ହସ୍ପିଟାଲରୁ ପିଲା ଚୋରି ହେଲେ ଲାଇସେନ୍ସ ରଦ୍ଦ କର: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ଶିଶୁ ଚୋରା ଚାଲାଣ ମାମଲାରେ କ୍ଷୋଭ ପ୍ରକାଶ କରିବା ସହ ଏହାର ମୁକାବିଲା ପାଇଁ ସୁପ୍ରିମ୍କୋର୍ଟ ଆଜି ଗାଇଡ୍ଲାଇନ୍ ଜାରି କରି କହିଛନ୍ତି ଯେ ଯଦି କୌଣସି ନବଜାତ ଶିଶୁ ଡାକ୍ତରଖାନାରୁ ନିଖୋଜ ହୋଇଯାଏ, ତେବେ ପ୍ରଥମ ପଦକ୍ଷେପ ହେଉଛି ହସ୍ପିଟାଲର ଲାଇସେନ୍ସ ରଦ୍ଦ କରିବା। ଜଷ୍ଟିସ୍ ଜେବି ପାର୍ଦିୱାଲା ଓ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଶିଶୁ ଚୋରା ଚାଲାଣ ମାମଲାରେ ଅଭିଯୁକ୍ତଙ୍କ ଜାମିନକୁ ଚ୍ୟାଲେଞ୍ଜ କରିଥିବା ଏକ ଆବେଦନର ଶୁଣାଣି […]
ନୂଆଦିଲ୍ଲୀ: ଶିଶୁ ଚୋରା ଚାଲାଣ ମାମଲାରେ କ୍ଷୋଭ ପ୍ରକାଶ କରିବା ସହ ଏହାର ମୁକାବିଲା ପାଇଁ ସୁପ୍ରିମ୍କୋର୍ଟ ଆଜି ଗାଇଡ୍ଲାଇନ୍ ଜାରି କରି କହିଛନ୍ତି ଯେ ଯଦି କୌଣସି ନବଜାତ ଶିଶୁ ଡାକ୍ତରଖାନାରୁ ନିଖୋଜ ହୋଇଯାଏ, ତେବେ ପ୍ରଥମ ପଦକ୍ଷେପ ହେଉଛି ହସ୍ପିଟାଲର ଲାଇସେନ୍ସ ରଦ୍ଦ କରିବା। ଜଷ୍ଟିସ୍ ଜେବି ପାର୍ଦିୱାଲା ଓ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଶିଶୁ ଚୋରା ଚାଲାଣ ମାମଲାରେ ଅଭିଯୁକ୍ତଙ୍କ ଜାମିନକୁ ଚ୍ୟାଲେଞ୍ଜ କରିଥିବା ଏକ ଆବେଦନର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କୁ ସମାଲୋଚନା କରି ଖଣ୍ଡପୀଠ କହିଛନ୍ତି ଯେ ଜାମିନ ଆବେଦନକୁ ମନମୁଖି ଭାବେ ବିଚାର କରାଯାଉଛି ଏବଂ ଅନେକ ଅଭିଯୁକ୍ତ ଏବେ ନିଖୋଜ ଅଛନ୍ତି। ଏହି ଅଭିଯୁକ୍ତ ମାନେ ସମାଜ ପାଇଁ ଗୁରୁତର ବିପଦ ସୃଷ୍ଟି କରୁଛନ୍ତି। ଜାମିନ ପ୍ରଦାନ ସମୟରେ ହାଇକୋର୍ଟଙ୍କ ସର୍ବନିମ୍ନ ଆବଶ୍ୟକତା ଥିଲା ପ୍ରତି ସପ୍ତାହରେ ଥାନାରେ ହାଜର ହେବା ପାଇଁ ସର୍ତ୍ତ ଲଗାଇବା। ତା’ ନ ହେବାରୁ ପୁଲିସର କୌଣସି ଅଭିଯୁକ୍ତଙ୍କ ଉପରେ ଆଉ ନିଘା ରହିଲା ନାହିଁ।
ଜଷ୍ଟିସ ପାର୍ଦିୱାଲା କହିଛନ୍ତି ଯେ ଉତ୍ତରପ୍ରଦେଶ ସରକାର ଏହି ମାମଲାକୁ ଯେଭଳି ପରିଚାଳନା କରିଛନ୍ତି ସେଥିରେ ଖଣ୍ଡପୀଠ ସମ୍ପୂର୍ଣ୍ଣ ନିରାଶ ହୋଇଛନ୍ତି। ଅଭିଯୁକ୍ତ ଜଣକ ପୁଅ ପାଇଁ ଇଚ୍ଛା କରୁଥିଲା ଏବଂ ତା’ପରେ ୪ ଲକ୍ଷ ଟଙ୍କାରେ ପୁଅ ପାଇଥିଲା, ଯେଉଁ ପୁଅକୁ ହସ୍ପିଟାଲରୁ ଚୋରି କରାଯାଇଥିଲା। କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ କରିବାକୁ କହିଛନ୍ତି ଏବଂ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ କହିଛନ୍ତି। ଏକ ସପ୍ତାହ ମଧ୍ୟରେ ଚାର୍ଜସିଟ୍ ପ୍ରସ୍ତୁତ କରାଯିବ। ଯଦି କିଛି ଅଭିଯୁକ୍ତ ଫେରାର ହୋଇଯାଇଥାନ୍ତି, ତେବେ ନିମ୍ନ ଅଦାଲତ ଜାମିନ ବିହୀନ ୱାରେଣ୍ଟ ଜାରି କରିବେ। ଉପସ୍ଥିତ ଥିବା ଲୋକଙ୍କ ବିଚାର ଚାଲିବ ଏବଂ ବିଳମ୍ବ ହେବ ନାହିଁ ବୋଲି କୋର୍ଟ କହିଛନ୍ତି।




