ଛତିଶଗଡ଼ ମାଓବାଦୀ ଆକ୍ରମଣରେ ୧୦ ଯବାନ ସହିଦ; ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ

ବସ୍ତର: ଛତିଶଗଡ଼ରେ ଆଜି ମାଓବାଦୀ ଆକ୍ରମଣରେ ୧୦ ଯବାନ ସହିଦ ହୋଇଯାଇଛନ୍ତି ଏବଂ ଯବାନଙ୍କ ଗାଡ଼ି ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଦାନ୍ତେୱାଡ଼ାର ଅରନପୁରରେ ମାଓବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ମିଳିବାପରେ ଆଜି ଡିଆରଜି (ଡିଷ୍ଟ୍ରିକ୍ଟ ରିଜର୍ବ ଗାର୍ଡ) ପୁଲିସ ଉକ୍ତ ଅଞ୍ଚଳକୁ ଯାଇଥିଲେ। ସେମାନେ ମାଓ ନିରୋଧ ଅପରେସନ୍ରୁ ଫେରୁଥିବାବେଳେ ବାଟରେ ସେମାନଙ୍କ ଗାଡ଼ି ବିସ୍ଫୋରଣରେ ଉଡ଼ି ଯାଇଥିଲା। ଯବାନଙ୍କ ଗାଡ଼ି ଆସିବା ରାସ୍ତାରେ ମାଓବାଦୀମାନେ ଆଇଇଡି ଖଞ୍ଜିଥିଲେ। ଫଳରେ ବିସ୍ଫୋରଣରେ ଡିଆରଜି ପୁଲିସଙ୍କ […]

Samaya Live Picture
Published On

ବସ୍ତର: ଛତିଶଗଡ଼ରେ ଆଜି ମାଓବାଦୀ ଆକ୍ରମଣରେ ୧୦ ଯବାନ ସହିଦ ହୋଇଯାଇଛନ୍ତି ଏବଂ ଯବାନଙ୍କ ଗାଡ଼ି ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଦାନ୍ତେୱାଡ଼ାର ଅରନପୁରରେ ମାଓବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ମିଳିବାପରେ ଆଜି ଡିଆରଜି (ଡିଷ୍ଟ୍ରିକ୍ଟ ରିଜର୍ବ ଗାର୍ଡ) ପୁଲିସ ଉକ୍ତ ଅଞ୍ଚଳକୁ ଯାଇଥିଲେ। ସେମାନେ ମାଓ ନିରୋଧ ଅପରେସନ୍ରୁ ଫେରୁଥିବାବେଳେ ବାଟରେ ସେମାନଙ୍କ ଗାଡ଼ି ବିସ୍ଫୋରଣରେ ଉଡ଼ି ଯାଇଥିଲା। ଯବାନଙ୍କ ଗାଡ଼ି ଆସିବା ରାସ୍ତାରେ ମାଓବାଦୀମାନେ ଆଇଇଡି ଖଞ୍ଜିଥିଲେ। ଫଳରେ ବିସ୍ଫୋରଣରେ ଡିଆରଜି ପୁଲିସଙ୍କ ଗାଡ଼ି ଉଡ଼ି ଯାଇଥିଲା। ଡିଆରଜି ହେଉଛି ଛତିଶଗଡ଼ ପୁଲିସର ଏକ ସ୍ବତନ୍ତ୍ର ବାହିନୀ। ଏଥିରେ ଅଧିକାଂଶ ସ୍ଥାନୀୟ ଆଦିବାସୀ ରହିଛନ୍ତି। ମାଓ ମୁକାବିଲା ପାଇଁ ସେମାନଙ୍କୁ ତାଲିମ ଦିଆଯାଉଛି। ମାଓବାଦୀ ଆକ୍ରମଣ ପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ କଥା ହୋଇଛନ୍ତି ଏବଂ ସମସ୍ତ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସହିଦ ହୋଇଥିବା ୧୦ ଜଣ ଯବାନ ଏବଂ ଗାଡ଼ି ଡ୍ରାଇଭରଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନେ ହେଉଛନ୍ତି ଜୋଗା ସୋଧି, ମୁନ୍ନା ରାମ କଡ଼ତି, ସନ୍ତୋଷ ତାମୋ, ଡୁଗଲୋ ମାଣ୍ଡଭି, ଲକ୍ଷ୍ମୁ ମରକମ, ଜୋଗା କବସି, ହରିରାମ ମାଣ୍ଡଭି, ରାଜୁ ରାମ କରତମ, ଜୟରାମ ପୋଡ଼ିଆମ, ଜଗଦୀଶ କବସି ଏବଂ ଡ୍ରାଇଭର ଧନିରାମ ଯାଦବ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ବାଘେଲ କହିଛନ୍ତି, ଆକ୍ରମଣରେ ସାମିଲ ଥିବା ମାଓବାଦୀଙ୍କୁ ଛଡ଼ାଯିବନି। ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମଧ୍ୟ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଉକ୍ତ ଆକ୍ରମଣକୁ ସେ କଡ଼ା ନିନ୍ଦା କରିଛନ୍ତି। ମାଓବାଦୀମାନେ କେବେ ବି ସେମାନଙ୍କ ଦେଶ ବିରୋଧୀ ଉଦ୍ଦେଶ୍ୟରେ ସଫଳ ହେବେନାହିଁ ବୋଲି ସେ କହିଛନ୍ତି।

Tags: