ବେଆଇନ ପ୍ରବାସୀଙ୍କୁ ଚେତାବନୀ ଦେଇ କଠୋର ବ୍ୟବହାରର ଭିଡିଓ ଜାରି କଲା ଆମେରିକା
ୱାସିଂଟନ: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ବେଆଇନ ଆପ୍ରବାସନ ବିରୋଧରେ କାର୍ଯ୍ୟାନୁଷ୍ଠାନର ଏକ ଅଂଶ ଭାବରେ ବେଆଇନ ପ୍ରବାସୀମାନେ ଆମେରିକାରେ ଏକ ପ୍ରତ୍ୟର୍ପଣ ବିମାନରେ ଚଢ଼ିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେମାନଙ୍କୁ ଚେନ୍ରେ ବନ୍ଧାଯାଇଥିବାର ଏକ ଭିଡିଓ ହ୍ୱାଇଟ୍ ହାଉସ୍ ମଙ୍ଗଳବାର ପୋଷ୍ଟ କରିଛି। ପ୍ରତ୍ୟର୍ପଣ ବିମାନରେ ବେଆଇନ ଆପ୍ରବାସୀଙ୍କ ପ୍ରତି ବ୍ୟବହାରକୁ ନେଇ ଭାରତରେ ବିରୋଧୀ ଦଳ ନେତାଙ୍କ ହଟ୍ଟଗୋଳ ମଧ୍ୟରେ ଏହି ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ବିଜ୍ଞାପନ ଦ୍ବାରା ଆମେରିକା ବେଆଇନ […]
ୱାସିଂଟନ: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ବେଆଇନ ଆପ୍ରବାସନ ବିରୋଧରେ କାର୍ଯ୍ୟାନୁଷ୍ଠାନର ଏକ ଅଂଶ ଭାବରେ ବେଆଇନ ପ୍ରବାସୀମାନେ ଆମେରିକାରେ ଏକ ପ୍ରତ୍ୟର୍ପଣ ବିମାନରେ ଚଢ଼ିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେମାନଙ୍କୁ ଚେନ୍ରେ ବନ୍ଧାଯାଇଥିବାର ଏକ ଭିଡିଓ ହ୍ୱାଇଟ୍ ହାଉସ୍ ମଙ୍ଗଳବାର ପୋଷ୍ଟ କରିଛି। ପ୍ରତ୍ୟର୍ପଣ ବିମାନରେ ବେଆଇନ ଆପ୍ରବାସୀଙ୍କ ପ୍ରତି ବ୍ୟବହାରକୁ ନେଇ ଭାରତରେ ବିରୋଧୀ ଦଳ ନେତାଙ୍କ ହଟ୍ଟଗୋଳ ମଧ୍ୟରେ ଏହି ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ବିଜ୍ଞାପନ ଦ୍ବାରା ଆମେରିକା ବେଆଇନ ଆପ୍ରବାସୀଙ୍କ ପାଇଁ ଚେତାବନୀ ଜାରି କରିଛି। ୪୧ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଅଧିକାରୀ ଜଣେ ହାତଗୋଡ଼-ବନ୍ଧା ବ୍ୟକ୍ତିଙ୍କୁ ବିମାନରେ ଚଢ଼ିବା ପାଇଁ ପ୍ରସ୍ତୁତ କରୁଛନ୍ତି। ଏହାପରେ କ୍ୟାମେରା ଏୟାରପୋର୍ଟ ଥାକରେ ରଖାଯାଇଥିବା ଏକ ହାତକଡ଼ି ଓ ଚେନ୍ ସେଟ୍କୁ ପ୍ରଦର୍ଶନ କରୁଛି। ଜଣେ ଅଧିକାରୀ ଏକ ଝୁଡ଼ିରୁ ଚେନ୍ ଓ ହାତକଡ଼ି ବାହାର କରୁଛନ୍ତି। ଜଣେ ବ୍ୟକ୍ତି ମଧ୍ୟ ହାତକଡ଼ି ପିନ୍ଧି ବିମାନରେ ଚଢ଼ୁଥିବା ଦେଖିବାକୁ ମିଳିଛି। ଭିଡିଓରେ କୌଣସି ବ୍ୟକ୍ତିଙ୍କ ମୁହଁ ଦେଖାଯାଉନାହିଁ। ଟେସ୍ଲାର ସିଇଓ ଏଲନ୍ ମସ୍କ ମଧ୍ୟ ଏହି ଭିଡିଓକୁ ରିଟ୍ୱିଟ୍ କରି କ୍ୟାପ୍ସନରେ ଲେଖିଛନ୍ତି, ‘ହାହା ୱାଓ’। ଚଳିତ ମାସ ପ୍ରାରମ୍ଭରେ ୩୩୨ ଜଣ ବେଆଇନ ଭାରତୀୟ ପ୍ରବାସୀଙ୍କୁ ନେଇ ଆମେରିକାର ୩ଟି ସାମରିକ ବିମାନ ଅମୃତସରରେ ଅବତରଣ କରିଥିଲା। ସମସ୍ତ ପ୍ରତ୍ୟର୍ପିତ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ହାତକଡ଼ି ପକାଇ ଅଣାଯାଇଛି ଏବଂ ବିମାନ ଉଡ଼ାଣ ସମୟରେ ଶୌଚାଳୟ ଯିବା ଓ ଖାଦ୍ୟ ଖାଇବା ବେଳେ ବି ଖୋଲାଯାଇ ନ ଥିଲା। ଏହି ଭିଡିଓକୁ ନେଇ ଭାରତରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବିରୋଧୀ ଦଳମାନେ ଆମେରିକାରୁ ପ୍ରତ୍ୟର୍ପିତ ଭାରତୀୟଙ୍କୁ ଅମାନବୀୟ ବ୍ୟବହାର କରାଯାଇଥିବା ଅଭିଯୋଗ କରିଛନ୍ତି।




