ସୁପ୍ରିମକୋର୍ଟରେ ଏକନାଥ ସିନ୍ଦେ- ବିଜେପି ସରକାରକୁ ବଡ଼ ଆଶ୍ବସ୍ତି
କୋର୍ଟ କହିଲେ, ଉଦ୍ଧବ ଆସ୍ଥା ଭୋଟ୍ ସାମ୍ନା ନକରି ଇସ୍ତଫା ଦେଇଛନ୍ତି, କୌଣସି ଆଶ୍ବସ୍ତି ଦେଇପାରିବୁନି
ନୂଆଦିଲ୍ଲୀ : ୨୦୨୨ ମହାରାଷ୍ଟ୍ର ରାଜନୈତିକ ସଙ୍କଟ ସଂକ୍ରାନ୍ତରେ ଆଜି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ରାୟ ଦେଇଛନ୍ତି। ମହାରାଷ୍ଟ୍ରରେ ଏକନାଥ ସିନ୍ଦେ- ବିଜେପି ସରକାରକୁ ବଡ଼ ଆଶ୍ବସ୍ତି ପ୍ରଦାନ କରି ସୁପ୍ରିମକୋର୍ଟ କହିଛନ୍ତି, ପୁନର୍ବାର ଉଦ୍ଧବ ସରକାର କ୍ଷମତାକୁ ଫେରିବାପାଇଁ ଆମେ କୌଣସି ନିର୍ଦ୍ଦେଶ ଦେଇପାରିବୁନି। ମହାରାଷ୍ଟ୍ରରେ ସିନ୍ଦେ ସରକାର ରହିବ। ଉଦ୍ଧବ ଠାକ୍ରେ ଆସ୍ଥା ଭୋଟ୍ ସାମ୍ନା ନକରି ଇସ୍ତଫା ଦେଇଛନ୍ତି, ତେଣୁ ତାଙ୍କୁ କୌଣସି ଆଶ୍ବସ୍ତି ପ୍ରଦାନ କରିହେବନି। ଯଦି ଉଦ୍ଧବ ଠାକ୍ରେ ଇସ୍ତଫା ନଦେଇ ଆସ୍ଥା ଭୋଟ୍ ସାମ୍ନା କରିଥାନ୍ତେ ତେବେ ତାଙ୍କୁ କୌଣସି ଆଶ୍ବସ୍ତି ପ୍ରଦାନ କରିହୋଇଥାନ୍ତା। ତେବେ ପୂର୍ବତନ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଆସ୍ଥା ଭୋଟ୍ ପାଇଁ ନିର୍ଦ୍ଦେଶ ଦେବା ନିଷ୍ପତ୍ତି ଭୁଲ୍ ଥିଲା ବୋଲି କୋର୍ଟ କହିଛନ୍ତି। କୋର୍ଟ ଆଜି ରାଜ୍ୟପାଳଙ୍କ ଉପରେ ବର୍ଷିଛନ୍ତି। କୋର୍ଟ କହିଛନ୍ତି, ଦଳ ମଧ୍ୟରେ ବିବାଦର ସମାଧାନ ପାଇଁ ଆସ୍ଥା ଭୋଟ୍କୁ ଏକ ମାଧ୍ୟମ ଭାବେ ବ୍ୟବହାର କରିହେବନି। ସେହିପରି ବାଚସ୍ପତି ଏକନାଥ ସିନ୍ଦେ ଗୋଷ୍ଠୀ ଦ୍ବାରା ସମର୍ଥିତ ପ୍ରାର୍ଥୀ ଭାରତ ଗୋଗୱାଲେଙ୍କୁ ଶିବସେନା ଦଳର ହ୍ବିପ୍ ନିଯୁକ୍ତ କରିବା ନିଷ୍ପତ୍ତିକୁ କୋର୍ଟ ବେଆଇନ କହିଛନ୍ତି। ତେବେ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ସଂକ୍ରାନ୍ତ ବାଚସ୍ପତିଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବୃହତ୍ତର ଖଣ୍ଡପୀଠକୁ ପଠାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏମ ଆର ଶାହ, କ୍ରୀଷ୍ଣା ମୁରାରି, ହିମା କୋହଲି ଏବଂ ପିଏସ୍ ନରସିଂହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ।




