ବିଚାରପତି ନିଯୁକ୍ତିରେ ବିଳମ୍ବ, ୭୦ କଲେଜିୟମ ସୁପାରିସ ପଡ଼ି ରହିଛି

ନୂଆଦିଲ୍ଲୀ: ଦୀର୍ଘ ଅବଧି ପରେ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିଳମ୍ବ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ହାଇକୋର୍ଟରେ ବିଚାରପତି ନିଯୁକ୍ତିରେ ସରକାର ବିଳମ୍ବ କରୁଛନ୍ତି। ହାଇକୋର୍ଟ ଦ୍ବାରା ହୋଇଥିବା ୭୦ ଟି କଲେଜିୟମ ସୁପାରିସ ଦୀର୍ଘ ୧୦ ମାସ ଧରି ସରକାରଙ୍କ ନିକଟରେ ପଡ଼ି ରହିଛି। ଜଷ୍ଟିସ ସଂଜୟ କିଶାନ କୌଲ ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ କହିଛନ୍ତି, ୨୦୨୨ ନଭେମ୍ବରରୁ ୭୦ ନାମ ପଠାଗଲାଣି। କିନ୍ତୁ ଏହା ପଡ଼ି ରହିଛି। ଖଣ୍ଡପୀଠ […]

Samaya Live Picture
Published On

ନୂଆଦିଲ୍ଲୀ: ଦୀର୍ଘ ଅବଧି ପରେ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିଳମ୍ବ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ହାଇକୋର୍ଟରେ ବିଚାରପତି ନିଯୁକ୍ତିରେ ସରକାର ବିଳମ୍ବ କରୁଛନ୍ତି। ହାଇକୋର୍ଟ ଦ୍ବାରା ହୋଇଥିବା ୭୦ ଟି କଲେଜିୟମ ସୁପାରିସ ଦୀର୍ଘ ୧୦ ମାସ ଧରି ସରକାରଙ୍କ ନିକଟରେ ପଡ଼ି ରହିଛି। ଜଷ୍ଟିସ ସଂଜୟ କିଶାନ କୌଲ ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ କହିଛନ୍ତି, ୨୦୨୨ ନଭେମ୍ବରରୁ ୭୦ ନାମ ପଠାଗଲାଣି। କିନ୍ତୁ ଏହା ପଡ଼ି ରହିଛି। ଖଣ୍ଡପୀଠ କହିଛନ୍ତି, ପଦବୀ ଖାଲି ପଡ଼ିବା ଅତି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଆମେ ଏହି ପ୍ରସଙ୍ଗ ଉଠାଉଛୁ। ୧୦ ମାସ ‌ଧରି ୭୦ ନାମ ସୁପାରିସ କରାଯାଇଛି କିନ୍ତୁ ସେମାନଙ୍କ ମଧ୍ୟରୁ କେହି ନିଯୁକ୍ତ ହୋଇନାହାନ୍ତି। ଜଷ୍ଟିସ ସଂଜୟ କିଶାନ କୌଲଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି ଏଟର୍ନି ଜେନେରାଲ ଆର୍‌ ଭେଙ୍କଟରମଣୀଙ୍କ ନିକଟରେ ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ଜଷ୍ଟିସ କୌଲ କହିଛନ୍ତି, ସୁପ୍ରିମକୋର୍ଟ କଲେଜିୟମ ୭ଟି ନାମକୁ ୧ରୁ ଅଧିକ ଥର ପଠାଇଛନ୍ତି। ୯ ଜଣଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମ ଦ୍ବାରା ସୁପାରିସ କରାଯାଇଥିବାବେଳେ ୨୬ ବଦଳି ଏବଂ ଜଣେ ମୁଖ୍ୟ ବିଚାରପତି ନିଯୁକ୍ତି ସଂକ୍ରାନ୍ତ କଲେଜିୟମ ସୁପାରିସ ମଧ୍ୟ ପଡ଼ି ରହିଛି। ଜଷ୍ଟିସ କୌଲ କହିଛନ୍ତି, ମୋର ବହୁତ କିଛି କହିବାର ଅଛି। କିନ୍ତୁ ମୁଁ ନିରବ ରହିଛି। କାରଣ ଏଟର୍ନି ଜେନେରାଲ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ଜବାବ ରଖିବାପାଇଁ ଗୋଟିଏ ସପ୍ତାହ ସମୟ ନେଇଛନ୍ତି। ତେବେ ପରବର୍ତ୍ତୀ ତାରିଖରେ ମୁଁ ଆଦୌ ଚୁପ୍‌ ରହିବିନାହିଁ ବୋଲି କୌଲ କହିଛନ୍ତି। ଖଣ୍ଡପୀଠ କହିଛନ୍ତି, ସରକାର ହାଇକୋର୍ଟଙ୍କ ଦ୍ବାରା ସୁପାରିସ କରାଯାଇଥିବା ୭୦ ଟି ନାମ ପ୍ରସଙ୍ଗରେ କାହିଁକି କୌଣସି ନିଷ୍ପତ୍ତି ନେଇନାହାନ୍ତି।

Tags: