ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ଼ ବିଜୟ
ଦିଲ୍ଲୀ ସରକାରଙ୍କ ପ୍ରଶାସନିକ ସେବା କ୍ଷମତା କାଏମ ରହିବ
ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଶାସନିକ ସେବା ନିୟନ୍ତ୍ରଣକୁ ନେଇ ଦିଲ୍ଲୀ ସରକାର ଏବଂ ଏଲଜି (ଉପରାଜ୍ୟପାଳ)ଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ସଂକ୍ରାନ୍ତରେ ଆଜି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କୁ ବଡ଼ ବିଜୟ ମିଳିଛି। କୋର୍ଟ କହିଛନ୍ତି, ଜମି, ଆଇନ ଶୃଙ୍ଖଳା ଏବଂ ପୁଲିସ ସେବାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୫ ଜଣିଆ ଖଣ୍ଡପୀଠ କହିଛନ୍ତି, ଦିଲ୍ଲୀ ବିଧାନସଭା ଏବଂ ନିର୍ବାଚିତ ସରକାରର ବ୍ୟବସ୍ଥାପିକା କ୍ଷମତାରେ ଏଲଜି ହସ୍ତକ୍ଷେପ କରିପାରିବେନି। କୋର୍ଟ କହିଛନ୍ତି, ଅନ୍ୟ ରାଜ୍ୟ ପରି ଦିଲ୍ଲୀରେ ବି ଶାସନ ଚାଲିବ। ଏଲ୍ଜି ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବେ। ଉଲ୍ଲେଖଯୋଗ୍ୟ ଯେ କ୍ଷମତାକୁ ନେଇ ବାରମ୍ବାର ଏଲ୍ଜି ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ବିବାଦ ହେବାପରେ ଦିଲ୍ଲୀ ସରକାର ନିଜ କ୍ଷମତା ସଂକ୍ରାନ୍ତରେ ସ୍ପଷ୍ଟ ହେବାପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।




