ମହାରାଷ୍ଟ୍ର ସରକାରୀ ହସ୍ପିଟାଲରେ ୨୪ ଘଣ୍ଟାରେ ୨୪ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ନାଣ୍ଡେଡ଼ ଜିଲ୍ଲା ସରକାରୀ ହସ୍ପିଟାଲ୍‌ରେ ୨୪ ଘଣ୍ଟା ମଧ୍ୟରେ ୨୪ ରୋଗୀଙ୍କର ମୃତ୍ୟୁ ହୋଇଯାଇଛି। ୨୪ ମୃତକଙ୍କ ମଧ୍ୟରେ ୧୨ ଜଣ ନବଜାତ ଶିଶୁ ଅଛନ୍ତି। ନାଣ୍ଡେଡ଼ର ଶଙ୍କରରାଓ ଚୌହାନ ସରକାରୀ ମେଡିକାଲ କ‌ଲେଜ ଏବଂ ହସ୍ପିଟାଲରେ ଏହି ଅଭାବନୀୟ ଘଟଣା ଘଟିଛି। ଔଷଧ ଅଭାବରୁ ଏତେ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆହୁରି ୭୦ ରୋଗୀ ଅତି ଗୁରୁତର ଅଛନ୍ତି ଏବଂ ଜୀବନ ସହ ସଂଘର୍ଷ କରୁଛନ୍ତି। ହସ୍ପିଟାଲ ସୁପରିନଟେଣ୍ଡେଣ୍ଟ୍‌ ମଧ୍ୟ ୨୪ […]

Samaya Live Picture
Published On

ମୁମ୍ବାଇ: ମହାରାଷ୍ଟ୍ରର ନାଣ୍ଡେଡ଼ ଜିଲ୍ଲା ସରକାରୀ ହସ୍ପିଟାଲ୍‌ରେ ୨୪ ଘଣ୍ଟା ମଧ୍ୟରେ ୨୪ ରୋଗୀଙ୍କର ମୃତ୍ୟୁ ହୋଇଯାଇଛି। ୨୪ ମୃତକଙ୍କ ମଧ୍ୟରେ ୧୨ ଜଣ ନବଜାତ ଶିଶୁ ଅଛନ୍ତି। ନାଣ୍ଡେଡ଼ର ଶଙ୍କରରାଓ ଚୌହାନ ସରକାରୀ ମେଡିକାଲ କ‌ଲେଜ ଏବଂ ହସ୍ପିଟାଲରେ ଏହି ଅଭାବନୀୟ ଘଟଣା ଘଟିଛି। ଔଷଧ ଅଭାବରୁ ଏତେ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆହୁରି ୭୦ ରୋଗୀ ଅତି ଗୁରୁତର ଅଛନ୍ତି ଏବଂ ଜୀବନ ସହ ସଂଘର୍ଷ କରୁଛନ୍ତି। ହସ୍ପିଟାଲ ସୁପରିନଟେଣ୍ଡେଣ୍ଟ୍‌ ମଧ୍ୟ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସ୍ପଷ୍ଟ କରିଛନ୍ତି। ତେବେ ୧୨ ମୃତ ଶିଶୁଙ୍କ ମଧ୍ୟରେ ୬ ଜଣ ପୁଅ ଏବଂ ୬ ଝିଅ ଅଛନ୍ତି। ୮ ଶିଶୁଙ୍କ ବୟସ ୩ ବର୍ଷ ମଧ୍ୟରେ। ଅନ୍ୟପକ୍ଷେ ଅନ୍ୟ ୪ ଜଣଙ୍କୁ ଅତି ଗୁରୁତର ଅବସ୍ଥାରେ ପଡ଼ୋଶୀ ଜିଲ୍ଲାର ବିଭିନ୍ନ ଘରୋଇ ହସ୍ପିଟାଲରୁ ଏଠାକୁ ସ୍ଥା‌ନାନ୍ତର କରାଯାଇଥିଲା ବୋଲି ସେ କହିଛନ୍ତି। ଅନ୍ୟ ୧୨ ଜଣଙ୍କର ବିଭିନ୍ନ ରୋଗରେ ମୃତ୍ୟୁ ହୋଇଛି।
ସୁପରିନଟେଣ୍ଡେଣ୍ଟ୍‌ କହିଛନ୍ତି, ୭୦-୮୦ କିମି ମଧ୍ୟରେ ଏହା ଗୋଟିଏ ମାତ୍ର ହସ୍ପିଟାଲ୍‌। ତେଣୁ ଏଠାକୁ ଅନେକ ଦୂର ଦୂରାନ୍ତରୁ ରୋଗୀ ଆସନ୍ତି। କିଛି ଦିନରେ ଅତ୍ୟଧିକ ରୋଗୀ ଆସିଥାଆନ୍ତି । ହସ୍ପିଟାଲର କିଛି କର୍ମଚାରୀଙ୍କର ବଦଳି ହୋଇଥିବାରୁ ସମସ୍ୟା ଉପୁଜିଛି। କିନ୍ତୁ ଏହା ସ୍ବାସ୍ଥ୍ୟ ସେବା ଉପରେ କିଛି ପ୍ରଭାବ ପକାଇନି ବୋଲି ସେ କହିଛନ୍ତି। ‌ ତେବେ ଔଷଧ କ୍ରୟକୁ ନେଇ ସମସ୍ୟା ଉପୁଜିଥିବା ସେ କହିଛନ୍ତି। ମହାରାଷ୍ଟ୍ର ମେଡିକାଲ ଶିକ୍ଷା ଏବଂ ଗବଷେଣା ନିର୍ଦ୍ଦେଶକ କହିଛନ୍ତି, ଏହି ଘଟଣାର ତଦନ୍ତ ପାଇଁ ଏକ ୩ ଜଣିଆ କମିଟି ଗଠନ ହୋଇଛି। ଉକ୍ତ ଘଟଣାକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦୁର୍ଭାଗ୍ୟଜନକ କହିଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି, ହସ୍ପିଟାଲରେ ବାସ୍ତବ‌ରେ କ’ଣ ଘଟିଛି ସେନେଇ ଅଧିକ ଖବର ସଂଗ୍ରହ କରାଯିବ ଏବଂ ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ତେବେ ଦିନକରେ ହସ୍ପିଟାଲ୍‌ରେ ୨୪ ଜଣଙ୍କ ମୃତ୍ୟୁ ହୋଇଯିବାପରେ ମହାରାଷ୍ଟ୍ରରେ ବିରୋଧୀମାନେ ଏକନାଥ ସିନ୍ଦେ ସରକାର ଉପରେ ବର୍ଷିଛନ୍ତି। ବିରୋଧୀମାନେ କହିଛନ୍ତି, ବିଜେପି, ଏକନାଥ ସିନ୍ଦେ ସେନା ଏବଂ ଅଜିତ ପାୱାରଙ୍କ ଏନ୍‌ସିପି ମେଣ୍ଟକୁ ନେଇ ଗଠିତ ଟ୍ରିପଲ ଇଂଜିନ ସରକାର ଉକ୍ତ ଘଟଣା ପାଇଁ ଦାୟୀ। ବରିଷ୍ଠ କଂଗ୍ରେସ ନେତା ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଆଜି ହସ୍ପିଟାଲ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ମୋଟ୍‌ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ୭୦ ଜଣ ଏବେ ବି ଅତି ଗୁରୁତର ଅଛନ୍ତି। ହସ୍ପିଟାଲରେ ଚିକିତ୍ସା ସମସ୍ୟା ଏବଂ କର୍ମଚାରୀଙ୍କର ଅଭାବ ରହିଛି। ଅନେକ ନର୍ସଙ୍କୁ ବଦଳି କରାଯାଇଛି। ଅନେକ ମେସିନ୍‌ ବି କାମ କରୁନି। ହସ୍ପିଟାଲ୍‌ଟି ୫୦୦ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଏଠାରେ ୧୨୦୦ ରୋଗୀ ଭର୍ତ୍ତି ହୋଇଛନ୍ତି।

Tags: