ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟଙ୍କ ବିରଳ ପରାମର୍ଶ, ମୁଖ୍ୟମନ୍ତ୍ରୀଙ୍କ ସହ କଫି ପିଇ ସମସ୍ୟାର ସମାଧାନ କର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ଦ୍ବାରା ପରିଚାଳିତ ରାଜ୍ୟ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ନବନିଯୁକ୍ତ କାମଚଳା କୁଳପତିଙ୍କ ବେତନ ପ୍ରଦାନ ଉପରେ ରହିତାଦେଶ ଲଗାଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବସି କଫି ପିଇ ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରି ସମାଧାନ କରିବାକୁ ସୁପ୍ରିମକୋର୍ଟ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ପରାମର୍ଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଶିକ୍ଷାନୁଷ୍ଠାନ ଏବଂ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଓ ଭବିଷ୍ୟତ ଦୃଷ୍ଟିରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସମନ୍ବୟର […]

Samaya Live Picture
Published On

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ଦ୍ବାରା ପରିଚାଳିତ ରାଜ୍ୟ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ନବନିଯୁକ୍ତ କାମଚଳା କୁଳପତିଙ୍କ ବେତନ ପ୍ରଦାନ ଉପରେ ରହିତାଦେଶ ଲଗାଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବସି କଫି ପିଇ ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରି ସମାଧାନ କରିବାକୁ ସୁପ୍ରିମକୋର୍ଟ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ପରାମର୍ଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଶିକ୍ଷାନୁଷ୍ଠାନ ଏବଂ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଓ ଭବିଷ୍ୟତ ଦୃଷ୍ଟିରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି। ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ବିଚାରପତି ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଅଗଷ୍ଟରେ ନିଯୁକ୍ତ କାମଚଳା କୁଳପତିଙ୍କ ଦରମା ସେପର୍ଯ୍ୟନ୍ତ ବନ୍ଦ ରହିବ ଯେପର୍ଯ୍ୟନ୍ତ ରାଜ୍ୟପାଳଙ୍କ ଦ୍ବାରା ଦିଆଯାଇଥିବା ନିଯୁକ୍ତି ଉପରେ ରାଜ୍ୟ ସରକାର କରିଥିବା ଆବେଦନର ବିଚାର ନହୋଇଛି।
ରାଜ୍ୟପାଳଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଦାମ ଶେଷାଦ୍ରୀ ନାଇଡ଼ୁଙ୍କୁ ଖଣ୍ଡପୀଠ କହିଛନ୍ତି ଯେ ଦୟାକରି କୁଳାଧିପତିଙ୍କୁ ଜଣାଇ ଦିଅନ୍ତୁ ଯେ ମୁଖ୍ୟମନ୍ତ୍ରୀଙ୍କ ସୁବିଧା ହେବା ଭଳି ଏକ ତାରିଖ ଏବଂ ସମୟ ସେ ଧାର୍ଯ୍ୟ କରନ୍ତୁ। ତାଙ୍କୁ କଫି ପିଇବା ପାଇଁ ଆମନ୍ତ୍ରଣ କରନ୍ତୁ। ଏହା ହେଲେ ସମସ୍ୟା ଉପରେ ଆଲୋଚନା କରାଯାଇ ସମାଧାନ ହୋଇପାରିବ। ବିଚାରପତି କାନ୍ତ କହିଥିଲେ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବେ‌ଳେବେଳେ ମତପାର୍ଥକ୍ୟ ଦେଖାଦେଇପାରେ। ବିଚାର ବ୍ୟବସ୍ଥାରେ ମଧ୍ୟ ବିଚାରପତିଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଥାଏ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ବୈଠକ ଏବଂ ଆଲୋଚନା ବନ୍ଦ କରିଦେବୁ।

Tags: