ହରିୟାଣା ରାଜ୍ୟପାଳଙ୍କ ନିକଟକୁ ଚିଠି ଲେଖିଲେ ପୂର୍ବତନ ବିଜେପି ମେଣ୍ଟ ସହଯୋଗୀ ଚୌତାଲା, ଆସ୍ଥା ଭୋଟ୍ ଦାବି କଲେ
ଚଣ୍ଡିଗଡ଼: ହରିୟାଣାରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ୩ ସ୍ବାଧୀନ ବିଧାୟକ ହରିୟାଣାରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବାପରେ ରାଜ୍ୟରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଇତି ମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବିଜେପିର ପୂର୍ବତନ ସହଯୋଗୀ ଦୁଶ୍ୟନ୍ତ ଚୌତାଲା ଆଜି ରାଜ୍ୟପାଳଙ୍କ ନିକଟକୁ ଏକ ଚିଠି ଲେଖି ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ୍ ପାଇଁ ଦାବି କରିଛନ୍ତି। ରାଜ୍ୟପାଳ ବନ୍ଦାରୁ ଦତ୍ତତ୍ରେୟଙ୍କୁ ଚିଠି ଲେଖି ଚୌତାଲା କହିଛନ୍ତି, ନିକଟରେ ସ୍ବାଧୀନ ବିଧାୟକ ସରକାରରୁ ସମର୍ଥନ […]
ଚଣ୍ଡିଗଡ଼: ହରିୟାଣାରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ୩ ସ୍ବାଧୀନ ବିଧାୟକ ହରିୟାଣାରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବାପରେ ରାଜ୍ୟରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଇତି ମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବିଜେପିର ପୂର୍ବତନ ସହଯୋଗୀ ଦୁଶ୍ୟନ୍ତ ଚୌତାଲା ଆଜି ରାଜ୍ୟପାଳଙ୍କ ନିକଟକୁ ଏକ ଚିଠି ଲେଖି ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ୍ ପାଇଁ ଦାବି କରିଛନ୍ତି। ରାଜ୍ୟପାଳ ବନ୍ଦାରୁ ଦତ୍ତତ୍ରେୟଙ୍କୁ ଚିଠି ଲେଖି ଚୌତାଲା କହିଛନ୍ତି, ନିକଟରେ ସ୍ବାଧୀନ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାପରେ ଏବଂ ୨ ଜଣ ବିଧାୟକ ଇସ୍ତଫା ଦେବାପରେ ଶାସକ ବିଜେପି ମେଣ୍ଟ ସଂଖ୍ୟାଲଘୁ ହେବାକୁ ଯାଉଛି। ତେଣୁ ସରକାରଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ଅଛି ବୋଲି ପ୍ରମାଣ ଦେବାପାଇଁ ତୁରନ୍ତ ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ୍ କରାଯାଉ । ଉଲ୍ଲେଖଯୋଗ୍ୟ ଯେ ଗତ ମଙ୍ଗଳବାର ଦିନ ସ୍ବାଧୀନ ବିଧାୟକ ସୋମବୀର ସଙ୍ଗୱନ (ଦାଦ୍ରି), ରନ୍ଧିର ସିଂହ ଗୋଲ୍ଲେନ (ପୁନ୍ଦ୍ରି) ଏବଂ ଧର୍ମପାଲ ଗୋନ୍ଦର (ନିଲୋଖେଡ଼ି) ରୋହତକରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରୁଥିବା ଘୋଷଣା କରିଥିଲେ। ସେମାନଙ୍କ ସହ ବିଧାନସଭାରେ ବିରୋଧୀ ଦଳ ନେତା ଭୁପିନ୍ଦର ସିଂହ ହୁଦା ଉପସ୍ଥିତ ଥିଲେ। ଚୌତାଲା କହିଛନ୍ତି, ୨ ମାସ ପୂର୍ବେ ଗଠନ ହୋଇଥିବା ସରକାର ଏବେ ସଂଖ୍ୟାଲଘୁ ହୋଇଛି। କାରଣ ସେମାନଙ୍କୁ ସମର୍ଥନ କରିଥିବା ୨ ଜଣ ବିଧାୟକ ଇସ୍ତଫା ଦେଇ ସାରିଛନ୍ତି। ଅନ୍ୟ ୩ ଜଣ ସ୍ବାଧୀନ ବିଧାୟକ ମଧ୍ୟ ରାଜ୍ୟପାଳଙ୍କ ନିକଟକୁ ଚିଠି ଲେଖି ସମର୍ଥନ ପ୍ରତ୍ୟାହାର କରୁଥିବା ଘୋଷଣା କରିଛନ୍ତି। ଜେଜେପି ମଧ୍ୟ ସ୍ପଷ୍ଟ ଭାବେ ଏହା କହୁଛି ଯେ ଯଦି ସରକାର ବିରୋଧରେ କୌଣସି ଅନାସ୍ଥା ଆସେ ତେବେ ଏହାକୁ ଆମେ ସମର୍ଥନ କରିବୁ। ଚୌତାଲା କହିଛନ୍ତି, ଆମେ ରାଜ୍ୟପାଳଙ୍କୁ ଚିଠି ଲେଖି ସାରିଛୁ ଏବଂ ଏବେ କଂଗ୍ରେସ କ’ଣ ପଦକ୍ଷେପ ଗ୍ରହଣ କରିବ ତା’ ଉପରେ ନଜର ରହିଛି। ଉଲ୍ଳେଖଯୋଗ୍ୟ ଯେ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଏବେ ୮୮ ସଦସ୍ୟ ଅଛନ୍ତି। ହରିୟାଣାରେ ମ୍ୟାଜିକ୍ ନମ୍ବର ହେଉଛି ୪୫।




