ଟ୍ରମ୍ପ ଜୁନିୟରଙ୍କ ବିରୋଧରେ ଶିକାର ଅଭିଯୋଗ
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର ଡିସେମ୍ବରରେ ଭେନିସ୍ ନିକଟରେ ଏକ ବିରଳ ପ୍ରଜାତିର ବତକ ଶିକାର କରି ଇଟାଲୀ ଓ ୟୁରୋପୀୟ ସଂଘର ପରିବେଶ ସୁରକ୍ଷା ଆଇନ ଉଲ୍ଲଂଘନ କରିଥିଲେ ବୋଲି ଇଟାଲୀର ଗ୍ରୀନ୍ ପାର୍ଟିର ଦୁଇ ଜଣ ସାଂସଦ କହିଛନ୍ତି। ଭେନେଟୋ ଆଞ୍ଚଳିକ ବିଧାନସଭାର ସଦସ୍ୟା ଆଣ୍ଡ୍ରିଆ ଜାନୋନି ଏବଂ ଜାତୀୟ ସାଂସଦ ଲୁଆନା ଜାନେଲା ଦୁଇଟି ପୃଥକ୍ ସଂସଦୀୟ ପ୍ରଶ୍ନ ଉଠାଇ ଆଞ୍ଚଳିକ ଓ ଜାତୀୟ […]
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର ଡିସେମ୍ବରରେ ଭେନିସ୍ ନିକଟରେ ଏକ ବିରଳ ପ୍ରଜାତିର ବତକ ଶିକାର କରି ଇଟାଲୀ ଓ ୟୁରୋପୀୟ ସଂଘର ପରିବେଶ ସୁରକ୍ଷା ଆଇନ ଉଲ୍ଲଂଘନ କରିଥିଲେ ବୋଲି ଇଟାଲୀର ଗ୍ରୀନ୍ ପାର୍ଟିର ଦୁଇ ଜଣ ସାଂସଦ କହିଛନ୍ତି। ଭେନେଟୋ ଆଞ୍ଚଳିକ ବିଧାନସଭାର ସଦସ୍ୟା ଆଣ୍ଡ୍ରିଆ ଜାନୋନି ଏବଂ ଜାତୀୟ ସାଂସଦ ଲୁଆନା ଜାନେଲା ଦୁଇଟି ପୃଥକ୍ ସଂସଦୀୟ ପ୍ରଶ୍ନ ଉଠାଇ ଆଞ୍ଚଳିକ ଓ ଜାତୀୟ କର୍ତ୍ତୃପକ୍ଷଙ୍କୁ ଏହି ଅପରାଧ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ମଙ୍ଗଳବାର ଏକ ଫେସ୍ବୁକ୍ ପୋଷ୍ଟରେ ଜାନୋନି କହିଛନ୍ତି ଯେ ଟ୍ରମ୍ପ୍ ଜୁନିୟର ଭେନିସ୍ ହ୍ରଦରେ ଥିବା ‘ନେଚୁରା ୨୦୦୦’ ୟୁରୋପୀୟ ସଂଘ ସଂରକ୍ଷଣ ଅଞ୍ଚଳରେ ଶିକାର କରୁଥିବାର ଦୃଶ୍ୟ ସେ ଦେଖିଛନ୍ତି। ଏହି ଭିଡିଓରେ ଟ୍ରମ୍ପ ଜୁନିୟରଙ୍କ ଆଗରେ ଏକ ରୁଡି ଶେଲଡକ (ତାଡୋର୍ଣ୍ଣା ଫେରୁଗିନିଆ) ଥିବା ଦେଖିବାକୁ ମିଳୁଛି। ଏହି ବତକ ସମଗ୍ର ୟୁରୋପରେ ଅତ୍ୟନ୍ତ ବିରଳ ଏବଂ ୟୁରୋପୀୟ ଜଙ୍ଗଲୀ ଜୀବଜନ୍ତୁ ସୁରକ୍ଷା ଆଇନ ତଥା ଇଟାଲୀ ଆଇନ ଦ୍ୱାରା ସୁରକ୍ଷିତ। ଏହି ପକ୍ଷୀକୁ ହତ୍ୟା କରିବା କିମ୍ବା ଧରିବା ଆଇନ ଅନୁଯାୟୀ ଦଣ୍ଡନୀୟ ବୋଲି ଜାନୋନି କହିଛନ୍ତି। ପାଖାପାଖି ୬ ମିନିଟ୍ର ଏହି ଭିଡିଓରେ ଟ୍ରମ୍ପ ଜୁନିୟର ଭେନିସ୍ ନିକଟସ୍ଥ ଜଳାଶୟ ଅଞ୍ଚଳରେ ବତକ ଶିକାର କରୁଥିବା ଦେଖିବାକୁ ମିଳୁଛି। ତେବେ ଟ୍ରମ୍ପ ଜୁନିୟରଙ୍କଠାରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।




