କିସ୍ତୱଡ଼ ବାଦଲଫଟା ବର୍ଷା ଜନିତ ମୃତ୍ୟୁସଂଖ୍ୟା ୬୦କୁ ବୃଦ୍ଧି
ଶ୍ରୀନଗର: ଜମ୍ମୁ କାଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ଗୁରୁବାର ହୋଇଥିବା ବାଦଲଫଟା ବର୍ଷା ଜନିତ ମୃତ୍ୟୁସଂଖ୍ୟା ୬୦ରେ ପହଞ୍ଚିଛି। ୫୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ୧୨୦ ଜଣ ଆହତ ହୋଇଛନ୍ତି। କିସ୍ତୱାଡ଼ର ଚସୋତି ଗ୍ରାମରେ ଏହି ପ୍ରଳୟଙ୍କରୀ ସ୍ଥିତି ଦେଖିବାକୁ ମିଳିଛି। ୯୫୦୦ ଫୁଟ୍ ଉଚ୍ଚତାରେ ଥିବା ମଚେଲ ମାତା ମନ୍ଦିରକୁ ଯାଇଥିବା ରାସ୍ତାର ଶେଷ ‘ମୋଟରେବଲ୍ ପଏଣ୍ଟ୍’ରେ ଗୁରୁବାର ମଧ୍ୟାହ୍ନ ୧୨ଟାରୁ ୧ଟା ମଧ୍ୟରେ ଆସିଥିବା ଏହି ବିପର୍ଯ୍ୟୟ ଆତଙ୍କ ଖେଳାଇ ଦେଇଛି। ବାର୍ଷିକ ମଚେଲ […]
ଶ୍ରୀନଗର: ଜମ୍ମୁ କାଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ଗୁରୁବାର ହୋଇଥିବା ବାଦଲଫଟା ବର୍ଷା ଜନିତ ମୃତ୍ୟୁସଂଖ୍ୟା ୬୦ରେ ପହଞ୍ଚିଛି। ୫୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ୧୨୦ ଜଣ ଆହତ ହୋଇଛନ୍ତି। କିସ୍ତୱାଡ଼ର ଚସୋତି ଗ୍ରାମରେ ଏହି ପ୍ରଳୟଙ୍କରୀ ସ୍ଥିତି ଦେଖିବାକୁ ମିଳିଛି। ୯୫୦୦ ଫୁଟ୍ ଉଚ୍ଚତାରେ ଥିବା ମଚେଲ ମାତା ମନ୍ଦିରକୁ ଯାଇଥିବା ରାସ୍ତାର ଶେଷ ‘ମୋଟରେବଲ୍ ପଏଣ୍ଟ୍’ରେ ଗୁରୁବାର ମଧ୍ୟାହ୍ନ ୧୨ଟାରୁ ୧ଟା ମଧ୍ୟରେ ଆସିଥିବା ଏହି ବିପର୍ଯ୍ୟୟ ଆତଙ୍କ ଖେଳାଇ ଦେଇଛି। ବାର୍ଷିକ ମଚେଲ ମାତା ଯାତ୍ରା ପାଇଁ ଶ୍ରଦ୍ଧାଳୁମାନେ ଚସୋତି ଗ୍ରାମରେ ଏକଜୁଟ୍ ହୋଇଥିଲେ। ଏହି ଗ୍ରାମଠାରୁ ୮.୫ କିମି ବାଟ ଚାଲିଚାଲି ଗଲେ ମଚେଲ ମାତା ମନ୍ଦିର ପଡ଼ିବ। ବାଦଲଫଟା ବର୍ଷା ଓ ଅଚାନକ ବନ୍ୟା ଆସିବାପରେ ବାର୍ଷିକ ଯାତ୍ରା ବନ୍ଦ ରହିଛି। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାରୁ ଅନେକ ଜୀବନ ରକ୍ଷା ପାଇଯାଇଛି। ଏଯାବତ ୯୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ। ଘଟଣାରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଡେପୁଟି କମିସନର ପଙ୍କଜ କୁମାର ଶର୍ମା କହିଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶ୍ରଦ୍ଧାଳୁ ଅଛନ୍ତି। ସେମାନେ ମଚେଲ ମାତା ମନ୍ଦିରକୁ ଟ୍ରେକିଂ କରୁଥିବାବେଳେ ଏହି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛନ୍ତି। ଯେଉଁଭଳି କ୍ଷତି ହୋଇଛି ସେଥିପାଇଁ ଉଦ୍ଧାର, ରିଲିଫ୍ ଏବଂ ସ୍ଥିତି ସୁଧୁରିବାପାଇଁ ପ୍ରାୟ ୨୦ ଦିନ ଲାଗିଯିବ ବୋଲି ଅଧିକାରୀମାନେ ଆକଳନ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆରଏଫ୍, ପୁଲିସ, ସେନା, ଏସ୍ଡିଆରଏଫ୍ ଏବଂ ସାଧାରଣ ଲୋକ ମୁତୟନ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ରାଷ୍ଟ୍ରପତି କହିଛନ୍ତି, ‘କିସ୍ତୱାଡ଼ ବାଦଲଫଟା ବର୍ଷାରେ ଅନେକ ଲୋକଙ୍କ ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ସମବେଦନା ଏବଂ ସଫଳ ଉଦ୍ଧାର ଅପରେସନ୍ ପାଇଁ ମୁଁ କାମନା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପରିସ୍ଥିତିକୁ ଅତି ଭଲଭାବେ ଅନୁଧ୍ୟାନ କରାଯାଉଛି । ଉଦ୍ଧାର ଅପରେସନ୍ ଜାରି ରହିଛି। ଆବଶ୍ୟକ ଅନୁଯାୟୀ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉକ୍ତ ପ୍ରସଙ୍ଗରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି, କିସ୍ତୱାଡ଼ ଅଞ୍ଚଳର ସ୍ଥିତି ସଂକ୍ରାନ୍ତରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅବଗତ କରିଛନ୍ତି। ଉଦ୍ଧାର ଅପରେସନ୍ ପରିଚାଳନା ପାଇଁ ସମସ୍ତ ସମ୍ଭାବ୍ୟ ସମ୍ବଳ ମୁତୟନ କରାଯାଇଥିବା ସେ କହିଛନ୍ତି।




