ଖଲିସ୍ତାନୀ ନେତାଙ୍କ ସହ ଆଇଏସ୍ଆଇ ଏଜେଣ୍ଟଙ୍କ ଗୁପ୍ତ ବୈଠକ
ନୂଆଦିଲ୍ଲୀ: ଭାରତ ଏବଂ କାନାଡ଼ା ମଧ୍ୟରେ କୂଟନୈତିକ ବିବାଦ ଲାଗି ରହିଥିବାବେଳେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ଏଜେଣ୍ଟମାନେ କାନାଡ଼ାର ଭାନକୁଭରଠାରେ ଖଲିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ମୁଖ୍ୟମାନଙ୍କ ସହ ଗୁପ୍ତ ବୈଠକ କରିଛନ୍ତି। ଭରତବିରୋଧୀ ପ୍ରଚାରକୁ ଜୋରଦାର କରିବା ପାଇଁ ଗତ ୫ ଦିନ ତଳେ ଅନୁଷ୍ଠିତ ଏହି ବୈଠକରେ ଶିଖ୍ସ ଫର୍ ଜଷ୍ଟିସ୍ (ଏସ୍ଏଫ୍ଜେ)ର ମୁଖ୍ୟ ଗୁରପତୱନ୍ତ ସିଂହ ପନ୍ନୁନ ଓ ଅନ୍ୟ ଖଲିସ୍ତାନୀ ସଂଗଠନର ମୁଖ୍ୟମାନେ ଉପସ୍ଥିତ ଥିବା […]
ନୂଆଦିଲ୍ଲୀ: ଭାରତ ଏବଂ କାନାଡ଼ା ମଧ୍ୟରେ କୂଟନୈତିକ ବିବାଦ ଲାଗି ରହିଥିବାବେଳେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ଏଜେଣ୍ଟମାନେ କାନାଡ଼ାର ଭାନକୁଭରଠାରେ ଖଲିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ମୁଖ୍ୟମାନଙ୍କ ସହ ଗୁପ୍ତ ବୈଠକ କରିଛନ୍ତି। ଭରତବିରୋଧୀ ପ୍ରଚାରକୁ ଜୋରଦାର କରିବା ପାଇଁ ଗତ ୫ ଦିନ ତଳେ ଅନୁଷ୍ଠିତ ଏହି ବୈଠକରେ ଶିଖ୍ସ ଫର୍ ଜଷ୍ଟିସ୍ (ଏସ୍ଏଫ୍ଜେ)ର ମୁଖ୍ୟ ଗୁରପତୱନ୍ତ ସିଂହ ପନ୍ନୁନ ଓ ଅନ୍ୟ ଖଲିସ୍ତାନୀ ସଂଗଠନର ମୁଖ୍ୟମାନେ ଉପସ୍ଥିତ ଥିବା ବିଶେଷ ଗୁଇନ୍ଦା ସୂତ୍ରରୁ ଜାଣିବାକୁ ମିଳିଛି। ଗୁଇନ୍ଦା ସୂଚନାନୁଯାୟୀ ‘ପ୍ଲାନ୍-କେ’ ନାମକ ଏହି ଯୋଜନାର ଅଂଶସ୍ବରୂପ ଗତ କିଛିମାସ ହେଲା ଭାରତ-ବିରୋଧୀ ଅଭିଯାନ ନିମନ୍ତେ ଆଇଏସ୍ଆଇ ଖଲିସ୍ତାନୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଉଛି। ଭାରତବିରୋଧୀ ପ୍ରଚାର ପାଇଁ ପୋଷ୍ଟର ଓ ବ୍ୟାନର ମାରିବା ଏବଂ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଏହି ପାଣ୍ଠିର ବ୍ୟବହାର କରାଯାଉଛି।
ବର୍ତ୍ତମାନ କାନାଡ଼ାରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଖଲିସ୍ତାନୀ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟର ଲୁଚିଛନ୍ତି। ଏ ବାବଦରେ ପାରସ୍ପରିକ ଆଇନଗତ ସହାୟତା ଚୁକ୍ତି (ଏମ୍ଏଲ୍ଏଟି) ଅନୁଯାୟୀ ଭାରତର ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ) ଓ ଅନ୍ୟ ଏଜେନ୍ସିଗୁଡ଼ିକ କାନାଡ଼ାକୁ ଏକାଧିକ ବାର ଚିଠି ଲେଖିଥିଲେ ମଧ୍ୟ ସେମାନେ କୌଣସି ଉତ୍ତର ଦେଉନାହାନ୍ତି କି ତଦନ୍ତରେ ସହାୟତା କରୁନାହାନ୍ତି।




