୧୯୮୭ ହାସିମପୁରା ଗଣହତ୍ୟା ମାମଲାରେ ୮ ଅଭିଯୁକ୍ତଙ୍କୁ ଜାମିନ ଦେଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ୧୯୮୭ ମସିହାର ୩୮ ଜଣ ଲୋକଙ୍କ ଗଣହତ୍ୟା ସହ ଜଡ଼ିତ ବହୁଚର୍ଚ୍ଚିତ ହାସିମପୁରା ମାମଲାରେ ପ୍ରାଦେଶିକ ସଶସ୍ତ୍ର ବାହିନୀର ୮ ଜଣ ଅଭିଯୁକ୍ତଙ୍କୁ ଶୁକ୍ରବାର ସୁପ୍ରିମ୍କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଅଭୟ ଏସ୍ ଓକା ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ ଜଣ ଦୋଷୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅମିତ ଆନନ୍ଦ ତିଓ୍ଵାରୀଙ୍କ ଯୁକ୍ତିକୁ ଗ୍ରହଣ କରିଥିଲେ। ତିୱାରୀ ଯୁକ୍ତି ବାଢ଼ିଥିଲେ ଯେ, ଏହି ମାମଲାରେ ନିମ୍ନ ଅଦାଲତ […]
ନୂଆଦିଲ୍ଲୀ: ୧୯୮୭ ମସିହାର ୩୮ ଜଣ ଲୋକଙ୍କ ଗଣହତ୍ୟା ସହ ଜଡ଼ିତ ବହୁଚର୍ଚ୍ଚିତ ହାସିମପୁରା ମାମଲାରେ ପ୍ରାଦେଶିକ ସଶସ୍ତ୍ର ବାହିନୀର ୮ ଜଣ ଅଭିଯୁକ୍ତଙ୍କୁ ଶୁକ୍ରବାର ସୁପ୍ରିମ୍କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଅଭୟ ଏସ୍ ଓକା ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ ଜଣ ଦୋଷୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅମିତ ଆନନ୍ଦ ତିଓ୍ଵାରୀଙ୍କ ଯୁକ୍ତିକୁ ଗ୍ରହଣ କରିଥିଲେ। ତିୱାରୀ ଯୁକ୍ତି ବାଢ଼ିଥିଲେ ଯେ, ଏହି ମାମଲାରେ ନିମ୍ନ ଅଦାଲତ ଦ୍ୱାରା ଦୋଷମୁକ୍ତ ହେବା ପରେ ଦିଲ୍ଲୀ ହାଇକୋର୍ଟ ରାୟକୁ ଖାରଜ କରିବାରୁ ସେମାନେ ଦୀର୍ଘ ଦିନ ଧରି ଜେଲରେ ଅଛନ୍ତି। ଶୁକ୍ରବାର ସାମି ଉଲ୍ଲା, ନିରଞ୍ଜନ ଲାଲ, ମହେଶ ପ୍ରସାଦ ଓ ଜୟପାଲ ସିଂହଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତିୱାରୀ ଯୁକ୍ତି ବାଢ଼ିଥିଲେ ଯେ ହାଇକୋର୍ଟଙ୍କ ରାୟ ପରେ ଆବେଦନକାରୀମାନେ ୬ ବର୍ଷରୁ ଅଧିକ ସମୟ ଧରି ଜେଲରେ ଅଛନ୍ତି। ଆବେଦନକାରୀଙ୍କୁ ପୂର୍ବରୁ ନିମ୍ନ ଅଦାଲତ ଦୋଷମୁକ୍ତ କରିଥିଲେ। ନିମ୍ନ ଅଦାଲତଙ୍କ ରାୟକୁ ଖାରଜ କରିବା ହାଇକୋର୍ଟଙ୍କର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଥିଲା। ଅଦାଲତ ଏହି ଯୁକ୍ତିକୁ ଗ୍ରହଣ କରି ୮ ଦୋଷୀଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି। ୧୯୮୭ ମସିହା ମେ ୨୨ ତାରିଖରେ ଉତ୍ତରପ୍ରଦେଶର ମିରଟର ହାସିମପୁରାରୁ ସାମ୍ପ୍ରଦାୟିକ ଉତ୍ତେଜନା ସମୟରେ ୪୧ତମ ବାଟାଲିୟନର ‘ସି-କମ୍ପାନି’ର ପ୍ରାଦେଶିକ ସଶସ୍ତ୍ର କନଷ୍ଟେବୁଲାରି (ପିଏସି) ଯବାନମାନେ ପ୍ରାୟ ୫୦ ଜଣ ମୁସଲମାନଙ୍କୁ ଗିରଫ କରିଥିଲେ। ସାମ୍ପ୍ରଦାୟିକ ଦଙ୍ଗା ଯୋଗୁଁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ବାହାନାରେ ସହର ଉପକଣ୍ଠକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ଗୁଳି କରିହତ୍ୟା କରାଯାଇଥିଲା ଏବଂ ସେମାନଙ୍କ ମୃତଦେହକୁ କେନାଲରେ ଫିଙ୍ଗି ଦିଆଯାଇଥିଲା।




