ହମାସ ସାମରିକ ମୁଖ୍ୟ ମହମ୍ମଦ ଡିଫ୍ ନିପାତ
ଜେରୁଜେଲମ୍: ଇସ୍ରାଏଲ ସେନା ଗୁରୁବାର ସ୍ପଷ୍ଟ କରିଛି ଯେ ହମାସ ସାମରିକ ମୁଖ୍ୟ ମହମ୍ମଦ ଡିଫ୍କୁ ବିମାନ ଆକ୍ରମଣ କରି ନିପାତ କରାଯାଇଛି। ଦକ୍ଷିଣ ଗାଜା ଷ୍ଟ୍ରିପ୍ରେ ଗତ ଜୁଲାଇ ୧୩ ତାରିଖରେ ମହମ୍ମଦ ଡିଫ୍କୁ ନିପାତ କରାଯାଇଛି ବୋଲି ଇସ୍ରାଏଲ ସେନା ପକ୍ଷରୁ ଘୋଷଣା କରାଯାଇଛି। ଗତ ବୁଧବାର ହମାସ୍ର ଶୀର୍ଷ ନେତା ଇସ୍ମାଇଲ ହାନିୟେହକୁ ତେହରାନରେ ନିପାତ କରାଯାଇଥିବା ନେଇ ଇରାନ ଏବଂ ହମାସ ଦ୍ବାରା ଘୋଷଣା ହେବାପରେ ଗୁରୁବାର ଇସ୍ରାଏଲ ସେନା ପକ୍ଷରୁ […]
ଜେରୁଜେଲମ୍: ଇସ୍ରାଏଲ ସେନା ଗୁରୁବାର ସ୍ପଷ୍ଟ କରିଛି ଯେ ହମାସ ସାମରିକ ମୁଖ୍ୟ ମହମ୍ମଦ ଡିଫ୍କୁ ବିମାନ ଆକ୍ରମଣ କରି ନିପାତ କରାଯାଇଛି। ଦକ୍ଷିଣ ଗାଜା ଷ୍ଟ୍ରିପ୍ରେ ଗତ ଜୁଲାଇ ୧୩ ତାରିଖରେ ମହମ୍ମଦ ଡିଫ୍କୁ ନିପାତ କରାଯାଇଛି ବୋଲି ଇସ୍ରାଏଲ ସେନା ପକ୍ଷରୁ ଘୋଷଣା କରାଯାଇଛି। ଗତ ବୁଧବାର ହମାସ୍ର ଶୀର୍ଷ ନେତା ଇସ୍ମାଇଲ ହାନିୟେହକୁ ତେହରାନରେ ନିପାତ କରାଯାଇଥିବା ନେଇ ଇରାନ ଏବଂ ହମାସ ଦ୍ବାରା ଘୋଷଣା ହେବାପରେ ଗୁରୁବାର ଇସ୍ରାଏଲ ସେନା ପକ୍ଷରୁ ଏହି ଘୋଷଣା ହୋଇଛି। କିନ୍ତୁ ହାନିୟେହ ନିପାତ ହେବା ନେଇ ହମାସ ଏଯାବତ କିଛି ଟିପ୍ପଣୀ ଦେଇନାହିଁ। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗାଲାଣ୍ଟ କହିଛନ୍ତି, ଜୁଲାଇ ୧୩ ତାରିଖରେ ଗାଜାର ଓସାମା ବିନ୍ ଲାଦେନ ଭାବେ ପରିଚିତ ମହମ୍ମଦ ଡିଫ୍କୁ ନିପାତ କରାଯାଇଛି। ଗାଜାରେ ହମାସ ବିରୋଧରେ ଏହା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି ଗାଲାଣ୍ଟ କହିଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୧୩ ତାରିଖରେ ଖାନ୍ ୟୁନିସ ଉପରେ ଯୁଦ୍ଧ ବିମାନ ଆକ୍ରମଣ କରିଥିଲା। ଗୁଇନ୍ଦା ସୂତ୍ରରୁ ଏହା ସ୍ପଷ୍ଟ କରାଯାଇଛି ଯେ ଏହି ଆକ୍ରମଣରେ ମହମ୍ମଦ ଡିଫ୍ ନିପାତ ହୋଇଛି। ମହମ୍ମଦ ଡିଫ୍ ସହ ତା’ର ଏକ ଶୀର୍ଷ କମାଣ୍ଡର ରାଫା ସଲାମା ମଧ୍ୟ ନିପାତ ହୋଇଛି। ଅନ୍ୟପକ୍ଷେ ହମାସ ପକ୍ଷରୁ କୁହାଯାଇଛି ଯେ ଆକ୍ରମଣରେ ୯୦ ଲୋକ ମରିଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରେ ଡିଫ୍ ଥିବା ନେଇ କୌଣସି ପ୍ରମାଣ ନାହିଁ। ଅକ୍ଟୋବର ୭ ତାରିଖରେ ଇସ୍ରାଏଲ୍ ଉପରେ ହୋଇଥିବା ବର୍ବର ଆକ୍ରମଣର ମୁଖ୍ୟ ମାଷ୍ଟରମାଇଣ୍ଡ୍ ହେଉଛି ଡିଫ୍। ସେ ହିଁ ଏହି ଆକ୍ରମଣ ଯୋଜନା କରିଥିଲା ଏବଂ ତାହାକୁ କାର୍ଯ୍ୟକାରୀ କରିଥିଲା। ଅକ୍ଟୋବର ୭ ତାରିଖରେ ହମାସ୍ ଦ୍ବାରା ଦକ୍ଷିଣ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ୧୧୯୭ ଲୋକଙ୍କ ମୃତ୍ୟୁ ହୋଇଥିଲା। ଡିଫ୍ ଅକ୍ଟୋବର ୭ ତାରିଖରେ ଏକ ଅଡ଼ିଓ ବାର୍ତ୍ତା ଦେଇ ହମାସ ଆକ୍ରମଣ ଆରମ୍ଭ କରିଥିଲା।




