ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି 9ଟି ଅତିରିକ୍ତ ପଦକ୍ଷେପ ଘୋଷଣା
ଭୁବନେଶ୍ୱର:ମେ ୨୨:“ଯେତେବେଳ ଚତୁର୍ଦ୍ଦିଗ ଅନ୍ଧକାର ଥାଏ ଏବଂ ମାନବତାର କାରଣ ଲୋପ ପାଇ ଚାଲିଥାଏ ସେହି ସମୟରେ ବିଶ୍ଵାସର ଆଲୋକ ଉଜ୍ଵଳ ହୋଇଥାଏ ଏବଂ ଆମକୁ ଉଦ୍ଧାର କରିବା ଲାଗି ଆଗେଇ ଆସିଥାଏ” କୋଭିଡ-19 ମହାମାରୀ କାରଣରୁ ଦେଖାଦେଇଥିବା ସଙ୍କଟପୂର୍ଣ୍ଣ ଓ ଅନିଶ୍ଚିତ ସମୟରେ ଆର୍ଥିକ ପ୍ରବାହକୁ ସୁଗମ କରିବା ତଥା ଆର୍ଥିକ ସ୍ଥିରତା ସଂରକ୍ଷିତ କରିବା ଉଦ୍ଦେଶ୍ୟରେ ଆହୁରି 9ଟି ଆର୍ଥିକ ପ୍ୟାକେଜ ଘୋଷଣା କରିବା ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ […]
ଭୁବନେଶ୍ୱର:ମେ ୨୨:“ଯେତେବେଳ ଚତୁର୍ଦ୍ଦିଗ ଅନ୍ଧକାର ଥାଏ ଏବଂ ମାନବତାର କାରଣ ଲୋପ ପାଇ ଚାଲିଥାଏ ସେହି ସମୟରେ ବିଶ୍ଵାସର ଆଲୋକ ଉଜ୍ଵଳ ହୋଇଥାଏ ଏବଂ ଆମକୁ ଉଦ୍ଧାର କରିବା ଲାଗି ଆଗେଇ ଆସିଥାଏ”
କୋଭିଡ-19 ମହାମାରୀ କାରଣରୁ ଦେଖାଦେଇଥିବା ସଙ୍କଟପୂର୍ଣ୍ଣ ଓ ଅନିଶ୍ଚିତ ସମୟରେ ଆର୍ଥିକ ପ୍ରବାହକୁ ସୁଗମ କରିବା ତଥା ଆର୍ଥିକ ସ୍ଥିରତା ସଂରକ୍ଷିତ କରିବା ଉଦ୍ଦେଶ୍ୟରେ ଆହୁରି 9ଟି ଆର୍ଥିକ ପ୍ୟାକେଜ ଘୋଷଣା କରିବା ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ 1929ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧୃତ କରି ଆଶା ଓ ପ୍ରେରଣା ଲାଭ କରିବାର ପ୍ରୟାସ କରିଛନ୍ତି। ପୂର୍ବରୁ ଏପ୍ରିଲ 17 ଏବଂ ମାର୍ଚ୍ଚ 27 ତାରିଖରେ ଆରବିଆଇ ପକ୍ଷରୁ କେତେକ ରିହାତି ପଦକ୍ଷେପ ଘୋଷଣା କରାଯାଇଥିଲା।
ଅନଲାଇନ ଉଦବୋଧନରେ ଆରବିଆଇ ଗଭର୍ଣ୍ଣର କହିଥିଲେ ଯେ ସବୁପ୍ରକାରର ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ଲାଗି ଭାରତର ସହନଶୀଳତା ଏବଂ ସାମର୍ଥ୍ୟ ପ୍ରତି ଆମର ବିଶ୍ଵାସ ରହିବା ଉଚିତ। ଅର୍ଥବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଆଗେଇ ଆସି ଅଗ୍ରଣୀ ଭୂମିକା ନିର୍ବାହ କରିବା ବର୍ତ୍ତମାନ ପରିସ୍ଥିତିର ଆହ୍ଵାନ।
ରେପୋରେଟ 40 ବେସିସ ପଏଣ୍ଟ ହ୍ରାସ
ମୁଦ୍ରାସ୍ଫିତିକୁ ନିୟନ୍ତ୍ରିତ ରଖିବା ସହିତ କୋଭିଡ-19ର ପ୍ରଭାବକୁ ମୁକାବିଲା କରି ଅଭିବୃଦ୍ଧି ହାସଲ କରିବା ନିମନ୍ତେ ଗଭର୍ଣ୍ଣର ପ୍ରମୁଖ ନୀତିଗତ ଦରରେ ହ୍ରାସ ଘୋଷଣା କରିଥିଲେ। ରେପୋରେଟ 4.4 ପ୍ରତିଶତରୁ 40 ବେସିସ ପଏଣ୍ଟ ହ୍ରାସ କରାଯାଇ 4.0 ପ୍ରତିଶତ ରଖିବାକୁ ଘୋଷଣା କରାଯାଇଛି। ସେହିପରି ବ୍ୟାଙ୍କଗୁଡ଼ିକର ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି ଦରକୁ 4.65% ରୁ 4.25%କୁ ହ୍ରାସ କରାଯାଇଥିଲା। ରିଭର୍ସ ରେପୋରେଟକୁ 3.75% ରୁ 3.35%କୁ ହ୍ରାସ କରାଯାଇଥିବା ଗଭର୍ଣ୍ଣର ଘୋଷଣା କରିଥିଲେ।
ଆର୍ଥିକ ପରିସ୍ଥିତକୁ ଆହୁରି କୋହଳ କରିବା ଲାଗି ମୁଦ୍ରା ନୀତି ସମୀକ୍ଷା ସମିତି ଏହି ଜରୁରି ନିଷ୍ପତ୍ତି ନେଇଥିବା ଗଭର୍ଣ୍ଣର କକହିଥିଲେ। ଏହା ସୁଲଭ ଦରରେ ପାଣ୍ଠି ପ୍ରବାହକୁ ସୁନିଶ୍ଚିତ କରିବ ଏବଂ ନିବେଶର ସୁଯୋଗ ବୃଦ୍ଧି କରିବ ବୋଲି ମଧ୍ୟ ସେ କହିଥିଲେ।
ଶ୍ରୀ ଦାସ ଆହୁରି କେତେକ ନିୟାମକ ଏବଂ ବିକାଶମୂଳକ ପଦକ୍ଷେପ ଘୋଷଣା କରିଥିଲେ। ଏଗୁଡ଼ିକ ନୀତିଗତ ଦରକୁ ହ୍ରାସ କରିବା ସହିତ ପରସ୍ପରକୁ ଆହୁରି ସହାୟକ ହେବ।
ସେ ଦୋହରାଇଥିଲେ ଯେ ଆଜି ଘୋଷଣା କରାଯାଇଥିବା ପଦକ୍ଷେପର ଲକ୍ଷ୍ୟ ହେଉଛି :
- ଆର୍ଥିକ ବଜାର ଏବଂ ଅର୍ଥବ୍ୟବସ୍ଥାକୁ ସୁଦୃଢ଼, ନମନୀୟ ଏବଂ ସୁଗମ ଭାବେ ପରିଚାଳନା କରିବା
- ସମସ୍ତଙ୍କ ନିକଟରେ ଅର୍ଥ ଉପଲବ୍ଧ କରାଇବା ବିଶେଷ କରି ସେମାନଙ୍କୁ ଯେଉଁମାନେ ଆର୍ଥିକ ସ୍ଥିରତା ବଜାୟ ରଖିବା ଲାଗି ଆର୍ଥିକ ବଜାର ଠାରୁ ବାହାରେ ରହିଛନ୍ତି।
ବଜାର ପରିଚାଳନା ସୁଧାର ପାଇଁ ପଦକ୍ଷେପ
ଆହୁରି 90 ଦିନ ପାଇଁ ଏସଆଇଡିବିଆଇଗୁଡ଼ଇକୁ ପୁନଃପାଣ୍ଠି ଯୋଗାଣ ସୁବିଧା
କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ସୁଲଭ ଦରରେ ଅଧିକ ପାଣ୍ଠି ଯୋଗାଣ ଉଦ୍ଦେଶ୍ୟରେ ଏପ୍ରିଲ 17, 2020ରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପଲିସି ରେପୋରେଟରେ 90 ଦିନ ପର୍ଯ୍ୟନ୍ତ 15 ହଜାର କୋଟି ଟଙ୍କାର ପୁନଃପାଣ୍ଠିଯୋଗାଣ ସୁବିଧା ଦିଆଯାଇଥିଲା। ଏହି ସୁବିଧାକୁ ବର୍ତ୍ତମାନ ଆହୁରି 90 ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।
ସ୍ଵେଚ୍ଛାକୃତ ଧାରଣ ମାର୍ଗରେ ବିଦେଶୀ ପୋର୍ଟଫୋଲିଓ ନିବେଶ ପାଇଁ ନିୟମ କୋହଳ
ପ୍ରଚଳିତ ନିୟମ ଅନୁଯାୟୀ ତିନି ମାସ ମଧ୍ୟରେ ଆବଣ୍ଟିତ ନିବେଶ ସୀମାର ଅତିକମରେ 75 ପ୍ରତିଶତ ନିବେଶ ତିନି ମାସ ଭିତରେ କରାଯିବା ଆବଶ୍ୟକ; ନିବେଶକ ଏବଂ ସେମାନଙ୍କର ସଂରକ୍ଷକମାନଙ୍କ ସମ୍ମୁଖରେ ଦେଖାଦେଇଥିବା ଜଟିଳତାକୁ ଦେଖି ଏବେ ଏହି ସୀମାକୁ ସଂଶୋଧିତ କରି 6 ମାସ କରି ଦିଆଯାଇଛି।
ରପ୍ତାନି ଓ ଆମଦାନୀରେ ସହଯୋଗ କରିବା ଲାଗି ପଦକ୍ଷେପ
ରପ୍ତାନିକାରୀ ଏବେ ଅଧିକ ଅବଧି ଲାଗି ବ୍ୟାଙ୍କରୁ ଋଣ ନେବାର ଲାଭ ଉଠାଇପାରିବେ।
ବ୍ୟାଙ୍କଗୁଡ଼ିକ ଦ୍ଵାରା ରପ୍ତାନିକାରୀଙ୍କ ଲାଗି ମଞ୍ଜୁର ଶିପମେଣ୍ଟ ପୂର୍ବ ଏବଂ ଶିପମେଣ୍ଟ ପରବର୍ତ୍ତୀ ରପ୍ତାନି ଋଣର ସର୍ବାଧିକ ସ୍ଵୀକାର୍ଯ୍ୟ ଅବଧିକୁ 31 ଜୁଲାଇ, 2020 ପର୍ଯ୍ୟନ୍ତ ବିତରଣ ଲାଗି ବର୍ତ୍ତମାନର 1 ବର୍ଷର ଅବଧିକୁ ବଢ଼ାଇ 15 ମାସ କରି ଦିଆଯାଇଛି।
ଏକ୍ଜିମ ବ୍ୟାଙ୍କ ଲାଗି ଋଣ ସୁବିଧା
ଆରବିଆଇ ଗଭର୍ଣ୍ଣର ଭାରତର ବିଶେୀ ବ୍ୟବସାୟ ଅର୍ଥ ଲଗାଣ, ଏହାକୁ ସୁବିଧାଜନକ କରିବା ଏବଂ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏକ୍ଜିମ ବ୍ୟାଙ୍କ ଲାଗି ପନ୍ଦର ହଜାର କୋଟି ଟଙ୍କାର ଲାଇନ ଅଫ କ୍ରେଡିଟ (ଋଣ) ଘୋଷଣା କରିଥିଲେ। ଋଣ ସୁବିଧା 90 ଦିନ ଅବଧି ଲାଗି ଦିଆଯାଇଛି, ଯାହାକୁ ଗୋଟିଏ ବର୍ଷ ବଢ଼ାଇବାର ବ୍ୟବସ୍ଥା ମଧ୍ୟ ରହିଛି। ଏକ୍ଜିମ ବ୍ୟାଙ୍କକୁ ବିଦେଶୀ ମୁଦ୍ରା ସମ୍ବଳ ସମ୍ବନ୍ଧୀୟ ଆବଶ୍ୟକତା ପୂରଣ କରିବା, ବିଶେଷ କରି ଆମେରିକୀୟ ଡଲାର ଅଦଳବଦଳ (ସ୍ଵାପ) ସୁବିଧାର ଲାଭ ଉଠାଇବାରେ ସକ୍ଷମ କରିବା ଲାଗି ଋଣ ଦିଆଯାଉଛି।
ଆମଦାନୀକାରୀଙ୍କୁ ଆମଦାନୀ ନିମନ୍ତେ ପରିଶୋଧ କରିବାର ଅଧିକ ସମୟ
ଭାରତରେ ସାଧାରଣ ଆମଦାନୀ (ଅର୍ଥାତ ସୁନା/ହୀରା ଏବଂ ମୂଲ୍ୟବାନ ପଥର/ଅଳଙ୍କାର ଆମଦାନୀକୁ ଛାଡ଼ି)ର ପରିଶୋଧ ସମୟ ଅବଧିକୁ ଶିପମେଣ୍ଟ ତାରିଖଠାରୁ 6 ମାସରୁ ବଢ଼ାଇ 12 ମାସ କରି ଦିଆଯାଇଛି। ଏହା 31 ଜୁଲାଇ, 2020ରୁ କିମ୍ବା ଏଥିପୂର୍ବରୁ କରାଯାଇଥିବା ଆମଦାନୀ ନିମନ୍ତେ ଲାଗୁ ହେବ।
ଆର୍ଥିକ ସଙ୍କଟ କମ କରିବାର ଉପାୟ
ତିନି ମାସର ଅତିରିକ୍ତ ମହଲତ
ଆରବିଆଇ ପୂର୍ବରୁ ଘୋଷିତ କେତେକ ନିୟାମକ ଉପାୟକୁ 31 ଅଗଷ୍ଟ, 2020 ପର୍ଯ୍ୟନ୍ତ ବଢ଼ାଇ ଦେଇଛି। ଅର୍ଥାତ ଏବେ ତିନି ମାସ ବଦଳରେ 6 ମାସ ପାଇଁ ବିଭିନ୍ନ ନିୟମରେ କୋହଳ ସୁବିଧା ମିଳିବ। ଋଣ କିସ୍ତି ଆଦାୟରେ ତିନି ମାସର ମହଲତ, କାର୍ଯ୍ୟଶୀଳ ପୁଞ୍ଜି ସୁବିଧାର ସୁଧ ଦରରେ ତିନି ମାସ ସ୍ଥଗିତ ରଖିବାକୁ ମହଲତ, ମାର୍ଜିନ କମ କରିବା ଲାଗି କାର୍ଯ୍ୟଶୀଳ ପୁଞ୍ଜି ଚକ୍ରକୁ ପୁଣିଥରେ ଆକଳନ କରି କାର୍ଯ୍ୟଶୀଳ ପୁଞ୍ଜି ଅର୍ଥ ଲଗାଣ ସମ୍ବନ୍ଧୀୟ ଆବଶ୍ୟକତାକୁ ସୁଗମ କରିବା, ପର୍ଯ୍ୟବେକ୍ଷଣ ରିପୋର୍ଟିଂ ଓ କ୍ରେଡିଟ ସୂଚନା କମ୍ପାନୀକୁ ରିପୋର୍ଟରେ ଡିଫଲ୍ଟର ରୂପରେ ବର୍ଗୀକୃତ ହେବାରୁ ଛାଡ଼ ଦେବା, ଫସି ରହିଥିବା ଋଣ ଲାଗି ସମାଧାନ ସମୟ ସୀମାର ସମ୍ପ୍ରସାରଣ ଏବଂ ଋଣ ସଂସ୍ଥାନଗୁଡ଼ିକ ଦ୍ଵାରା 3 ମାସର ମହଲତ ଅବଧି ଇତ୍ୟାଦି। ଏଗୁଡ଼ିକୁ କୋହଳ କରାଯିବା ସହିତ ସମ୍ପତ୍ତି ବର୍ଗୀକରଣକୁ ସ୍ଥଗିତ ରଖାଯାଇଛି। ସେହିପରି କାର୍ଯ୍ୟଶୀଳ ପୁଞ୍ଜି ଚକ୍ର ପୁଣିଥରେ ଆକଳନ କରିବା ସମ୍ବନ୍ଧୀୟ ପଦକ୍ଷେପ ନିମନ୍ତେ ସମୟସୀମାକୁ ବଢ଼ାଇ 31 ମାର୍ଚ୍ଚ 2021 କରି ଦିଆଯାଇଛି।
କାର୍ଯ୍ୟଶୀଳ ପୁଞ୍ଜି ଉପରେ ସୁଧକୁ ସୁଧ ସଅବଧି ଋଣରେ ପରିବର୍ତ୍ତିତ କରିବାର ବ୍ୟବସ୍ଥା
ଋଣ ଦେଉଥିବା ସଂସ୍ଥାନକୁ 6 ମାସ (ଅର୍ଥାତ ମାର୍ଚ୍ଚ ପହିଲା, 2020 ଠାରୁ ନେଇ 31 ଅଗଷ୍ଟ, 2020 ପର୍ଯ୍ୟନ୍ତ) ମୋଟ ସ୍ଥଗନ ଅବଧି କାଳରେ କାର୍ଯ୍ୟଶୀଳ ପୁଞ୍ଜି ସୁବିଧା ଉପରେ ସଞ୍ଚିତ ସୁଧକୁ ଏକ ଅର୍ଥଲଗାଣ ସୁଧ ସଅବଧି ଋଣରେ ପରିବର୍ତ୍ତିତ କରିବାର ଅନୁମତି ଦିଆଯାଇଛି, ଯେଉଁ 31 ମାର୍ଚ୍ଚ 2021କୁ ସମାପ୍ତ ହେଉଥିବା ଚଳିତ ଆର୍ଥିକ ବର୍ଷରେ ସମ୍ପୂର୍ଣ୍ଣ ଭାବେ ସୁଝିବାକୁ ହେବ।
କମ୍ପାନୀଗୁଡ଼ିକୁ ଅର୍ଥ ଲଗାଣ ବଢ଼ାଇବା ଲାଗି ଗ୍ରୁପ ଏକ୍ସପୋଜର ଲିମିଟରେ ବୃଦ୍ଧି
ବ୍ୟାଙ୍କ ପକ୍ଷରୁ କୌଣସି ସ୍ଵତନ୍ତ୍ର କର୍ପୋରେଟ ସମୂହକୁ ଦିଆଯାଉଥିବା ସର୍ବାଧିକ ଋଣକୁ ଏହାର ଉପଯୁକ୍ତ ପୁଞ୍ଜି ଆଧାରରେ 25 ପ୍ରତିଶତରୁ ବଢ଼ାଇ 30 ପ୍ରତିଶତ କରି ଦିଆଯାଇଛି। ବର୍ତ୍ତମାନ କମ୍ପାନୀଗୁଡ଼ିକୁ ବ୍ୟାଙ୍କରୁ ଅର୍ଥ ଆଣିବାରେ ହେଉଥିବା ସମସ୍ୟାକୁ ଧ୍ୟାନରେ ରଖି କମ୍ପାନୀଗୁଡ଼ିକୁ ବ୍ୟାଙ୍କରୁ ନିଜ ଅର୍ଥପୋଷଣ ଆବଶ୍ୟକତାକୁ ପୂରଣ କରିବା ଲାଗି ସକ୍ଷମ କରିବା ନିମନ୍ତେ ଏପରି କରାଯାଇଛି। ବର୍ଦ୍ଧିତ ସୀମା 30 ଜୁନ, 2021 ପର୍ଯ୍ୟନ୍ତ ଲାଗୁ ରହିବ।
ରାଜ୍ୟ ସରକାରଙ୍କର ବର୍ତ୍ତମାନର ଆର୍ଥିକ ସଙ୍କଟକୁ କମ କରିବା ଲାଗି ପଦକ୍ଷେପ
ରାଜ୍ୟଗୁଡ଼ିକୁ କନ୍ସଲିଡେଟେଡ ସିକିଂ ଫଣ୍ଡରୁ ଅଧିକ ଋଣ ନେବାର ଅନୁମତି
କନସୋଲିଡେଟେଡ ସିକିଂ ଫଣ୍ଡକୁ ରାଜ୍ୟ ସରକାରଙ୍କ ଦ୍ବାରା ନିଜ ଦେୟତାର ପୁନଃପରିଶୋଧ ଲାଗି ଏକ ବଫର ରୂପରେ ଗଠନ କରାଯାଇଛି। ଏହି ପାଣ୍ଠିରୁ ଅର୍ଥ ଉଠାଣକୁ ନିୟନ୍ତ୍ରିତ କରୁଥିବା ନିୟମକୁ ଏବେ କୋହଳ କରାଯାଇଛି। ଫଳରେ ରାଜ୍ୟଗୁଡ଼ିକୁ 2020-21ରେ ପରିଶୋଧ କରିବାକୁ ଥିବା ନିଜର ବଜାର ଋଣ ପରିଶୋଧ କରିବାରେ ଏହା ସହାୟକ ହେବ । ଅର୍ଥ ଉଠାଣ ମାନଦଣ୍ଡରେ ପରିବର୍ତ୍ତନ ତତ୍କାଳ ପ୍ରଭାବରେ ଲାଗୁ ହେବ ଏବଂ 31 ମାର୍ଚ୍ଚ, 2021 ପର୍ଯ୍ୟନ୍ତ ଜାରି ରହିବ । ଆରବିଆଇ ଗଭର୍ଣ୍ଣର କହିଥିଲେ ଯେ ଏହି ପାଣ୍ଠିରେ ଉପଲବ୍ଧ ବଳକା ଅର୍ଥରାଶି ବିବେକପୂର୍ଣ୍ଣ ଢଙ୍ଗରେ ଉପଯୋଗ କରିବା ଉଦ୍ଦେଶ୍ୟରେ ନିୟମକୁ କୋହଳ କରାଯାଇଛି।
ଅର୍ଥବ୍ୟବସ୍ଥାର ଆକଳନ
ଆରବିଆଇ ଗଭର୍ଣ୍ଣର କହିଥିଲେ ଯେ ବିଶ୍ଵ ଅର୍ଥବ୍ୟବସ୍ଥା ଲଗାତାର ମାନ୍ଦାବସ୍ଥା ଆଡ଼କୁ ଗତି କରିଚାଲିଛି। ଦୁଇ ମାସର ଲକଡାଉନ କାରଣରୁ ଘରୋଇ ଅର୍ଥବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଶିଳ୍ପ ଉତ୍ପାଦନରେ ପାଖାପାଖି 60 ପ୍ରତିଶତ ଯୋଗଦାନ ଦେଉଥିବା ଶୀର୍ଷ 6ଟି ଶିଳ୍ପ ରାଜ୍ୟ ଅଧିକାଂଶତଃ ରେଡ କିମ୍ବା ଅରେଞ୍ଜ ଜୋନରେ ରହିଛନ୍ତି। ଚାହିଦା ହ୍ରାସ ପାଇଛି ଏବଂ ଉତ୍ପାଦନ ସର୍ବନିମ୍ନସ୍ତରକୁ ଚାଲି ଆସିଛି। ଘରୋଇ ଉପଯୋଗ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରତିକୂଳ ପ୍ରଭାବ ରାଜକୋଷ ରାଜସ୍ଵ ଉପରେ ପଡ଼ିଛି। ଘୋର ନିରାଶା ମଧ୍ୟରେ କୃଷି ଓ ଆନୁସଙ୍ଗିକ କାର୍ଯ୍ୟକଳାପ ଆଶାର କିରଣ ପ୍ରଦାନ କରିଛି। ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାରତରେ ସ୍ଵଭାବିକ ରହିବ ବୋଲି ଅନୁମାନ କରାଯାଇଛି। ଏଥିରୁ ମଧ୍ୟ ସକାରାତ୍ମକ ଆଶା ମିଳୁଛି। ଚାହିଦା ଏବଂ ଉତ୍ପାଦନରେ ବ୍ୟବଧାନ ସୃଷ୍ଟି ହୋଇଛି। କୋଭିଡ-19 କାରଣରୁ ବିଶ୍ଵ ଉତ୍ପାଦନ ଏବଂ ଚାହିଦା ଧରାଶାୟୀ ହୋଇଛି। ଭାରତର ବାଣିଜ୍ୟିକ ରପ୍ତାନି ଓ ଆମଦାନୀ ଗତ 30 ବର୍ଷରେ ସର୍ବାଧିକ ସ୍ତରକୁ ନିମ୍ନଗାମୀ ହୋଇଛି।
ମୁଦ୍ରାସ୍ଫିତି ପରିଦୃଶ୍ୟ ଅତ୍ୟନ୍ତ ଅନିଶ୍ଚିତ ରହିଥିବା ଆରବିଆଇର ମୌଦ୍ରିକ ନୀତି ସମିତି ଆକଳନ କରିଛି। ଚାହିଦାରେ ବ୍ୟାପକ ହ୍ରାସ ଏବଂ ଯୋଗାଣରେ ବ୍ୟାପକ ବ୍ୟବଧାନର ମିଳିତ ପ୍ରଭାବ କାରଣରୁ ବର୍ଷର ପ୍ରଥମ 6 ମାସରେ ଆର୍ଥିକ ଗତିବିଧି ଯଥେଷ୍ଟ ହ୍ରାସ ପାଇବ। ତେବେ ବର୍ଷର ଦ୍ଵିତୀୟାର୍ଦ୍ଧରେ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି। 2020-21ର ଦ୍ଵିତୀୟାର୍ଦ୍ଧରେ ଆର୍ଥିକ ଗତିବିଧି କ୍ରମିକ ଭାବେ ସୁଧାର ଲାଗି ଅନୁକୂଳ ପରିବେଶ ସୃଷ୍ଟି ହେବ।
ଏ ସମସ୍ତ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି 2020-21ରେ ଜିଡିପି (ସକଳ ଘରୋଇ ଉତ୍ପାଦ) ବୃଦ୍ଧି ହାର ବିଯୁକ୍ତାତ୍ମକ ରହିବ ବୋଲି ପୂର୍ବାନୁମାନ କରାଯାଉଛି ଏବଂ ଦ୍ଵିତୀୟାର୍ଦ୍ଧରେ ବିକାଶ ଦର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେବେ କୋଭିଡ ମାମଲା ଯେତେଶୀଘ୍ର ନିୟନ୍ତ୍ରିତ ହେବ ସ୍ଥିତିରେ ସେତେଶୀଘ୍ର ଉନ୍ନତି ଆସିବ ବୋଲି ସେ କହିଛନ୍ତି।
Source: PIB




