ଗୁଜରାଟରେ ଆଜି ମାଡ଼ ହେବ ବାତ୍ୟା, ୭୪ ହଜାର ଲୋକ ସ୍ଥାନାନ୍ତର

ଅହମଦାବାଦ : ବାତ୍ୟା ବିପର୍ଯ୍ୟୟ ଆଜି ଗୁଜରାଟରେ ମାଡ଼ ହେବ। ବାତ୍ୟା ଏବେ ଗୁଜରାଟ ଉପକୂଳଠାରୁ ୨୦୦ କିମି ଦୂରରେ ରହିଛି। ଆଜି ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ମଧ୍ୟରେ ବାତ୍ୟା ସୌରାଷ୍ଟ୍ର, କଚ୍ଛ ଏବଂ ପାକିସ୍ତାନ ଉପକୂଳ ଅତିକ୍ରମ କରିବ। ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ସମୟରେ ଘଣ୍ଟା ପ୍ରତି ୧୧୫-୧୨୫ କିମି ବେଗରେ ପବନ ବହିବ। ଆଜି ଅପରାହ୍ନରୁ ପବନର ବେଗ ଧୀରେଧୀରେ ବଢ଼ିବ। ବାତ୍ୟା ପ୍ରଭାବରେ କଚ୍ଛ, ଦେବଭୂମି ଦ୍ବାରକା ଏବଂ ଜାମନଗର ଜିଲ୍ଲାରେ […]

Samaya Live Picture
Published On

ଅହମଦାବାଦ : ବାତ୍ୟା ବିପର୍ଯ୍ୟୟ ଆଜି ଗୁଜରାଟରେ ମାଡ଼ ହେବ। ବାତ୍ୟା ଏବେ ଗୁଜରାଟ ଉପକୂଳଠାରୁ ୨୦୦ କିମି ଦୂରରେ ରହିଛି। ଆଜି ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ମଧ୍ୟରେ ବାତ୍ୟା ସୌରାଷ୍ଟ୍ର, କଚ୍ଛ ଏବଂ ପାକିସ୍ତାନ ଉପକୂଳ ଅତିକ୍ରମ କରିବ। ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ସମୟରେ ଘଣ୍ଟା ପ୍ରତି ୧୧୫-୧୨୫ କିମି ବେଗରେ ପବନ ବହିବ। ଆଜି ଅପରାହ୍ନରୁ ପବନର ବେଗ ଧୀରେଧୀରେ ବଢ଼ିବ। ବାତ୍ୟା ପ୍ରଭାବରେ କଚ୍ଛ, ଦେବଭୂମି ଦ୍ବାରକା ଏବଂ ଜାମନଗର ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ପ୍ରଶାସନ ଦ୍ବାରା ପ୍ରାୟ ୧୨୦ଟି ଗ୍ରାମରୁ ଲୋକମାନଙ୍କୁ ଖାଲି କରାଯାଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ବାତ୍ୟାର ପ୍ରସ୍ତୁତି ସମୀକ୍ଷା କରିବାପାଇଁ ଆଜି ଏକ ବୈଠକ କରିଛନ୍ତି। ଏଯାବତ ୭୪,୩୪୫ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଗଲାଣି। ୧୮ ଏନ୍‌ଡିଆରଏଫ୍‌ ଏବଂ ୧୨ ଏସଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି।
ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଗୁଜରାଟରେ ଏହାର ଭୟଙ୍କର ପ୍ରଭାବ ଦେଖାଦେଇଛି। ପ୍ରବଳ ବର୍ଷାଜନିତ ବିଭିନ୍ନ କାରଣ ପାଇଁ ରାଜ୍ୟରେ ୫ ଜଣଙ୍କ ମୃତ୍ୟୁ ହେଲାଣି। ଗତକାଲି ମୋର୍ବିର ବେଲଗାମରେ ଏକ ସେରାମିକ ଫ୍ୟାକ୍ଟ୍ରିର ଡ୍ରାଇଂ ଚିମନି ଖସି ପଡ଼ିବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ସେହିପରି ପୋରବନ୍ଦରରେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଏକ ଘର ଭୁଶୁଡ଼ି ପଡ଼ିବାରୁ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ଗଛ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କାନ୍ଥ ଭୁଶୁଡ଼ି ୨ ଶିଶୁଙ୍କ ମୃତ୍ୟୁ ହୋଇଛି । ବାତ୍ୟା ମୁକାବିଲା ମଧ୍ୟରେ ଗତକାଲି ଗୁଜରାଟର କଚ୍ଛରେ ୩.୫ ତୀବ୍ରତାର ଭୂକମ୍ପ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ‌୩ ସେନା ମୁଖ୍ୟଙ୍କ ସହ କଥା ହୋଇଛନ୍ତି ଏବଂ ବାତ୍ୟା ବିପର୍ଯ୍ୟୟର ମୁକାବିଲା ପାଇଁ କିଭଳି ପ୍ରସ୍ତୁତି ଚାଲିଛି ସେନେଇ ୩ ସେନା ମୁଖ୍ୟଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି କଚ୍ଛରେ ବିଭିନ୍ନ ହସ୍ପିଟାଲ ବୁଲି ସ୍ଥିତି ଯାଞ୍ଚ କରିଛନ୍ତି। ହସ୍ପିଟାଲରେ ସଠିକ୍‌ ଭାବେ ଅକ୍ସିଜେନ, ଭେଣ୍ଟିଲେଟର ଏବଂ କ୍ରିଟିକାଲ କେୟାର ବେଡ୍‌ ଅଛି କି ନା’ ସେନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଯାଞ୍ଚ କରିଛନ୍ତି। ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ୮ ରାଜ୍ୟରେ ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଗୁଜରାଟ ସମେତ କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୋଆ, ଡାମନ ଡିୟୁ, ଲାକ୍ଷାଦ୍ବୀପ, ଦାଦ୍ରା ଏବଂ ନଗର ହାବେଳିରେ ପ୍ରବଳ ବର୍ଷା ହେବା ‌ନେଇ ସତର୍କ ସୂଚନା ଜାରି କରାଯାଇଛି।

Tags: