ଭୀଷଣ ରୂପ ନେଉଛି ବାତ୍ୟା ବିପର୍ଯ୍ୟୟ, ୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଆସନ୍ତା ଗୁରୁବାର ଦିନ ସ୍ଥଳଭାଗ ଛୁଇଁବ। ଗୁଜରାଟର କଚ୍ଛ ଏବଂ ପାକିସ୍ତାନର କରାଚି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଗୁଜରାଟର ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସୌରାଷ୍ଟ୍ର ଏବଂ କଚ୍ଛରେ ବୁଧବାର ପର୍ଯ୍ୟନ୍ତ ସମୁଦ୍ର ସାମାନ୍ୟ ଅଶାନ୍ତ ରହିବ ଏବଂ ଗୁରୁବାର ଦିନ ଅତି ଉଚ୍ଚ […]

Samaya Live Picture
Published On

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଆସନ୍ତା ଗୁରୁବାର ଦିନ ସ୍ଥଳଭାଗ ଛୁଇଁବ। ଗୁଜରାଟର କଚ୍ଛ ଏବଂ ପାକିସ୍ତାନର କରାଚି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଗୁଜରାଟର ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସୌରାଷ୍ଟ୍ର ଏବଂ କଚ୍ଛରେ ବୁଧବାର ପର୍ଯ୍ୟନ୍ତ ସମୁଦ୍ର ସାମାନ୍ୟ ଅଶାନ୍ତ ରହିବ ଏବଂ ଗୁରୁବାର ଦିନ ଅତି ଉଚ୍ଚ ଜୁଆର ସହ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ। ବାତ୍ୟା ଯୋଗୁଁ କଚ୍ଛ, ଜାମନଗର, ମୋର୍ବି, ଗିର, ସୋମନାଥ, ପୋରବନ୍ଦର ଏବଂ ଦେବଭୂମି ଦ୍ବାରକା ପ୍ରଭାବିତ ହେବ। ଜୁନ୍‌ ୧୩-୧୫ ବେଳକୁ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଘଣ୍ଟାପ୍ରତି ୧୫୦ କିମି ବେଗରେ ପବନ ବହିନ ବୋଲି ପାଣିପାଗ ବିଭାଗ ଆକଳନ କରିଛି। କଚ୍ଛରେ ଅଧିକାରୀମାନେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥି‌ଲେ। କିଭଳି ବାତ୍ୟାର ମୁକାବିଲା କରାଯିବ ଏବଂ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଉପରେ ବୈଠକରେ ଆଲୋଚନା ହୋଇଛି। ଗୁଜରାଟ ଏବଂ ଦକ୍ଷିଣ ରାଜସ୍ଥାନରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି। ଗୁଜରାଟର ପ୍ରଭାବିତ ଅଞ୍ଚଳକୁ କେନ୍ଦ୍ର ସରକାର ୫ କେନ୍ଦ୍ର ମନ୍ତ୍ରୀଙ୍କୁ ପଠାଇଛନ୍ତି।
ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ବିପର୍ଯ୍ୟୟ ଘଣ୍ଟା‌ ପ୍ରତି ୫ କିମି ବେଗରେ ଉତ୍ତର ଦିଗରେ ଗତି କରିବା ଆରମ୍ଭ କରିଛି। ଜୁନ୍‌ ୧୪ ପରେ ଏହା ଦିଗ ବଦଳାଇବ। ଅତି ଭୀଷଣ ବାତ୍ୟାର ରୂପ ନେଇ ଏହା ସୌରାଷ୍ଟ୍ର, କଚ୍ଛ ଓ ପାକିସ୍ତାନରେ ୧୫ ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ। ଗୁଜରାଟ, କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଲାକ୍ଷାଦ୍ବୀପରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାପାଇଁ ବାରଣ କରାଯାଇଛି।

Tags: