ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ଅଡୁଆ ବଢ଼ିଲା
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ରେ ଅନିୟମିତତା ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଅନୁମତି ଦେଇଛି। ଗତ ନଭେମ୍ବର ୬ ତାରିଖରେ ସୁପ୍ରିମ୍କୋର୍ଟ ମନିଲଣ୍ଡରିଂ ମାମଲାରେ କ୍ରିମିନାଲ ପ୍ରୋସିଜର କୋଡ୍ (ବର୍ତ୍ତମାନ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୨୧୮) ଅନୁଯାୟୀ ମାମଲା ରୁଜୁ କରିବା ପାଇଁ ଇଡିକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଭଳି ଆଗୁଆ ଅନୁମତି ନେବାକୁ ପଡ଼ିବ […]
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ରେ ଅନିୟମିତତା ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଅନୁମତି ଦେଇଛି। ଗତ ନଭେମ୍ବର ୬ ତାରିଖରେ ସୁପ୍ରିମ୍କୋର୍ଟ ମନିଲଣ୍ଡରିଂ ମାମଲାରେ କ୍ରିମିନାଲ ପ୍ରୋସିଜର କୋଡ୍ (ବର୍ତ୍ତମାନ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୨୧୮) ଅନୁଯାୟୀ ମାମଲା ରୁଜୁ କରିବା ପାଇଁ ଇଡିକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଭଳି ଆଗୁଆ ଅନୁମତି ନେବାକୁ ପଡ଼ିବ ବୋଲି ରାୟ ଦେବାର କିଛି ମାସ ପରେ ଏହି ପଦକ୍ଷେପ ନିଆଯାଇଛି। ଅନୁମୋଦନ ଅଭାବରୁ ଦିଲ୍ଲୀର ଏକ ଅଦାଲତରେ କେଜ୍ରିୱାଲଙ୍କ ବିରୋଧରେ ଚାର୍ଜଫ୍ରେମ୍ ହୋଇପାରି ନଥିଲା। ରିପୋର୍ଟ ଅନୁଯାୟୀ ଇଡି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ମାମଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବା ପୂର୍ବରୁ ଅନୁମୋଦନ ଲୋଡ଼ିବ। ଗତ ମାସରେ ଉପରାଜ୍ୟପାଳ ଭିକେ ସକ୍ସେନା କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଏଜେନ୍ସିକୁ ଅନୁମତି ଦେଇଥିଲେ। ଜାମିନରେ ଥିବା କେଜ୍ରିଓ୍ଵାଲଙ୍କୁ ଇଡି ମାର୍ଚ୍ଚ ୨୧ରେ ପିଏମ୍ଏଲ୍ଏ ଅଧୀନରେ ଗିରଫ କରିଥିଲା ଏବଂ ମେ ୧୭ରେ ଏକ ଚାର୍ଜସିଟ୍ରେ ତାଙ୍କ ନାମ ଉଲ୍ଲେଖ କରିଥିଲା। କିଛି ମଦ ବ୍ୟବସାୟୀଙ୍କୁ ଫାଇଦା ଦେବା ପାଇଁ ନିଆଯାଇଥିବା ୧୦୦ କୋଟି ଟଙ୍କା ଲାଞ୍ଚ ମଧ୍ୟରୁ ୪୫ କୋଟି ଟଙ୍କା ଆମ୍ ଆଦମୀ ପାର୍ଟି (ଆପ୍)ର ଗୋଆ ନିର୍ବାଚନ ପ୍ରଚାରରେ ଖର୍ଚ୍ଚ ହୋଇଥିବା ଏଥିରେ ଉଲ୍ଲେଖ ଥିଲା। କେଜ୍ରିୱାଲ ଅବକାରୀ ଦୁର୍ନୀତିର କିଙ୍ଗପିନ୍ ବୋଲି ଇଡି କହିଛି।




