କାଶ୍ମୀରରେ ବଢ଼ୁଛି ଆତଙ୍କବାଦୀ ଆକ୍ରମଣ ,୨୮ ଦିନରେ ୧୨ ଭାରତୀୟ ଯବାନ ସହିଦ
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ ଅଚାନକ ବୃଦ୍ଧି ପାଇଛି। ଏହାସହ ସୀମାରେ ପାକିସ୍ତାନୀ ଆତଙ୍କବାଦୀ ଏବଂ ସେନା ସଦସ୍ୟଙ୍କ ମିଳିତ ବାହିନୀ ବୋର୍ଡର୍ ଆକ୍ସନ୍ ଟିମ୍ (ବ୍ୟାଟ୍)ର ଆକ୍ରମଣ ମଧ୍ୟ ଉଦ୍ବେଗର କାରଣ ପାଲଟିଛି । ଏହି ଆକ୍ରମଣରେ ଗତ ୨୮ ଦିନ ମଧ୍ୟରେ ୧୨ଜଣ ଭାରତୀୟ ଯବାନ ସହିଦ ହୋଇଯାଇଛନ୍ତି। ଶନିବାର କୁପୱାଡ଼ା ଜିଲ୍ଲାର କାମକାରି ଠାରେ ଥିବା ଭାରତୀୟ ଯବାନଙ୍କ ପାଟ୍ରୋଲିଂ ଷ୍ଟେସନ୍ ଉପରେ ପାକିସ୍ତାନ ସୀମାନ୍ତ ବାହିନୀ […]
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ ଅଚାନକ ବୃଦ୍ଧି ପାଇଛି। ଏହାସହ ସୀମାରେ ପାକିସ୍ତାନୀ ଆତଙ୍କବାଦୀ ଏବଂ ସେନା ସଦସ୍ୟଙ୍କ ମିଳିତ ବାହିନୀ ବୋର୍ଡର୍ ଆକ୍ସନ୍ ଟିମ୍ (ବ୍ୟାଟ୍)ର ଆକ୍ରମଣ ମଧ୍ୟ ଉଦ୍ବେଗର କାରଣ ପାଲଟିଛି । ଏହି ଆକ୍ରମଣରେ ଗତ ୨୮ ଦିନ ମଧ୍ୟରେ ୧୨ଜଣ ଭାରତୀୟ ଯବାନ ସହିଦ ହୋଇଯାଇଛନ୍ତି। ଶନିବାର କୁପୱାଡ଼ା ଜିଲ୍ଲାର କାମକାରି ଠାରେ ଥିବା ଭାରତୀୟ ଯବାନଙ୍କ ପାଟ୍ରୋଲିଂ ଷ୍ଟେସନ୍ ଉପରେ ପାକିସ୍ତାନ ସୀମାନ୍ତ ବାହିନୀ ହଠାତ୍ ଗୁଳିବର୍ଷା କରିଥିଲା। ଏହି ଗୁଳିଗୋଳା ବର୍ଷଣର ସୁଯୋଗରେ କେତେକ ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତ ସୀମା ମଧ୍ୟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଭାରତୀୟ ସେନାର ପାଲଟା କାର୍ଯ୍ୟାନୁଷ୍ଠାନରେ ଜଣେ ଅନୁପ୍ରବେଶକାରୀର ମୃତ୍ୟୁଘଟିଛି। ଅପରପକ୍ଷରେ, ପାକିସ୍ତାନ ସେନାର ଆକ୍ରମଣରେ ଜଣେ ଭାରତୀୟ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମେଜରଙ୍କ ସମେତ ୫ଜଣ ଆହତ ହୋଇଛନ୍ତି। ମୃତ୍ୟୁ ଘଟିଥିବା ଭାରତୀୟ ଯବାନ ଜଣେ ନନ୍ କମିସନ୍ଡ୍ ଅଧିକାରୀ ଓ ସେ ଜମ୍ମୁ ଓ କଶ୍ମୀର ବାସିନ୍ଦା ବୋଲି ଚିନାର କର୍ପ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମୃତ୍ୟୁ ପରେ ବ୍ୟାଟ୍ ଆକ୍ରମଣରେ ଭାରତୀୟ ଯବାନଙ୍କ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଚଳିତ ମାସରେ ଜୁଲାଇ ୮ ତାରିଖରେ ପ୍ରଥମ ବ୍ୟାଟ୍ ଆକ୍ରମଣରେ କଠୁଆ ଠାରେ ୨୨ ଗରହୱାଲ୍ ରାଇଫଲ୍ସର ୫ ଯବାନଙ୍କ ମୃତ୍ୟୁ ଘଟିଥିଲା। ଜୁଲାଇ ୧୫ରେ ୧୦ ରାଷ୍ଟ୍ରୀୟ ରାଇଫଲ୍ସର ଜଣେ କ୍ୟାପ୍ଟନଙ୍କ ସମେତ ୪ ଯବାନଙ୍କ ମୃତ୍ୟୁ ଘଟିଥିଲା। ଜୁଲାଇ ୨୩ରେ ପୁଞ୍ଚ ଜିଲ୍ଲାରେ ଲାନ୍ସ ନାଏକ ସୁବାଷ ଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜୁଲାଇ ୨୪ରେ, କୁପୱାରା ନିକଟରେ ଏଭଳି ବ୍ୟାଟ୍ ଆକ୍ରମଣରେ ନାଏକ ଦିଲୱାର ଖାନ୍ଙ୍କ ମୃତ୍ୟୁ ଘଟିଥିଲା।




