ହେଉଛି। ସେପ୍ଟେମ୍ବର ୮ ତାରିଖ ନିର୍ବାଚନ ଫଳ ଉପରେ ସମସ୍ତଙ୍କ ନଜର ରହିଛି। ଡୁମରି ବିଧାନସଭା ଆସନରେ ଆଜି ସକାଳ ୯ଟା ସୁଦ୍ଧା ୧୧.୪୦ ପ୍ରତିଶତ ମତଦାନ ହୋଇଥିଲା। ଧାନପୁର ଏବଂ ବକ୍ସନଗର ବିଧାନସଭା ଆସନରେ ୨ ଘଣ୍ଟା ମଧ୍ୟରେ ୧୮.୭୧ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ଘୋଷିରେ ସକାଳ ୯ଟା ସୁଦ୍ଧା ମତଦାନ ପ୍ରତିଶତ ୯.୧୨ ଏବଂ ବାଗେଶ୍ବରରେ ୧୦.୨ ପ୍ରତିଶତ ମତଦାନ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୧ରେ ଧୁପଗୁଡ଼ି ଆସନରୁ ବିଜେପି ଜିତିଥିଲା। ଏଥିସହ ବିଜେପି ପଶ୍ଚିମବଙ୍ଗରେ ଏଣ୍ଟ୍ରି ମାରିଥିଲା। ବିଜେପି ବିଧାୟକ ବିଷ୍ଣୁ ପଦ ରାୟଙ୍କ ପରଲୋକ ପରେ ଏହି ଆସନରେ ଉପନିର୍ବାଚନ ଆବଶ୍ୟକ ପଡ଼ିଛି। ଉକ୍ତ ଆସନରେ ଚଳିତଥର ତ୍ରିକୋଣୀୟ ଲଢ଼େଇ ହେଉଛି। ବିଜେପି, ଟିଏମ୍ସି ଏବଂ କଂଗ୍ରେସ-ବାମ ମେଣ୍ଟ ମଧ୍ୟରେ ଏହି ଆସନରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ବିଜେପି ଉକ୍ତ ଆସନରେ ସହିଦ ସିଆରପିଏଫ୍ ଯବାନ ଜଗନ୍ନାଥ ରାୟଙ୍କ ପତ୍ନୀ ତାପସି ରାୟଙ୍କୁ ପ୍ରାର୍ଥୀ କରିଛି। ବିଜେପି ପ୍ରାର୍ଥୀ ବିରୋଧରେ ଟିଏମ୍ସି ଜଣେ ପ୍ରଫେସରଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ଅନ୍ୟପକ୍ଷେ ସିପିଆଇ(ଏମ୍) ପ୍ରାର୍ଥୀଙ୍କୁ ସମର୍ଥନ କରିଛି। ତ୍ରିପୁରାର ଧାନପୁର ଏବଂ ବକ୍ସନଗରରେ ମଧ୍ୟ ସିପିଆଇ(ଏମ୍) ଏବଂ ବିଜେପି ମଧ୍ୟରେ ଲଢ଼େଇ ହେଉଛି। କଂଗ୍ରେସ ଏବଂ ଟିପ୍ରା ମୋହଟା ସିପିଆଇଏମ୍କୁ ସମର୍ଥନ କରିବାକୁ ଯାଇ ଉକ୍ତ ୨ ଆସନରେ ପ୍ରାର୍ଥୀ ଦେଇନାହାନ୍ତି। ଉତ୍ତରାଖଣ୍ଡର ବାଗେଶ୍ବରରେ ୫ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। କିନ୍ତୁ ମୁଖ୍ୟ ଲଢ଼େଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ହେଉଛି। ଡୁମରିରେ ବିଜେପି ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ ଲଢ଼େଇ ହେଉଛି।




