ମଣିପୁର ହିଂସା, ସରକାର ଓ ପୁଲିସ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ହିଂସା ପ୍ରବଣ ମଣିପୁରରେ ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ମଣିପୁରରେ ଆଇନ ଶୃଙ୍ଖଳା ବୋଲି ଆଉ କିଛି ନାହିଁ। ମଣିପୁର ହିଂସା ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆଜି ସୁପ୍ରିମ୍କୋର୍ଟ ଏଭଳି ମତ ରଖିଛନ୍ତି। ଅତି ମନ୍ଥର ଏବଂ ନିଷ୍କ୍ରିୟ ତଦନ୍ତ ପ୍ରକ୍ରିୟାକୁ ନେଇ ମଧ୍ୟ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ, ହିଂସା […]
ନୂଆଦିଲ୍ଲୀ : ହିଂସା ପ୍ରବଣ ମଣିପୁରରେ ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ମଣିପୁରରେ ଆଇନ ଶୃଙ୍ଖଳା ବୋଲି ଆଉ କିଛି ନାହିଁ। ମଣିପୁର ହିଂସା ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆଜି ସୁପ୍ରିମ୍କୋର୍ଟ ଏଭଳି ମତ ରଖିଛନ୍ତି। ଅତି ମନ୍ଥର ଏବଂ ନିଷ୍କ୍ରିୟ ତଦନ୍ତ ପ୍ରକ୍ରିୟାକୁ ନେଇ ମଧ୍ୟ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ, ହିଂସା ଘଟଣାରେ ରୁଜୁ ହୋଇଥିବା ବିଭିନ୍ନ ଆବେଦନ ଉପରେ ଶୁଣାଣି କରି ମଣିପୁର ପୁଲିସର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଖଣ୍ଡପୀଠ କହିଛନ୍ତି, ରାଜ୍ୟ ପୁଲିସ ଉକ୍ତ ମାମଲାର ତଦନ୍ତ ପାଇଁ ଅସମର୍ଥ ଥିବା ଭଳି ମନେ ହେଉଛି। ଯଦି ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ନାଗରିକଙ୍କୁ ସୁରକ୍ଷା ଦେଇପାରିବନି ତେବେ ଲୋକମାନେ ସୁରକ୍ଷା ପାଇଁ କେଉଁଠିକୁ ଯିବେ ? ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ପାଇଁ କୋର୍ଟ ମଣିପୁର ପୁଲିସକୁ ସମାଲୋଚନା କରିଛନ୍ତି। ରାଜ୍ୟ ପୁଲିସ ତଦନ୍ତ ପାଇଁ ସମର୍ଥ ନୁହନ୍ତି ବୋଲି କୋର୍ଟ କହିଛନ୍ତି। ଶୁଣାଣି ସମୟରେ କୋର୍ଟ ମଧ୍ୟ ମଣିପୁର ଡିଜିପି ରାଜୀବ ସିଂହଙ୍କୁ ସମନ କରିଛନ୍ତି। ଆସନ୍ତା ଅଗଷ୍ଟ ୭ ତାରିଖରେ ଉକ୍ତ ମାମଲାରେ ପରବର୍ତ୍ତୀ ଶୁଣାଣି ସମୟରେ ଡିଜିପି ରାଜୀବ ସିଂହ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମଣିପୁରରେ ଘଟିଥିବା ଅତି ଜଘନ୍ୟ ଅପରାଧର ତଦନ୍ତ ଏତେ ମନ୍ଥର କାହିଁକି ବୋଲି ଖଣ୍ଡପୀଠ ଡିଜିପିଙ୍କଠାରୁ ଜାଣିବେ। କେଉଁ ଅପରାଧ ପାଇଁ କେତୋଟି ଏତଲା ରୁଜୁ ହୋଇଛି ତାର ବିସ୍ତୃତ ତଥ୍ୟ ଡିଜିପି ରଖିବାପାଇଁ କୁହାଯାଇଛି। ଏହାପରେ କୋର୍ଟ ପରବର୍ତ୍ତୀ ନିଷ୍ପତ୍ତି ନେବେ।
ଆଜି ଶୁଣାଣି ଆରମ୍ଭ ସମୟରେ ମଣିପୁର ସରକାର ଖଣ୍ଡପୀଠଙ୍କୁ ଅବଗତ କରିଥିଲେ ଯେ ମେ’ରେ ମଣିପୁରରେ ହିଂସା ହେବା ପରଠାରୁ ମୋଟ୍ ୬,୫୨୩ ଏତଲା ରୁଜୁ ହୋଇଛି। ୨୫୨ ଜଣ ଗିରଫ ହୋଇଛନ୍ତି। କେନ୍ଦ୍ର ଓ ମଣିପୁର ସରକାରଙ୍କ ପକ୍ଷରୁ ଆଜି ସଲିସିଟର ଜେନେରାଲ ତୁଷାର ମେହଟା କୋର୍ଟରେ ହାଜର ହୋଇ ତଥ୍ୟ ରଖିଥିଲେ। ମେହଟା କହିଥିଲେ ଉକ୍ତ ଏତଲା ମଧ୍ୟରୁ ମହିଳା ଏବଂ ଶିଶୁଙ୍କ ବିରୋଧରେ ଅପରାଧ ପାଇଁ ୧୧ଟି ଏତଲା ରୁଜୁ ହୋଇଛି। ଏହି ସମସ୍ତ ୧୧ଟି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯିବ । ଭିଡିଓ ଭାଇରାଲ୍ ଘଟଣାରେ ଜଣେ ନାବାଳକଙ୍କ ସମେତ ୭ ଜଣ ଗିରଫ ହୋଇଛନ୍ତି ବୋଲି ମେହଟା କହିଥିଲେ।




