ହିମାଚଳରେ ଅତି ଭୟଙ୍କର ସ୍ଥିତି,୫୦ ବର୍ଷ ମଧ୍ୟରେ ହିମାଚଳ ଏମିତି ବର୍ଷା ଦେଖିନି
ଦିଲ୍ଲୀରେ ଯମୁନା ନଦୀରେ ଜଳସ୍ତର ବିପଦ ସଙ୍କେତ ଟପିଲା
ନୂଆଦିଲ୍ଲୀ : ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ହିମାଚଳପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ପଂଜାବ ଏବଂ ଉତ୍ତରାଖଣ୍ଡରେ ବର୍ଷା, ଅଚାନକ ବନ୍ୟା ଏବଂ ଭୂସ୍ଖଳନ ଭୟ ଖେଳାଇ ଦେଇଛି। ବର୍ଷା ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି। ଆଇଏମ୍ଡି ପକ୍ଷରୁ ଉକ୍ତ ରାଜ୍ୟ ଗୁଡ଼ିକରେ ଆହୁରି ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ହିମାଚଳପ୍ରଦେଶ ବର୍ଷା ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି। ବର୍ଷା ଏବଂ ଅଚାନକ ବନ୍ୟା ପାଇଁ ଏହି ରାଜ୍ୟରେ ଗତ ୮ ଦିନ ମଧ୍ୟରେ ୭୨ ଲୋକଙ୍କ ମୃତ୍ୟୁ ହେଲାଣି। ଆହୁରି ୮ ଜଣ ନିଖୋଜ ଅଛନ୍ତି। ୯୪ ଜଣ ଆହତ ହୋଇଛନ୍ତି। ରାଜ୍ୟରେ ୩୯ଟି ଭୂସ୍ଖଳନ ହୋଇଥିବା ରିପୋର୍ଟ କରାଯାଇଛି। ଗତ ୨ ଦିନ ମଧ୍ୟରେ ହିମାଚଳରେ କେବଳ ୩୭ ଜଣଙ୍କ ମୃତ୍ୟୁ ହେଲାଣି। ଅନ୍ୟପକ୍ଷେ ଉତ୍ତରପ୍ରଦେଶରେ ମଧ୍ୟ ଗତ ୩ ଦିନ ମଧ୍ୟରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁଁ ୩୪ ଜଣଙ୍କ ମୃତ୍ୟୁ ହୋଇଛି।
ହିମାଚଳପ୍ରଦେଶରେ ୧୨ ଜିଲ୍ଲା ମଧ୍ୟରୁ ୧୦ଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ସହ ଫୋନ୍ରେ କଥା ହୋଇଥିଲେ। ପ୍ରବଳ ବର୍ଷା ଏବଂ ବନ୍ୟା ଜନିତ କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ସୁଖୁଙ୍କୁ ସହ ଆଲୋଚନା କରିଥିଲେ। ମୋଦୀ ମଧ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ବର୍ଷା ଓ ବନ୍ୟା ପ୍ରଭାବିତ ରାଜ୍ୟ ଗୁଡ଼ିକୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି, ଗତ ୫୦ ବର୍ଷ ମଧ୍ୟରେ ହିମାଚଳପ୍ରଦେଶ ଏଭଳି ବର୍ଷା କେବେ ଦେଖିନାହିଁ। ଚଳିତ ମୌସୁମୀ ଋତୁରେ ଏଯାବତ୍ ରାଜ୍ୟରେ ପ୍ରାୟ ୪ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହେଲାଣି । ରାଜ୍ୟର ଲୋକମାନେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଘରୁ ବାହାରକୁ ନବାହାରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ନ୍ତି।




