ଦିଲ୍ଲୀରେ ମୁକୁଳା ଡ୍ରେନ୍ରେ ପଡ଼ି ମା-ପୁଅଙ୍କ ଜୀବନ ଗଲା
ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ଜଣେ ମହିଳା ଏବଂ ତାଙ୍କ ୩ ବର୍ଷର ପୁଅ ମୁକୁଳା ଡ୍ରେନ୍ରେ ପଡ଼ି ପ୍ରାଣ ହରାଇଛନ୍ତି। ଏହା ପୁଣିଥରେ ଦିଲ୍ଲୀ ମହାନଗର ନିଗମର ଦାୟିତ୍ବହୀନତା ଏବଂ ଅବହେଳାକୁ ନେଇ ପ୍ରଶ୍ନ ଉଠାଇଛି। ଗତ ଶନିବାର ଦିନ ଏକ କୋଚିଂ ସେଣ୍ଟର ବେସ୍ମେଣ୍ଟ୍ରେ ପାଣି ପଶି ୩ ଜଣ ଆଇଏଏସ୍ ଆଶାୟୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାକୁ ସପ୍ତାହେ ନପୁରୁଣୁ ମୁକୁଳା ଡ୍ରେନ୍ ଆଉ ୨ ଜଣଙ୍କ ଜୀବନ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ଜଣେ ମହିଳା ଏବଂ ତାଙ୍କ ୩ ବର୍ଷର ପୁଅ ମୁକୁଳା ଡ୍ରେନ୍ରେ ପଡ଼ି ପ୍ରାଣ ହରାଇଛନ୍ତି। ଏହା ପୁଣିଥରେ ଦିଲ୍ଲୀ ମହାନଗର ନିଗମର ଦାୟିତ୍ବହୀନତା ଏବଂ ଅବହେଳାକୁ ନେଇ ପ୍ରଶ୍ନ ଉଠାଇଛି। ଗତ ଶନିବାର ଦିନ ଏକ କୋଚିଂ ସେଣ୍ଟର ବେସ୍ମେଣ୍ଟ୍ରେ ପାଣି ପଶି ୩ ଜଣ ଆଇଏଏସ୍ ଆଶାୟୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାକୁ ସପ୍ତାହେ ନପୁରୁଣୁ ମୁକୁଳା ଡ୍ରେନ୍ ଆଉ ୨ ଜଣଙ୍କ ଜୀବନ ନେଇଛି। ମୃତ୍ୟୁ ହୋଇଥିବା ମହିଳାଙ୍କ ନାଁ ତନୁଜା ବିଷ୍ଟ। ୨୩ ବର୍ଷୀୟା ତନୁଜା ତାଙ୍କ ୩ ବର୍ଷର ପୁଅକୁ ଧରି ଗାଜିପୁରର ସାପ୍ତାହିକ ବଜାର ଯାଇଥିଲେ। ଘରକୁ ଫେରିବା ବେଳେ ଅଧାବାଟରେ ହଠାତ୍ ବର୍ଷା ଆରମ୍ଭ ହୋଇଯାଇଥିଲା ଏବଂ ରାସ୍ତା ସାରା ଜଳପୂର୍ଣ୍ଣ ହୋଇଯାଇଥିଲା। ତନୁଜା ତାଙ୍କ ପୁଅକୁ ଧରିଥିବା ବେଳେ ଏକ ମୁକୁଳା ଡ୍ରେନ୍କୁ ଖସି ପଡ଼ିଥିଲେ। କିଛି ଘଣ୍ଟାପରେ ସେମାନଙ୍କ ମୃତଦେହ ୫୦୦ ମିଟର ଦୂରରୁ ମିଳିଥିଲା। ମୃତ ଅବସ୍ଥାରେ ମଧ୍ୟ ତନୁଜା ତାଙ୍କ ପୁଅକୁ ଜାବୁଡ଼ି ଧରିଥିଲେ। ମହିଳାଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯଦି ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇଥାନ୍ତା ତା’ହେଲେ ମା-ପୁଅ ବଞ୍ଚି ଯାଇଥାନ୍ତେ। କିନ୍ତୁ ୨ ଘଣ୍ଟା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଉକ୍ତ ଘଟଣା ପାଇଁ ସ୍ଥାନୀୟ ବାସିନ୍ଦାମାନେ ନଗର ନିଗମ କର୍ତ୍ତୃପକ୍ଷଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୁକୁଳା ଡ୍ରେନ୍ ବାବଦରେ ବାରମ୍ବାର ଅଭିଯୋଗ ହୋଇଥିଲେ ସୁଦ୍ଧା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।




