ଝିଅମାନଙ୍କୁ କିଣି ୫ ଲକ୍ଷ ଟଙ୍କାରେ ବିକୁଥିବା ରାଜସ୍ଥାନ ଏନ୍ଜିଓର ପର୍ଦାଫାସ
ଜୟପୁର: ଏନ୍ଜିଓ ନାଁରେ ବହୁଦିନ ଧରି ଚାଲିଥିବା ଏକ ବେଆଇନ ମାନବ ଚୋରାଚାଲାଣ ରୢାକେଟ୍ର ପର୍ଦ୍ଦାଫାସ ହୋଇଛି। ଏହି ଏନ୍ଜିଓ ଗରିବ ପରିବାରର ମହିଳାମାନଙ୍କୁ ଆଣି ସେମାନଙ୍କୁ କନ୍ୟା ଖୋଜୁଥିବା ପୁରୁଷଙ୍କୁ ଅଢ଼େଇରୁ ୫ ଲକ୍ଷ ଟଙ୍କାରେ ବିକୁଥିବା ଜଣାପଡ଼ିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ରାଜସ୍ଥାନ ରାଜଧାନୀ ଜୟପୁରରେ ଏହି ରୢାକେଟ୍ ଧରାପଡ଼ିବା ପରେ ବ୍ୟାପକ ଖୋଳତାଡ଼ ଆରମ୍ଭ ହୋଇଛି । ‘ଗାୟତ୍ରୀ ସର୍ବ ସମାଜ ଫାଉଣ୍ଡେସନ୍’ ଜୟପୁରଠାରୁ ୩୦ କିମି ଦୂର ବସି ଅଧୀନସ୍ଥ ସୁଜନପୁର […]
ଜୟପୁର: ଏନ୍ଜିଓ ନାଁରେ ବହୁଦିନ ଧରି ଚାଲିଥିବା ଏକ ବେଆଇନ ମାନବ ଚୋରାଚାଲାଣ ରୢାକେଟ୍ର ପର୍ଦ୍ଦାଫାସ ହୋଇଛି। ଏହି ଏନ୍ଜିଓ ଗରିବ ପରିବାରର ମହିଳାମାନଙ୍କୁ ଆଣି ସେମାନଙ୍କୁ କନ୍ୟା ଖୋଜୁଥିବା ପୁରୁଷଙ୍କୁ ଅଢ଼େଇରୁ ୫ ଲକ୍ଷ ଟଙ୍କାରେ ବିକୁଥିବା ଜଣାପଡ଼ିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ରାଜସ୍ଥାନ ରାଜଧାନୀ ଜୟପୁରରେ ଏହି ରୢାକେଟ୍ ଧରାପଡ଼ିବା ପରେ ବ୍ୟାପକ ଖୋଳତାଡ଼ ଆରମ୍ଭ ହୋଇଛି । ‘ଗାୟତ୍ରୀ ସର୍ବ ସମାଜ ଫାଉଣ୍ଡେସନ୍’ ଜୟପୁରଠାରୁ ୩୦ କିମି ଦୂର ବସି ଅଧୀନସ୍ଥ ସୁଜନପୁର ଗ୍ରାମରେ ଏକ ଫାର୍ମହାଉସ୍ରେ ଏହାର ଅଫିସ୍ ଖୋଲିଛି। ଏହି ସଂସ୍ଥା ଗରିବ ଘରର ମହିଳାମାନଙ୍କ ପାଇଁ ଗଣ ବିବାହ ପରିଚାଳନା କରେ। ବସି ପୁଲିସ ଷ୍ଟେସନ୍ ଇନଚାର୍ଜ ଅଭିଜିତ ପାଟିଲ କହିଛନ୍ତି, ଏନ୍ଜିଓର ନିର୍ଦ୍ଦେଶକ ଗାୟତ୍ରୀ ବିଶ୍ବକର୍ମାଙ୍କ ନିର୍ଦ୍ଦେଶରେ ଏହି ସବୁ କାମ ହୁଏ। ଏହି ସଂସ୍ଥାର ଜଣେ ସଦସ୍ୟ ବିହାର, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଉତ୍ତରପ୍ରଦେଶର ଗରିବ ପରିବାରର ମହିଳାଙ୍କୁ କିଣି ସେମନଙ୍କୁ ଗାୟତ୍ରୀଙ୍କୁ ଦେଉଥିଲେ। ଗାୟତ୍ରୀ ଏହାପରେ ବିବାହ ପାଇଁ ମହିଳା ଖୋଜୁଥିବା ଯୁବକଙ୍କୁ ଏହି ମହିଳାମାନଙ୍କୁ ବିକ୍ରି କରୁଥିଲେ। ଝିଅର ରଙ୍ଗ, ଉଚ୍ଚତା ଏବଂ ଅନୁଯାୟୀ ସେମାନଙ୍କ ମୂଲ୍ୟ ଧାର୍ଯ୍ୟ କରାଯାଏ। ଗାୟତ୍ରୀ ନାବାଳିକାମାନଙ୍କୁ ଆଣି ସେମାନଙ୍କୁ ସାବାଳିକା ଦର୍ଶାଇବାପାଇଁ ନକଲି ଆଧାର କାର୍ଡ ମଧ୍ୟ ବ୍ୟବହାର କରିଥିବା ଜଣାପଡ଼ିଛି। ସେ ୧୫୦୦ରୁ ଅଧିକ ଏଭଳି ବିବାହ ପରିଚାଳନା କରିଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶର ଜଣେ ୧୬ ବର୍ଷୀୟା ବାଳିକା ଫାର୍ମହାଉସ୍ରୁ ଖସି ଯାଇ ଘଟଣା ସଂକ୍ରାନ୍ତରେ ପୁଲିସରେ ଜଣାଇବାପରେ ଏହି ଖବର ଜଣାପଡ଼ିଛି। ନାବାଳିକାର ବୟାନ ଆଧାରରେ ପୁଲିସ ଫାର୍ମହାଉସ୍ରେ ଚଢ଼ଉ କରି ଗାୟତ୍ରୀ ଏବଂ ତାଙ୍କ ସହଯୋଗୀ ହନୁମାନ ଏବଂ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି।




