୬ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ଆଇଏମଡିର ସତର୍କ ସୂଚନା
ନୂଆଦିଲ୍ଲୀ: ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ବିହାରରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ଗ୍ରୀଷ୍ମପ୍ରବାହ ୪ ଦିନ ଲାଗି ରହିବ। ଅନ୍ୟପଟେ ତାମିଲନାଡୁ, କେରଳ ଓ କର୍ଣ୍ଣାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଚଳିତ ମାସ ଲାଗି ଏଭଳି ପୂର୍ବାନୁମାନ କରାଯାଇଛି। କେବଳ ଏତିକି ନୁହେଁ, ଏହିସବୁ ରାଜ୍ୟମାନଙ୍କ ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ଆଇଏମ୍ଡିର ବରିଷ୍ଠ ବୈଜ୍ଞାନିକ ଡ ନରେଶ କୁମାର […]
ନୂଆଦିଲ୍ଲୀ: ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ବିହାରରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ଗ୍ରୀଷ୍ମପ୍ରବାହ ୪ ଦିନ ଲାଗି ରହିବ। ଅନ୍ୟପଟେ ତାମିଲନାଡୁ, କେରଳ ଓ କର୍ଣ୍ଣାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଚଳିତ ମାସ ଲାଗି ଏଭଳି ପୂର୍ବାନୁମାନ କରାଯାଇଛି। କେବଳ ଏତିକି ନୁହେଁ, ଏହିସବୁ ରାଜ୍ୟମାନଙ୍କ ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ଆଇଏମ୍ଡିର ବରିଷ୍ଠ ବୈଜ୍ଞାନିକ ଡ ନରେଶ କୁମାର କହିଛନ୍ତି, ଏପ୍ରିଲରୁ ମେ’ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଭାରତକୁ ଲଗାତାର ପଶ୍ଚିମା ଝଡ଼ ବହିବା ଯୋଗୁଁ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର କିଛି ସ୍ଥାନରେ ବର୍ଷା ହୋଇଛି। ଫଳରେ ତାପମାତ୍ରା କମିଛି। ଏହାସେତ୍ତ୍ବ ଏହି ମାସ ଅନେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରିରେ ପହଞ୍ଚିଲାଣି। ଆଜି ବି ରାଜସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ରହିଛି। ପଞ୍ଜାବ ଓ ହରିୟାଣାରେ ମଧ୍ୟ ତାପମାତ୍ରା ୪୪ ଡିଗ୍ରି ସେଲସିୟସ ପାଖାପାଖି ରହିଛି। ରାଜସ୍ଥାନ, ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବାକୁ ଥିବା ବେଳେ ମଧ୍ୟପ୍ରଦେଶ ଓ ବିହାରରେ ୪ ଦିନ ଯାଏ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଯାହା ଫଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ। ଆସନ୍ତା ୫ ଦିନ ମଧ୍ୟରେ ତାମିଲନାଡୁ, କେରଳ ଓ ଦକ୍ଷିଣ କର୍ଣ୍ଣାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଭାରତ ଓ ବିହାରର ସମତଳ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଏହାବ୍ୟତୀତ ପୂର୍ବ ଓ କେନ୍ଦ୍ରୀୟ ଭାରତରେ ମେ ୧୮ରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହେବାର ସମ୍ଭାବନା ଅଛି।




