ଫଟା ଟାୟାର ସଜାଡ଼ୁଥିବା ବ୍ୟକ୍ତି ହେଲେ ସିଭିଲ ଜଜ୍
ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜର ୨୬ ବର୍ଷୀୟ ଯୁବକ ଅହଦ ଅହମଦ। ସେ ସିଭିଲ ଜଜ୍ ହେବାକୁ ଯାଉଛନ୍ତି। ଅହଦଙ୍କ ବାପା ୫୦ ବର୍ଷୀୟ ଶେହଜାଦ ଅହମଦଙ୍କର ଗୋଟିଏ ସାଇକେଲ ମରାମତି ଦୋକାନ ଅଛି । ଅହଦ ନିଜ ବାପାଙ୍କ ଦୋକାନରେ ଫଟା ଟାୟାର ସଜାଡ଼ୁଥିଲେ। କିନ୍ତୁ ସଂଘର୍ଷ ମଧ୍ୟରେ ବି ସେ ସ୍ବପ୍ନ ଦେଖିବା ବନ୍ଦ କରିନଥିଲେ। ନିଜ ପରିଶ୍ରମ ବଳରେ ସେ ଆଜି ସଫଳତା ପାଇଛନ୍ତି। ଅହଦଙ୍କ ମା’ ୪୭ ବର୍ଷୀୟା ଆଫସାନା ବେଗମ ସାଇପଡ଼ିଶାଙ୍କ […]
ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜର ୨୬ ବର୍ଷୀୟ ଯୁବକ ଅହଦ ଅହମଦ। ସେ ସିଭିଲ ଜଜ୍ ହେବାକୁ ଯାଉଛନ୍ତି। ଅହଦଙ୍କ ବାପା ୫୦ ବର୍ଷୀୟ ଶେହଜାଦ ଅହମଦଙ୍କର ଗୋଟିଏ ସାଇକେଲ ମରାମତି ଦୋକାନ ଅଛି । ଅହଦ ନିଜ ବାପାଙ୍କ ଦୋକାନରେ ଫଟା ଟାୟାର ସଜାଡ଼ୁଥିଲେ। କିନ୍ତୁ ସଂଘର୍ଷ ମଧ୍ୟରେ ବି ସେ ସ୍ବପ୍ନ ଦେଖିବା ବନ୍ଦ କରିନଥିଲେ। ନିଜ ପରିଶ୍ରମ ବଳରେ ସେ ଆଜି ସଫଳତା ପାଇଛନ୍ତି। ଅହଦଙ୍କ ମା’ ୪୭ ବର୍ଷୀୟା ଆଫସାନା ବେଗମ ସାଇପଡ଼ିଶାଙ୍କ ଲୁଗା ସିଲେଇ କରି ଗୁଜୁରାଣ ମେଣ୍ଟାନ୍ତି। ପ୍ରୟାଗରାଜ ଶୃଙ୍ଗବେରପୁର ବ୍ଲକ୍ ଅନ୍ତର୍ଗତ ବରାଇ ହରାଖ ଗାଁ ନିବାସୀ ଅହଦଙ୍କ ସଫଳତାରେ ବାପା ମା’ ଏବେ ବେଶ୍ ଖୁସି। ପୁଅ ପାଇଁ ଗର୍ବ ଅନୁଭବ କରୁଛନ୍ତି । ଦାରିଦ୍ର୍ୟ ଓ ଅନଟନ ସତ୍ତ୍ବେ ଅହଦ ପାଠପଢ଼ି ପ୍ରଥମେ ଓକିଲ ହେଲେ ଏବଂ ତା’ପରେ ପ୍ରୋଭିନ୍ସିଆଲ ସିଭିଲ ସର୍ଭିସେସ୍ (ଜୁଡ଼ିସିଆଲ) ପରୀକ୍ଷାରେ କୃତକାର୍ଯ୍ୟ ହେଲେ। ଆସନ୍ତା ଡିସେମ୍ବରରୁ ଆରମ୍ଭ ହେଉଥିବା ବର୍ଷିକିଆ ଟ୍ରେନିଂ ପରେ ସେ ଜଣେ ସିଭିଲ ଜଜ୍ (ଜୁନିୟର ଡିଭିଜନ) ହେବେ। ଶିକ୍ଷା କିଭଳି ଜୀବନକୁ ବଦଳାଇଦେଇପାରେ ତାହାର ଉଦାହରଣ ହେଉଛି ଅହମଦଙ୍କ ପରିବାର। ତାଙ୍କର ବଡ଼ପୁଅ ତଥା ଅହଦଙ୍କ ବଡ଼ଭାଇ ସମଦ (୩୦) ଜଣେ ସଫ୍ଟୱେର ଇଂଜିନିୟର। ତାଙ୍କ ସାନ ପୁଅ ୱାଜହତ (୨୪) ଏକ ପ୍ରାଇଭେଟ ବ୍ୟାଙ୍କର ମ୍ୟାନେଜର। ଅହଦ ହେଉଛନ୍ତି ମଝିଆ। ୨୦୧୯ରେ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ଇଣ୍ଟିଗ୍ରେଟେଡ ଲ କୋର୍ସ କରିବା ପରେ ସେ ଆହ୍ଲାବାଦ ହାଇକୋର୍ଟରେ କନିଷ୍ଠ ଓକିଲ ଭାବେ କାମ କରୁଥିଲେ। ଲକ୍ଡାଉନ ସମୟରୁ ବିଚାରପତି ପରୀକ୍ଷା ପାଇଁ ସେ ପ୍ରସ୍ତୁତି ଚଳାଉଥିଲେ। ମାଗଣା ଅନଲାଇନ କୋଚିଂର ସେ ସାହାଯ୍ୟ ନେଉଥିଲେ। ୩୦୩ ପଦବି ଭିତରୁ ୧୫୭ ରୢାଙ୍କ୍ରେ ରହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଅହଦ।




