କୋଟା ଆତ୍ମହତ୍ୟା, କୋଚିଂ ସେଣ୍ଟର ଓ ଅଭିଭାବକଙ୍କୁ ଦାୟୀ କଲେ ଅଶୋକ ଗେହଲଟ
ନୂଆଦିଲ୍ଲୀ : କୋଟାରେ ଛାତ୍ର ଆତ୍ମହତ୍ୟା ଘଟଣା ଅତ୍ୟନ୍ତ ଚିନ୍ତାଜନକ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଉକ୍ତ ଘଟଣାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଆତ୍ମହତ୍ୟା ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାପାଇଁ ମୁଖ୍ୟମନ୍ତ୍ରୀ ଏକ କମିଟି ଗଠନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆତ୍ମହତ୍ୟା ରୋକିବା ଦିଗରେ ପରାମର୍ଶ ଦେବାପାଇଁ ମୁଁ ଏକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛି ଏବଂ ୧୫ ଦିନ ମଧ୍ୟରେ ଏହି କମିଟି ରିପୋର୍ଟ ଦାଖଲ […]
ନୂଆଦିଲ୍ଲୀ : କୋଟାରେ ଛାତ୍ର ଆତ୍ମହତ୍ୟା ଘଟଣା ଅତ୍ୟନ୍ତ ଚିନ୍ତାଜନକ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଉକ୍ତ ଘଟଣାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଆତ୍ମହତ୍ୟା ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାପାଇଁ ମୁଖ୍ୟମନ୍ତ୍ରୀ ଏକ କମିଟି ଗଠନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆତ୍ମହତ୍ୟା ରୋକିବା ଦିଗରେ ପରାମର୍ଶ ଦେବାପାଇଁ ମୁଁ ଏକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛି ଏବଂ ୧୫ ଦିନ ମଧ୍ୟରେ ଏହି କମିଟି ରିପୋର୍ଟ ଦାଖଲ କରିବ। କୋଚିଂ ହବ୍ରେ ଆଇଆଇଟି ଏବଂ ନିଟ୍ ଆଶାୟୀଙ୍କ ମଧ୍ୟରେ ଆତ୍ମହତ୍ୟା ବୃଦ୍ଧି ପାଇବା ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ଗେହଲଟ ନବମ ଏବଂ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରମାନଙ୍କ ଉପରେ ଯେଉଁଭଳି ଚାପ ପକାଯାଉଛି ତା’ ଉପରେ ଗୁରୁତ୍ବାରୋପ କରିଛନ୍ତି। ଗେହଲଟ ଆତ୍ମହତ୍ୟା ପାଇଁ ଅଭିଭାବକଙ୍କୁ ଦାୟୀ କରିଛନ୍ତି। ଗେହଲଟ କହିଛନ୍ତି, ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କୁ କୋଚିଂ ସେଣ୍ଟରରେ ଭର୍ତ୍ତି କରି ଆପଣମାନେ ଅପରାଧ କରୁଛନ୍ତି। ଏହା ଅଭିଭାବକଙ୍କ ଭୁଲ୍। ପିଲାମାନଙ୍କ ଉପରେ ଉଭୟ ବୋର୍ଡ ପରୀକ୍ଷା ଏବଂ ଏଣ୍ଟ୍ରାନ୍ସ ପରୀକ୍ଷାର ଚାପ ରହୁଛି। ଏବେ ସୁଧୁରିବାର ସମୟ ଆସିଛି। କାରଣ ଯୁବ ଛାତ୍ରମାନଙ୍କୁ ଏଭଳି ଆତ୍ମହତ୍ୟା କରୁଥିବାର ଆମେ ଦେଖିପାରିବୁନି। ଗୋଟିଏ ବି ଶିଶୁର ମୃତ୍ୟୁ ଅଭିଭାବକଙ୍କ ପାଇଁ ଏକ ବଡ଼ କ୍ଷତି। ଆତ୍ମହତ୍ୟା ରୋକିବା ଦିଗରେ ପରାମର୍ଶ ଦେବାପାଇଁ ଗଠନ ହୋଇଥିବା କମିଟିରେ କୋଚିଂ ଇନଷ୍ଟିଚ୍ୟୁଟ୍ର ପ୍ରତିନିଧ, ଅଭିଭାବକ, ଡାକ୍ତରଙ୍କ ସମେତ ସମସ୍ତ ପକ୍ଷ ରହିଛନ୍ତି। ୧୫ ଦିନ ମଧ୍ୟରେ କମିଟି ରିପୋର୍ଟ ଦାଖଲ କରିବ।
କୋଟାରେ କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ୨୨ ଜଣ ଛାତ୍ର ଚଳିତବର୍ଷ ଆତ୍ମହତ୍ୟା କରିସାରିଲେଣି। ଗତବର୍ଷ ଏହି ସଂଖ୍ୟା ୧୫ ଥିଲା। କୋଚିଂ ଇନଷ୍ଟିଚ୍ୟୁଟ୍ ଗୁଡ଼ିକ ମନି ମେକିଂ ମେସିନ୍ ନହେବାପାଇଁ ରାଜ୍ୟ ଶିକ୍ଷା ମନ୍ତ୍ରୀ ଜାହିଦା ଖାନ୍ ମଧ୍ୟ କୋଚିଂ ଇନଷ୍ଟିଚ୍ୟୁଟ୍ ଗୁଡ଼ିକୁ ଅନୁରୋଧ କରିଛନ୍ତି। ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା କେବଳ ରାଜସ୍ଥାନର ନୁହେଁ ବରଂ ସମଗ୍ର ଦେଶର ସମସ୍ୟା। ବୈଠକରେ ମଧ୍ୟ ଛାତ୍ର ଆତ୍ମହତ୍ୟା ସଂକ୍ରାନ୍ତରେ ଏନ୍ସିଆରବି (ନେସନାଲ କ୍ରାଇମ ରେକର୍ଡସ ବ୍ୟୁରୋ) ତଥ୍ୟ ଉପରେ ଆଲୋଚନା ହୋଇଛି। ଏନସିଆରବି ତଥ୍ୟ ଅନୁଯାୟୀ ୨୦୨୧ରେ ଦେଶରେ ପ୍ରାୟ ୧୩ ହଜାର ଛାତ୍ର ଆତ୍ମହତ୍ୟା କରିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧୮୩୪ ଛାତ୍ର ଆତ୍ମହତ୍ୟା ରେକର୍ଡ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୧୩୦୮, ତାମିଲନାଡ଼ୁରେ ୧୨୪୬, କର୍ଣ୍ଣାଟକରେ ୮୫୫ ଏବଂ ଓଡ଼ିଶାରେ ୮୩୪ ଛାତ୍ର ଆତ୍ମହତ୍ୟା କରିଛନ୍ତି।




