ଦିଲ୍ଲୀ ପ୍ରଦୂଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ : ଲୋକଙ୍କ ସ୍ବାସ୍ଥ୍ୟର ହତ୍ୟା କରାଯାଉଛି
ନଡ଼ାପାଳ ଜାଳିବା ତୁରନ୍ତ ବନ୍ଦ ହେବା ଉଚିତ୍
ନୂଆଦିଲ୍ଲୀ : ଦିଲ୍ଲୀ ପ୍ରଦୂଷଣ ବୃଦ୍ଧି ଏବେ ଏକ ରାଜନୈତିକ ଯୁଦ୍ଧରେ ପରିଣତ ହୋଇଯାଇଛି। ଆଜି ସୁପ୍ରିମକୋର୍ଟ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ନେଇ ତୀବ୍ର ଉଦ୍ବେଗ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ଦିଲ୍ଲୀ, ପଂଜାବ , ହରିୟାଣା ଏବଂ କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଦିଲ୍ଲୀରେ ଖରାପ୍ ବାୟୁ ମାନ ଲୋକଙ୍କ ସ୍ବାସ୍ଥ୍ୟର ହତ୍ୟା ପାଇଁ ଦାୟୀ। କୋର୍ଟ କହିଛନ୍ତି, ପଂଜାବ ଏବଂ ହରିୟାଣାରେ ନଡ଼ା ପାଳ ଜାଳିବା ଦ୍ବାରା ପ୍ରତିବର୍ଷ ଶୀତ ଋତୁରେ ଦିଲ୍ଲୀରେ ପ୍ରଦୂଷଣ ବଢ଼ୁଛି। ନଡ଼ା ପାଳ ଜାଳିବା ବନ୍ଦ କରିବାପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ପଂଜାବ ସରକାରଙ୍କୁ କହିଛନ୍ତି। କୋର୍ଟ ପଂଜାବ ସରକାରଙ୍କ ଆଇନଜୀବୀଙ୍କୁ କହିଛନ୍ତି, ଆମେ ନଡ଼ାପାଳ ଜାଳିବା ବନ୍ଦ କରିବାକୁ ଚାହୁଛୁ। ଆମେ ଜାଣିନୁ ଏହା କେମିତି ବନ୍ଦ ହେବ। ଏହା ଆପଣଙ୍କ କାମ। କିନ୍ତୁ ଏହା ବନ୍ଦ ହେବା ଉଚିତ। ତୁରନ୍ତ କିଛି ପଦକ୍ଷେପ ଗ୍ରହଣ ହେବା ଉଚିତ ବୋଲି କୋର୍ଟ କହିଛନ୍ତି। କୋର୍ଟ ଆସନ୍ତା ଶୁକ୍ରବାର ଦିନ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି କରିବେ। ନଡ଼ା ପାଳ ଜାଳିବା ବନ୍ଦ କରିବାପାଇଁ ବାଟ ବାହାର କରିବାକୁ କେନ୍ଦ୍ର ସରକାର ଉତ୍ତରପ୍ରଦେଶ, ରାଜସ୍ଥାନ, ହରିୟାଣା, ପଂଜାବ ଏବଂ ଦିଲ୍ଲୀ ସରକାରଙ୍କ ସହ ଏକ ବୈଠକ କରିବାପାଇଁ ସୁପ୍ରିମକୋର୍ଟ କହିଛନ୍ତି। ଖାଲି ନଡ଼ାପାଳ ନୁହେଁ ଯାନବାହନରୁ ବାହାରୁଥିବା ଧୁଆଁ ମଧ୍ୟ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧିର ପ୍ରମୁଖ କାରଣ। କୋର୍ଟ ମଧ୍ୟ ଏଦିଗରେ ଧ୍ୟାନ ଦେବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀରେ ବିଷାକ୍ତ ବାୟୁ ମାନ ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଆବେଦନକାରୀଙ୍କ ଓକିଲ ଅପରାଜିତା ସିଂହ ଆଜି କୋର୍ଟରେ କହିଥିଲେ, ପଂଜାବରେ ନଡ଼ାପାଳ ଜାଳିବା ଉପରେ କୌଣସି ନିୟନ୍ତ୍ରଣ ନାହିଁ। ପଂଜାବ ନଡ଼ାପାଳ ଜାଳିବା କାରଣ ପାଇଁ ଦିଲ୍ଲୀରେ ବାୟୁର ମାନ ଅତି ସାଂଘାତିକ ସ୍ତରକୁ ଚାଲିଯାଉଛି ବୋଲି ସେ କହିଛନ୍ତି। ରାଜ୍ୟମାନେ କହୁଛନ୍ତି, ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ସେମାନେ ପଦକ୍ଷେପ ନେଉଛନ୍ତି। କିନ୍ତୁ ନଡ଼ାପାଳ ଜାଳିବା ଜାରି ରହିଛି। କୋର୍ଟ କହିଛନ୍ତି, ଦିଲ୍ଲୀରେ ଏଭଳି ସ୍ଥିତି ଲଗାତାର ଭାବେ ଲାଗି ରହିପାରିବନି।




