ସୁଦାନରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ତ୍ବରାନ୍ବିତ
ନୂଆଦିଲ୍ଲୀ : ହିଂସା-ପ୍ରପୀଡ଼ିତ ସୁଦାନରେ ଫସିଥିବା ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ବାୟୁସେନାର ଦୁଇଟି ସି-୧୩୦ ବିମାନ ଓ ନୌସେନା ଜାହାଜ ଆଇଏନ୍ଏସ୍ ସୁମେଧା ପ୍ରସ୍ତୁତ ଅଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ କ୍ଷୀପ୍ର ଗିତରେ ଚାଲିଛି ବୋଲି ବହିର୍ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ରବିବାର କୁହାଯାଇଛି। ମନ୍ତ୍ରାଳୟ ଏକ ବିବୃତିରେ କହିଛି ଯେ, ସୁଦାନ ପରିସ୍ଥିତି ଉପରେ ଭାରତ ନଜର ରଖିଛି ଏବଂ ସେଠାରେ ଫସିଥିବା ପ୍ରାୟ ୪୦୦୦ […]
ନୂଆଦିଲ୍ଲୀ : ହିଂସା-ପ୍ରପୀଡ଼ିତ ସୁଦାନରେ ଫସିଥିବା ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ବାୟୁସେନାର ଦୁଇଟି ସି-୧୩୦ ବିମାନ ଓ ନୌସେନା ଜାହାଜ ଆଇଏନ୍ଏସ୍ ସୁମେଧା ପ୍ରସ୍ତୁତ ଅଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ କ୍ଷୀପ୍ର ଗିତରେ ଚାଲିଛି ବୋଲି ବହିର୍ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ରବିବାର କୁହାଯାଇଛି। ମନ୍ତ୍ରାଳୟ ଏକ ବିବୃତିରେ କହିଛି ଯେ, ସୁଦାନ ପରିସ୍ଥିତି ଉପରେ ଭାରତ ନଜର ରଖିଛି ଏବଂ ସେଠାରେ ଫସିଥିବା ପ୍ରାୟ ୪୦୦୦ ଭାରତୀୟଙ୍କୁ ନିରାପଦରେ ଉଦ୍ଧାର କରିବା ପାଇଁ ଉଦ୍ୟମ କରୁଛି। ୨ଟି ସି-୧୩୦ଜେ ବାୟୁସେନା ବିମାନ ବର୍ତ୍ତମାନ ଜେଦାହଠାରେ ପ୍ରସ୍ତୁତ ରହିଛି। ଏଥିସହ ଆଇଏନ୍ଏସ୍ ସୁମେଧା ମଧ୍ୟ ପୋର୍ଟ ସୁଦାନରେ ପହଞ୍ଚିସାରିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।
ବିଦେଶ ବ୍ୟାପାର ମନ୍ତ୍ରାଳୟ ଓ ସୁଦାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୁଦାନୀ କର୍ତ୍ତୃପକ୍ଷଙ୍କ ସମେତ ଜାତିସଂଘ, ସାଉଦି ଆରବ, ୟୁଏଇ, ଇଜିପ୍ଟ ଓ ଆମେରିକା ସହ ନିରନ୍ତର ଯୋଗାଯୋଗ ରଖାଯାଇଛି। ସୁଦାନରେ ସେନା ଓ ଅର୍ଦ୍ଧସାମରିକ ରାପିଡ୍ ସପର୍ଟ ଫୋର୍ସ (ଆର୍ଏସ୍ଏଫ୍) ମଧ୍ୟରେ କ୍ଷମତା ଦଖଲକୁ ନେଇ କିଛିଦିନ ହେଲା ଭୟଙ୍କର ଗୃହଯୁଦ୍ଧ ଚାଲିଛି। ଏକଚ୍ଛତ୍ରବାଦୀ ଶାସକ ଓମର ଅଲ୍-ବାସିରଙ୍କ ପତନର ଚାରିବର୍ଷ ପରେ ଏବଂ ସେନା ବିଦ୍ରୋହ ଦ୍ବାରା ସରକାର ପତନର ଦୁଇବର୍ଷ ପରେ ନୂଆ ନାଗରିକ ସରକାର ଗଠନ ପାଇଁ ସହମତି ପ୍ରକାଶ ପାଇ ନ ପାରିବାରୁ ଏପରି ହିଂସା ଦେଖାଦେଇଛି। ୧୦ ଦିନ ଧରି ସୁଦାନରେ ସଂଘର୍ଷ ଜାରି ରହିଥିବାବେଳେ ଏଥିଯୋଗୁଁ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି। ଜାତିସଂଘ ଶିଶୁ ସଂସ୍ଥା ଅନୁଯାୟୀ ସୂଦାନରେ ପ୍ରାୟ ୧୦ ଜଣ ଶିଶୁଙ୍କର ହିଂସା ଯୋଗୁଁ ମୃତ୍ୟୁ ହୋଇଛି ଏବଂ ୫୦ରୁ ଅଧିକ ଶିଶୁ ଅତି ଗୁରୁତର ଆହତ ହୋଇଛନ୍ତି।




