ସିକ୍କିମ ବନ୍ୟା ବିପର୍ଯ୍ୟୟ, ମୃତ୍ୟୁସଂଖ୍ୟା ୫୬କୁ ବୃଦ୍ଧି, ପଶ୍ଚିମବଙ୍ଗ, ବାଂଲାଦେଶରୁ ମିଳୁଛି ମର ଶରୀର
ନୂଆଦିଲ୍ଲୀ: ସିକ୍କିମରେ ଗତ ବୁଧବାର ହୋଇଥିବା ଭୟଙ୍କର ବନ୍ୟା ବିପର୍ଯ୍ୟୟ ଜନିତ ମୃତ୍ୟୁସଂଖ୍ୟା ୫୬ରେ ପହଞ୍ଚିଛି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। କିନ୍ତୁ ସ୍ଥଳଭାଗରେ ଉଦ୍ଧାର ଅପରେସନ୍ରେ ବାଧା ଉପୁଜିଥିବାରୁ ସେନା ଟିମ୍ ଏବେ ବିଭିନ୍ନ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ବ୍ୟବହାର କରିଛନ୍ତି। ଉତ୍ତର ସିକ୍କିମର ଦକ୍ଷିଣ ଲୋନାକ ଗ୍ଲାସିୟାଲ ହ୍ରଦ ଫାଟିବା ଯୋଗୁଁ ତିସ୍ତା ନଦୀ ଜଳସ୍ତର ଅଚାନକ ବୃଦ୍ଧି ପାଇଥିଲା। ଅଚାନକ ବନ୍ୟାରେ ୨୩ ଯବାନଙ୍କ ସମେତ […]
ନୂଆଦିଲ୍ଲୀ: ସିକ୍କିମରେ ଗତ ବୁଧବାର ହୋଇଥିବା ଭୟଙ୍କର ବନ୍ୟା ବିପର୍ଯ୍ୟୟ ଜନିତ ମୃତ୍ୟୁସଂଖ୍ୟା ୫୬ରେ ପହଞ୍ଚିଛି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। କିନ୍ତୁ ସ୍ଥଳଭାଗରେ ଉଦ୍ଧାର ଅପରେସନ୍ରେ ବାଧା ଉପୁଜିଥିବାରୁ ସେନା ଟିମ୍ ଏବେ ବିଭିନ୍ନ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ବ୍ୟବହାର କରିଛନ୍ତି। ଉତ୍ତର ସିକ୍କିମର ଦକ୍ଷିଣ ଲୋନାକ ଗ୍ଲାସିୟାଲ ହ୍ରଦ ଫାଟିବା ଯୋଗୁଁ ତିସ୍ତା ନଦୀ ଜଳସ୍ତର ଅଚାନକ ବୃଦ୍ଧି ପାଇଥିଲା। ଅଚାନକ ବନ୍ୟାରେ ୨୩ ଯବାନଙ୍କ ସମେତ ଶତାଧିକ ଲୋକ ନିଖୋଜ ହୋଇଯାଇଥିଲେ। ୩ ଦିନ ବିତିଯାଇଥିଲେ ବି ଯବାନଙ୍କ ସମେତ ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି। ଆହୁରି ୧୦୦ ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି। ତେଣୁ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବା ଆଶଙ୍କା କରାଯାଉଛି। ତିସ୍ତା ନଦୀରେ ଭାସିଯାଇଥିବା ଅନେକ ଲୋକଙ୍କ ମର ଶରୀର ଏବେ ପଡ଼ୋଶୀ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ନଦୀର ତଳିଆ ଅଞ୍ଚଳରୁ ମିଳୁଛି। ପଶ୍ଚିମବଙ୍ଗର ଜଲପାଇଗୁଡ଼ି, କୁଚ ବିହାର, ସିଲିଗୁଡ଼ି ଏବଂ ବାଂଲାଦେଶର ଗଳିବନ୍ଧରୁ ଅନେକ ମର ଶରୀର ମିଳିଥିବା ଜଣାପଡ଼ିଛି। ସିକ୍କିମରୁ ୨୬ ଜଣଙ୍କ ମର ଶରୀର ମିଳିଥିବାବେଳେ ପଶ୍ଚିମବଙ୍ଗ ଏବଂ ଜଲପାଇଗୁଡ଼ିରୁ ୩୦ ଶବ ମିଳିଛି।
ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାସ୍ତାଘାଟ, ପୋଲ ଏବଂ ଟେଲିଫୋନ୍ ଖୁଣ୍ଟ ଗୁଡ଼ିକ ଭାଙ୍ଗିଯାଇଛି। ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ପ୍ରାୟ ୮ ହଜାର ଲୋକ ଅସ୍ଥାୟୀ ରିଲିଫ୍ ଶିବିରରେ ରହିଛନ୍ତି। ବନ୍ୟା ଯୋଗୁଁ ରାଜ୍ୟରେ ୧୩ଟି ପୋଲ ଭୁଶୁଡ଼ି ପଡ଼ିଛି। ମଙ୍ଗନ ଜିଲ୍ଲାରେ ୮ଟି ପୋଲ ଭାସି ଯାଇଥିବାବେଳେ ୩ଟି ପୋଲ ଗ୍ୟାଙ୍ଗଟକ୍ରେ ଏବଂ ନାମ୍ଚିରେ ୨ଟି ପୋଲ କ୍ଷତିଗ୍ରସ୍ତ ହୋଇଛି। ଲାଚେନ, ଲାଚୁଙ୍ଗ ଏବଂ ଚୁଙ୍ଗଥାଙ୍ଗରୁ ଏଯାବତ ୧୪୭୧ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଗଲାଣି। ବିପର୍ଯ୍ୟୟ ଯୋଗୁଁ ୨୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟର ବିଭିନ୍ନ ଅଂଶରେ ଆହୁରି ଅନେକ ପର୍ଯ୍ୟଟକ ଫସି ରହିଛନ୍ତି। ପ୍ରାୟ ୩ ହଜାର ପର୍ଯ୍ୟଟକ ଉତ୍ତର ସିକ୍କିମରେ ଫସିଛନ୍ତି। ବାୟୁସେନା ଦ୍ବାରା ସେମାନଙ୍କୁ ଉଦ୍ଧାର ଉଦ୍ୟମ ଜାରି ରହିଥିଲେ ବି ସେମାନଙ୍କୁ ଉଦ୍ଧାର କରାଯାଇପାରିନି।




