ଦିଲ୍ଲୀର ବାୟୁ ଗୁଣବତ୍ତା ‘ଅତ୍ୟନ୍ତ ଖରାପ’

ନୂଆଦିଲ୍ଲୀ: ଗୁରୁବାର ସକାଳ ୯ଟାରେ ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୨୮ (ଅତ୍ୟନ୍ତ ଖରାପ) ରେକର୍ଡ କରାଯାଇଛି, ଯାହା ଲଗାତାର ଚତୁର୍ଥ ଦିନ ପାଇଁ ‘ଅତ୍ୟନ୍ତ ଖରାପ’ ବର୍ଗରେ ରହିଛି। ଏହା ବୁଧବାର ଅପରାହ୍ନ ୪ଟାରେ ଥିବା ୩୬୪ (ଅତ୍ୟନ୍ତ ଖରାପ) ରିଡିଂଠାରୁ ସାମାନ୍ୟ ଭଲ। ପବନର ବେଗ ବୃଦ୍ଧି (ଘଣ୍ଟାପ୍ରତି ୧୫ରୁ ୨୦ କିଲୋମିଟର) ଯୋଗୁ ପ୍ରଦୂଷିତ ବାୟୁ ଖେଳେଇ ହୋଇଯିବାରୁ ଏହି ଉନ୍ନତି ଘଟିଛି। ଶନିବାର ପର୍ଯ୍ୟନ୍ତ ଦିଲ୍ଲୀର ଏକ୍ୟୁଆଇ ଅତ୍ୟନ୍ତ […]

Samaya Live Picture
Published On

ନୂଆଦିଲ୍ଲୀ: ଗୁରୁବାର ସକାଳ ୯ଟାରେ ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୨୮ (ଅତ୍ୟନ୍ତ ଖରାପ) ରେକର୍ଡ କରାଯାଇଛି, ଯାହା ଲଗାତାର ଚତୁର୍ଥ ଦିନ ପାଇଁ ‘ଅତ୍ୟନ୍ତ ଖରାପ’ ବର୍ଗରେ ରହିଛି। ଏହା ବୁଧବାର ଅପରାହ୍ନ ୪ଟାରେ ଥିବା ୩୬୪ (ଅତ୍ୟନ୍ତ ଖରାପ) ରିଡିଂଠାରୁ ସାମାନ୍ୟ ଭଲ। ପବନର ବେଗ ବୃଦ୍ଧି (ଘଣ୍ଟାପ୍ରତି ୧୫ରୁ ୨୦ କିଲୋମିଟର) ଯୋଗୁ ପ୍ରଦୂଷିତ ବାୟୁ ଖେଳେଇ ହୋଇଯିବାରୁ ଏହି ଉନ୍ନତି ଘଟିଛି। ଶନିବାର ପର୍ଯ୍ୟନ୍ତ ଦିଲ୍ଲୀର ଏକ୍ୟୁଆଇ ଅତ୍ୟନ୍ତ ଖରାପ ରହିବ ବୋଲି କେନ୍ଦ୍ର ସରକାରଙ୍କ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା (ଇଡବ୍ଲ୍ୟୁଏସ୍) ପକ୍ଷରୁ କୁହାଯାଇଛି। ଆସନ୍ତା ସପ୍ତାହରେ ଏକ୍ୟୁଆଇ ଗୁରୁତର ହୋଇ ୪୦୦ ଅତିକ୍ରମ କରିବାର ସମ୍ଭାବନା ରହିଛି। ଚଳିତ ଶୀତ ଋତୁରେ ସୋମବାର ପ୍ରଥମ ଥର ପାଇଁ ଏକ୍ୟୁଆଇ ‘ଅତ୍ୟନ୍ତ ଖରାପ’ ହେବା ପରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆର୍‌ଏପି)ର ଷ୍ଟେଜ୍ -୨ ପ୍ରୟୋଗ କରିଛି। ସୂଚନାଯୋଗ୍ୟ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ ଏକ୍ୟୁଆଇ ୦-୫୦ ମଧ୍ୟରେ ରହିଲେ ‘ଭଲ’, ୫୧ରୁ ୧୦୦ ମଧ୍ୟରେ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ମଧ୍ୟରେ ‘ମଧ୍ୟମ’, ୨୦୧ରୁ ୩୦୦ ମଧ୍ୟରେ ‘ଖରାପ’, ୩୦୧ରୁ ୪୦୦ ମଧ୍ୟରେ ‘ଅତ୍ୟନ୍ତ ଖରାପ’ ଏବଂ ୪୦୦ରୁ ଅଧିକ ରହିଲେ ‘ଗୁରୁତର’ ଭାବେ ବର୍ଗୀକରଣ କରାଯାଇଥାଏ।

Tags: