ଚନ୍ଦ୍ରଯାନ-୩ ଅବତରଣ , ସନ୍ଧ୍ୟା ୬ଟା ୪କୁ ଅପେକ୍ଷା
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣମେରୁରେ ଆଜି ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରି ଇତିହାସ ରଚନା କରିବାକୁ ଯାଉଛି ଏବଂ ସାରା ଦେଶ ଓ ବିଶ୍ବ ଏବେ ଏହା ଦେଖିବାକୁ ଅପେକ୍ଷା କରି ରହିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସ୍ପଷ୍ଟ କରିସାରିଛି ଯେ ସବୁକିଛି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଚାଲିଛି ଏବଂ ଚନ୍ଦ୍ରଯାନ-୩ ଆସନ୍ତାକାଲି ନିର୍ଦ୍ଧାରିତ ସମୟରେ ଅବତରଣ କରିବା ଆଶା କରାଯାଉଛି। ପୂର୍ବରୁ କୁହାଯାଇଥିଲା ଯେ, ଯଦି କିଛି ସମସ୍ୟା […]
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣମେରୁରେ ଆଜି ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରି ଇତିହାସ ରଚନା କରିବାକୁ ଯାଉଛି ଏବଂ ସାରା ଦେଶ ଓ ବିଶ୍ବ ଏବେ ଏହା ଦେଖିବାକୁ ଅପେକ୍ଷା କରି ରହିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସ୍ପଷ୍ଟ କରିସାରିଛି ଯେ ସବୁକିଛି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଚାଲିଛି ଏବଂ ଚନ୍ଦ୍ରଯାନ-୩ ଆସନ୍ତାକାଲି ନିର୍ଦ୍ଧାରିତ ସମୟରେ ଅବତରଣ କରିବା ଆଶା କରାଯାଉଛି। ପୂର୍ବରୁ କୁହାଯାଇଥିଲା ଯେ, ଯଦି କିଛି ସମସ୍ୟା ଦେଖାଯାଏ, ତେବେ ଅବତରଣରେ ତିନି କିମ୍ବା ଚାରିଦିନ ବିଳମ୍ବ ହୋଇପାରେ। କିନ୍ତୁ ଇସ୍ରୋ ଆଜି ଏହାର ଏକ୍ସ (ଟ୍ବିଟର) ହ୍ୟାଣ୍ଡେଲରେ ସୂଚନା ଦେଇଛି ଯେ, ମିସନ ଠିକ୍ ରାସ୍ତାରେ ଗତି କରୁଛି ଏବଂ ଅଗଷ୍ଟ ୨୩ ଅପରାହ୍ଣ ୬ଟା ୪ରେ ହିଁ ଏହା ଅବତରଣ କରିବ। ସବୁ ଦୃଷ୍ଟିରୁ ସୁରକ୍ଷିତ ଥିବା ବିକ୍ରମ ଲ୍ୟାଣ୍ଡର ଆଜି ଚନ୍ଦ୍ରର ନୂଆ ଫଟୋ ପଠାଇଛି। ୭୦ କିମି ଉଚ୍ଚରୁ ଉଠାଯାଇଥିବା ଏହି ଫଟୋକୁ ଇସ୍ରୋ ଏକ୍ସରେ ସେୟାର କରିଛି। ଏହା ପୂର୍ବରୁ ମଧ୍ୟ ଇସ୍ରୋ ଲ୍ୟାଣ୍ଡର୍ ଏଲ୍ଏଚ୍ଡିଏସି (ଲ୍ୟାଣ୍ଡର୍ ହାଜାର୍ଡ ଡିଟେକ୍ସନ ଆଣ୍ଡ ଏବାଇଡେନ୍ସ କ୍ୟାମେରା) ଦ୍ବାରା ଉଠାଯାଇଥିବା ଫଟୋ ଗତକାଲି ସେୟାର କରିଥିଲା। ଏହି ଶକ୍ତିଶାଳୀ କ୍ୟାମେରା ଲ୍ୟାଣ୍ଡରର ସୁରକ୍ଷିତ ଅବତରଣ ପାଇଁ ସ୍ଥାନ ଚିହ୍ନଟ କରୁଛି। ଗତ ରବିବାର ଏହି ମିସନର ଦ୍ୱିତୀୟ ତଥା ଅନ୍ତିମ ଡିବୁଷ୍ଟିଂ ଅପରେସନ୍ (ଗତିବେଗ ହ୍ରାସ) ସଫଳତାର ସହ ସମ୍ପାଦନ କରାଯାଇଥିଲା ଏବଂ ମଙ୍ଗବାର ଅପରାହ୍ନରେ ଚନ୍ଦ୍ରଯାନ-୩ ଚନ୍ଦ୍ରଠାରୁ ମାତ୍ର ୨୫ କିମି ଦୂରରେ ରହି ଫଟୋ ଉତ୍ତୋଳନ କରିଥିଲା। ଚନ୍ଦ୍ରଯାନ-୩ର ଆଭ୍ୟନ୍ତରୀଣ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ବେଳେ ନରମ ଅବତରଣ ପାଇଁ ଏହା ସବୁ ଦିଗରୁ ସମର୍ଥ ରହିଥିବା କୁହାଯାଇଛି।
ଇସ୍ରୋ ଏକ ଲିଙ୍କ ସେୟାର କରିଛି। ଏହି ଲିଙ୍କ୍ ସାହାଯ୍ୟରେ ଲୋକମାନେ ଚନ୍ଦ୍ରଯାନ-୩ର ଅବତରଣ ପ୍ରକ୍ରିୟାର ଲାଇଭ୍ ଟେଲିକାଷ୍ଟ ଦେଖିପାରିବେ। ଏହି ଟେଲିକାଷ୍ଟ ବୁଧବାର ଅପରାହ୍ଣ ୫ଟା ୨୦ରେ ଆରମ୍ଭ ହେବ। ଇସ୍ରୋର ଅଫିସିଆଲ ୱେବ୍ସାଇଟ୍, ୟୁଟ୍ୟୁବ୍ ଓ ଫେସ୍ବୁକ୍ ପେଜ୍ରେ ଲୋକମାନେ ଲାଇଭ୍ ଟେଲିକାଷ୍ଟ ଦେଖିପାରିବେ। ତା’ଛଡ଼ା ଡିଡି ନ୍ୟାସନାଲ ଚ୍ୟାନେଲରେ ମଧ୍ୟ ଏହା ପ୍ରଦର୍ଶନ କରାଯିବ। ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ରୋଭର ପୃଷ୍ଠଦେଶର ରାସାୟନିକ ସଂରଚନା ତଥା ଜଳର ଉପସ୍ଥିତି ନେଇ ପରୀକ୍ଷାନିରୀକ୍ଷା କରିବ।




