ମଧ୍ୟପ୍ରଦେଶରେ ନାବାଳିକାଙ୍କୁ ଦୁଷ୍କର୍ମ, ଅର୍ଦ୍ଧନଗ୍ନ, ରକ୍ତାକ୍ତ ଅବସ୍ଥାରେ ସାହାଯ୍ୟ ପାଇଁ ୮ କିମି ରାସ୍ତା ଚାଲିଲେ
ଭୋପାଳ : ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଅତ୍ୟନ୍ତ ଅଭାବନୀୟ ଘଟଣାକ୍ରମରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରି ଅତ୍ୟନ୍ତ ଅମାନୁଷିକ ଭାବେ ଅର୍ଦ୍ଧନଗ୍ନ ଏବଂ ରକ୍ତାକ୍ତ ଅବସ୍ଥାରେ ରାସ୍ତା କଡ଼ରେ ଫୋପାଡ଼ି ଦିଆଯାଇଛି। ସହରର ଦାଣ୍ଡି ଆଶ୍ରମ ନିକଟରେ ନାବାଳିକାକୁ ଫୋପାଡ଼ି ଦିଆଯାଇଥିଲା। ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଛବି ଅନୁଯାୟୀ ନାବାଳିକା ଜଣଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ଏକ ଅଞ୍ଚଳରେ ଚାଲୁଥିବାବେଳେ ଜ ଜଣଙ୍କ ସହାୟତା ମାଗି ପ୍ରାୟ ୮ କିମି ଚାଲିଥିଲେ । କିନ୍ତୁ କେଉଁଠୁ […]
ଭୋପାଳ : ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଅତ୍ୟନ୍ତ ଅଭାବନୀୟ ଘଟଣାକ୍ରମରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରି ଅତ୍ୟନ୍ତ ଅମାନୁଷିକ ଭାବେ ଅର୍ଦ୍ଧନଗ୍ନ ଏବଂ ରକ୍ତାକ୍ତ ଅବସ୍ଥାରେ ରାସ୍ତା କଡ଼ରେ ଫୋପାଡ଼ି ଦିଆଯାଇଛି। ସହରର ଦାଣ୍ଡି ଆଶ୍ରମ ନିକଟରେ ନାବାଳିକାକୁ ଫୋପାଡ଼ି ଦିଆଯାଇଥିଲା। ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଛବି ଅନୁଯାୟୀ ନାବାଳିକା ଜଣଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ଏକ ଅଞ୍ଚଳରେ ଚାଲୁଥିବାବେଳେ ଜ ଜଣଙ୍କ ସହାୟତା ମାଗି ପ୍ରାୟ ୮ କିମି ଚାଲିଥିଲେ । କିନ୍ତୁ କେଉଁଠୁ ବି ସାହାଯ୍ୟ ମିଳିନଥିଲା। ନାବାଳିକାଙ୍କୁ ପରେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପରବର୍ତ୍ତୀ ସମୟରେ ତାଙ୍କୁ ଚିକିତ୍ସା ପାଇଁ ଇନ୍ଦୋର ପଠାଯାଇଛି। ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ ଦୋଷୀକୁ ଧରିବାପାଇଁ ଏସ୍ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ଗଠନ କରାଯାଇଛି। ମାମଲାରେ ଜଣେ ଅଟୋ ଡ୍ରାଇଭର ଗିରଫ ହୋଇଛି ଏବଂ ୩ ଜଣ ଅଟକ ରହିଛନ୍ତି। ନାବାଳିକାଙ୍କର ଏକ ଅସ୍ତ୍ରୋପଚାର କରାଯାଇଛି। ଏବେ ତାଙ୍କ ଅବସ୍ଥା ଗୁରୁତର ଅଛି। ନାବାଳିକାଙ୍କ ସହ କ’ଣ ଘଟିଛି ତାହା ସେ ଠିକ୍ରେ କହିପାରୁନି। କିନ୍ତୁ ନାବାଳିକା ଉତ୍ତରପ୍ରଦେଶର ପ୍ରୟାଗରାଜର ବୋଲି ଜଣାପଡ଼ିଛି। ନାବାଳିକା ଦୁଷ୍କର୍ମ ମାମଲାରେ ଏନ୍ସିପିସିଆର (ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିସନ୍) ଉଜ୍ଜୟିନୀ ପୁଲିସକୁ ନୋଟିସ କରିଛନ୍ତି। ଏନ୍ସିପିସିଆର ମୁଖପାତ୍ର ପ୍ରିୟଙ୍କ କାନୁନ୍ଗୋ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ, ନାବାଳିକା ଜଣଙ୍କ ଅନେକ ସମୟ ଧରି ସାହାଯ୍ୟ ମାଗିଥିଲେ ବି କେହି ତାକୁ ସାହାଯ୍ୟ କରିନଥିଲେ । ଉକ୍ତ ଘଟଣାକୁ ନେଇ ଉତ୍ତେଜନା ବଢ଼ିବାରୁ ମଧ୍ୟପ୍ରଦେଶ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି।




