ଖୁବ୍ଶୀଘ୍ର ଭାରତ-ବ୍ରୁନେଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ହେବା ନେଇ ମୋଦୀଙ୍କ ଘୋଷଣା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରୁନେଇର ସୁଲତାନ ହାଜି ହସନାଲ ବୋଲକିଆଙ୍କୁ ଭେଟି ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହାପରେ ଖୁବ୍ଶୀଘ୍ର ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବ ବୋଲି ସେ ଘୋଷଣା କରିଛନ୍ତି। ବୈଠକ ପରେ ମୋଦୀ ଆହୁରି କହିଛନ୍ତି, ଆମ ମଧ୍ୟରେ ଶତାବ୍ଦୀ ପୁରୁଣା ସାଂସ୍କୃତିକ ସମ୍ପର୍କ ରହିଛି। ଆମ ବନ୍ଧୁତାର ଆଧାର ହେଉଛି ଆମର ମହାନ ସାଂସ୍କୃତିକ ପରମ୍ପରା। ଆପଣଙ୍କ ନେତୃତ୍ୱରେ ଆମର ସମ୍ପର୍କ ଦିନକୁ ଦିନ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରୁନେଇର ସୁଲତାନ ହାଜି ହସନାଲ ବୋଲକିଆଙ୍କୁ ଭେଟି ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହାପରେ ଖୁବ୍ଶୀଘ୍ର ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବ ବୋଲି ସେ ଘୋଷଣା କରିଛନ୍ତି। ବୈଠକ ପରେ ମୋଦୀ ଆହୁରି କହିଛନ୍ତି, ଆମ ମଧ୍ୟରେ ଶତାବ୍ଦୀ ପୁରୁଣା ସାଂସ୍କୃତିକ ସମ୍ପର୍କ ରହିଛି। ଆମ ବନ୍ଧୁତାର ଆଧାର ହେଉଛି ଆମର ମହାନ ସାଂସ୍କୃତିକ ପରମ୍ପରା। ଆପଣଙ୍କ ନେତୃତ୍ୱରେ ଆମର ସମ୍ପର୍କ ଦିନକୁ ଦିନ ସୁଦୃଢ଼ ହେବାରେ ଲାଗିଛି। ୨୦୧୮ ଭାରତ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି ଭାବେ ଆପଣଙ୍କ ଯୋଗଦାନର ସ୍ମୃତିକୁ ଭାରତବାସୀ ଆଜି ବି ଗର୍ବର ସହ ମନେ ରଖିଛନ୍ତି। ବ୍ରୁନେଇ ଭାରତର ଆକ୍ଟ ଇଷ୍ଟ ପଲିସି ଓ ଇଣ୍ଡୋ-ପ୍ୟାସିଫିକ୍ ଭିଜନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହେବା ଆମ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତର ଗ୍ୟାରେଣ୍ଟି ବୋଲି ମୋଦୀ କହିଥିଲେ।
ସୁଲତାନ ହାଜି ହସନାଲ ବୋଲକିଆଙ୍କ ଶାସନକାଳରେ ଭାରତ ଓ ବ୍ରୁନେଇ ଗୁରୁତ୍ୱପୂର୍ଣ୍ଣ ବିକାଶ କରିଛନ୍ତି ଏବଂ ଦୁଇ ଦେଶ ଗଭୀର ଐତିହାସିକ ଓ ସାଂସ୍କୃତିକ ସମ୍ପର୍କକୁ ପାଳନ କରୁଛନ୍ତି। ପ୍ରତିରକ୍ଷା, ବାଣିଜ୍ୟ ଓ ପୁଞ୍ଜିନିବେଶ, ଖାଦ୍ୟ ନିରାପତ୍ତା, ଶିକ୍ଷା, ଶକ୍ତି, ମହାକାଶ ପ୍ରଯୁକ୍ତି, ସ୍ୱାସ୍ଥ୍ୟ, ଦକ୍ଷତା ବୃଦ୍ଧି, ସଂସ୍କୃତି ଓ ଲୋକଙ୍କ ମଧ୍ୟରେ ଆଦାନ ପ୍ରଦାନ ଭଳି ବିଭିନ୍ନ ପ୍ରସଙ୍ଗରେ ନେତାମାନେ ଆଲୋଚନା କରିଥିଲେ। ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି (ଆଇସିଟି), ଫିନ୍ଟେକ୍, ସାଇବର ନିରାପତ୍ତା, ନୂତନ ପ୍ରଯୁକ୍ତି ଓ ଅକ୍ଷୟ ଶକ୍ତି ଭଳି କ୍ଷେତ୍ରରେ ସହଯୋଗ କରିବାକୁ ଦୁଇ ନେତା ରାଜି ହୋଇଥିଲେ। ପ୍ରଧାନମନ୍ତ୍ରୀ ଓ ସୁଲତାନ ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟା ଉପରେ ମଧ୍ୟ ମତବିନିମୟ କରିଥିଲେ। ଉଭୟ ନେତା ସମସ୍ତ ପ୍ରକାର ଆତଙ୍କବାଦକୁ ନିନ୍ଦା କରିବା ସହ ଏହାକୁ ପ୍ରତ୍ୟାଖ୍ୟାନ କରିବାକୁ ସବୁ ଦେଶକୁ ଆହ୍ୱାନ ଦେଇଛନ୍ତି। ଆସିଆନ୍ – ଭାରତ ବ୍ୟାପକ ରଣନୈତିକ ଭାଗୀଦାରିକୁ ଅଧିକ ସୁଦୃଢ଼ କରିବା ପାଇଁ ଉଭୟ ନେତା ପାରସ୍ପରିକ ଲାଭଦାୟକ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଏବଂ ବ୍ରୁନେଇର ପରିବହନ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଏଚ୍ଇ ପେଙ୍ଗିରାନ୍ ଡାଟୋ ଶାମହାରୀ ପେଙ୍ଗିରାନ୍ ଡାଟୋ ମୁସ୍ତାଫାଙ୍କ ଦ୍ୱାରା ଟେଲିମେଟ୍ରି, ଟ୍ରାକିଂ, ଉପଗ୍ରହ ଏବଂ ଟେଲିକମାଣ୍ଡ ଷ୍ଟେସନ ପରିଚାଳନାରେ ସହଯୋଗ ପାଇଁ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା।




