ସେପ୍ଟେମ୍ବର ୨ରେ ଲଞ୍ଚ ହେବ ଆଦିତ୍ୟ-ଏଲ୍‌୧

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ତା’ର ପ୍ରଥମ ସୌର ମିସନ ଆଦିତ୍ୟ-ଏଲ୍‌୧ ଆସନ୍ତା ସେପ୍ଟେମ୍ବର ୨ରେ ଉତ୍‌କ୍ଷେପଣ କରିବ । ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟା ୫୦ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହା ଉତ୍‌କ୍ଷେପଣ କରାଯିବ। ଇସ୍ରୋର ପିଏସଏଲଭି ଏକ୍ସଏଲ ରକେଟ ଜରିଆରେ ଆଦିତ୍ୟ-ଏଲ୍‌୧ ମହାକାଶକୁ ପ୍ରେରଣ କରାଯିବ। ପ୍ରଥମେ ଏହି ମହାକାଶ ଯାନକୁ ପୃଥିବୀର ନିମ୍ନ କକ୍ଷପଥରେ ଅବସ୍ଥାପିତ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ କକ୍ଷପଥରେ ପରିବର୍ତ୍ତନ […]

Samaya Live Picture
Published On

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ତା’ର ପ୍ରଥମ ସୌର ମିସନ ଆଦିତ୍ୟ-ଏଲ୍‌୧ ଆସନ୍ତା ସେପ୍ଟେମ୍ବର ୨ରେ ଉତ୍‌କ୍ଷେପଣ କରିବ । ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟା ୫୦ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହା ଉତ୍‌କ୍ଷେପଣ କରାଯିବ। ଇସ୍ରୋର ପିଏସଏଲଭି ଏକ୍ସଏଲ ରକେଟ ଜରିଆରେ ଆଦିତ୍ୟ-ଏଲ୍‌୧ ମହାକାଶକୁ ପ୍ରେରଣ କରାଯିବ। ପ୍ରଥମେ ଏହି ମହାକାଶ ଯାନକୁ ପୃଥିବୀର ନିମ୍ନ କକ୍ଷପଥରେ ଅବସ୍ଥାପିତ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ କକ୍ଷପଥରେ ପରିବର୍ତ୍ତନ କରାଯିବ। ଶେଷରେ ମହାକାଶଯାନକୁ ଲାଗ୍ରାଞ୍ଜ ପଏଣ୍ଟ(ଏଲ୍‌-୧)ରେ ଛଡ଼ାଯିବ। ଏଲ୍‌-୧କୁ ଯାତ୍ରା ସମୟରେ ଏହା ପୃଥିବୀର ମାଧ୍ୟାକର୍ଷଣ ପ୍ରଭାବ କ୍ଷେତ୍ର (ଏସଓଆଇ)ରୁ ମୁକ୍ତ ହେବ। ଏସଓଆଇ ଛାଡ଼ିବା ପରେ ମହାକାଶ ଯାନର କ୍ରୁଜ୍‌ ପର୍ଯ୍ୟାୟ ଆରମ୍ଭ ହେବ। ତା’ପରେ ମହାକାଶ ଯାନକୁ ଏଲ୍‌୧ ନିକଟରେ ଏକ ବୃହତ୍ ହାଲୋ ଅର୍ବିଟକୁ ପଠାଯିବ। ଆଦିତ୍ୟ-ଏଲ୍‌୧ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ଲାଗି ଉତ୍‌କ୍ଷେପଣ ହେବା ସମୟ ଠାରୁ ପ୍ରାୟ ୪ ମାସ ଲାଗିବ।
ଆଦିତ୍ୟ-ଏଲ୍‌୧ ହେଉଛି ସୂର୍ଯ୍ୟ ଉପରେ ଅନୁଧ୍ୟାନ ପାଇଁ ଭାରତର ପ୍ରଥମ ମହାକାଶୀୟ ପର୍ଯ୍ୟବେକ୍ଷଣାଗାର-ଶ୍ରେଣୀୟ ସୌର ମିସନ। ଏହାକୁ ସୂର୍ଯ୍ୟ-ପୃଥିବୀ ସିଷ୍ଟମର ଲାଗ୍ରାଞ୍ଜିଆନ ପଏଣ୍ଟ ୧ (ଏଲ୍‌୧) ପାଖରେ ହାଲୋ ଅର୍ବିଟରେ ସ୍ଥାପନ କରାଯିବ। ଏହି ସ୍ଥାନଟି ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିମି ଦୂରରେ ଅବସ୍ଥିତ। ସୂଚନାଯୋଗ୍ୟ ପୃଥିବୀଠାରୁ ସୂର୍ଯ୍ୟଙ୍କ ଦୂରତା ହେଉଛି ପ୍ରାୟ ୧୫ କୋଟି କିମି। ଏଲ୍‌୧ ପଏଣ୍ଟରେ ଗୋଟିଏ ଉପଗ୍ରହ ରହିବାର ସୁବିଧା ହେଉଛି ଏହା କୌଣସି ମହାଜାଗତିକ ଘଟଣା ବା ଗ୍ରହଣ ଆଦିର ପ୍ରତିବନ୍ଧକ ବିନା ସୌର କାର୍ଯ୍ୟକଳାପ ଉପରେ ନିରନ୍ତର ଅନୁଧ୍ୟାନ କରିପାରିବ। ଏହି ମହାକାଶଯାନରେ ୭ଟି ପେଲୋଡ୍ ରହିବ। ସେଗୁଡ଼ିକ ବିଦ୍ୟୁତ୍‌-ଚୁମ୍ବକୀୟ ଓ ପାର୍ଟିକ୍‌ଲ ଡିଟେକ୍ଟର ଆଦି ବ୍ୟବହାର କରି ସୂର୍ଯ୍ୟଙ୍କ ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ ବାହ୍ୟ ସ୍ତର (କରୋନା) ଉପରେ ଅନୁଧ୍ୟାନ କରିବେ। ୪ଟି ପେଲୋଡ୍‌ ସିଧାସଳଖ ସୂର୍ଯ୍ୟଙ୍କୁ ଦେଖିବେ ଏବଂ ଅବଶିଷ୍ଟ ୩ଟି ଲାଗ୍ରାଞ୍ଜ ପଏଣ୍ଟ ଏଲ୍‌୧ରେ ବିଭିନ୍ନ କଣିକା (ପାର୍ଟିକ୍‌ଲ) ଓ କ୍ଷେତ୍ର ଆଦି ଉପରେ ଅନୁଧ୍ୟାନ କରିବେ।

Tags: