ଉପରାଷ୍ଟ୍ରପତିଙ୍କ ଟିପ୍ପଣୀକୁ ନେଇ ଚର୍ଚ୍ଚା, ସ୍ବତନ୍ତ୍ର ଅଧିବେଶନରେ ଆସିପାରେ ମହିଳା ସଂରକ୍ଷଣ ବିଲ୍
ନୂଆଦିଲ୍ଲୀ : ଆସନ୍ତା ସ୍ବତନ୍ତ୍ର ଅଧିବେଶନରେ ମହିଳାଙ୍କ ପାଇଁ ସଂସଦ ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ସଂକ୍ରାନ୍ତ ବିଲ୍ ଆସିପାରେ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୋମବାର ଦିନ ଦେଇଥିବା ଏକ ଟିପ୍ପଣୀକୁ ନେଇ ଏହି ଚର୍ଚ୍ଚା ଜୋର ଧରିଛି। ଧନଖଡ଼ କହିଛନ୍ତି, ମହିଳାମାନେ ସଂସଦ ଏବଂ ବିଧାନସଭା ଗୁଡ଼ିକରେ ସଂରକ୍ଷଣ ସୁବିଧା ପାଇବାକୁ ଆଉ ବେଶୀଦିନ ନୁହେଁ। ୨୦୧୦ରେ ରାଜ୍ୟସଭାରେ ଏନେଇ ବିଲ୍ ଗୃହୀତ ହୋଇଥିଲା। କିନ୍ତୁ ଏହି ବିଲ୍ ଲୋକସଭାରେ ଗୃହୀତ […]
ନୂଆଦିଲ୍ଲୀ : ଆସନ୍ତା ସ୍ବତନ୍ତ୍ର ଅଧିବେଶନରେ ମହିଳାଙ୍କ ପାଇଁ ସଂସଦ ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ସଂକ୍ରାନ୍ତ ବିଲ୍ ଆସିପାରେ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୋମବାର ଦିନ ଦେଇଥିବା ଏକ ଟିପ୍ପଣୀକୁ ନେଇ ଏହି ଚର୍ଚ୍ଚା ଜୋର ଧରିଛି। ଧନଖଡ଼ କହିଛନ୍ତି, ମହିଳାମାନେ ସଂସଦ ଏବଂ ବିଧାନସଭା ଗୁଡ଼ିକରେ ସଂରକ୍ଷଣ ସୁବିଧା ପାଇବାକୁ ଆଉ ବେଶୀଦିନ ନୁହେଁ। ୨୦୧୦ରେ ରାଜ୍ୟସଭାରେ ଏନେଇ ବିଲ୍ ଗୃହୀତ ହୋଇଥିଲା। କିନ୍ତୁ ଏହି ବିଲ୍ ଲୋକସଭାରେ ଗୃହୀତ ହୋଇପାରିନଥିଲା। ଉପରାଷ୍ଟ୍ରପତିଙ୍କର ଏହି ଟିପ୍ପଣୀ ସଙ୍କେତ ଦେଉଛି ଯେ ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ଆସିପାରେ। ମଙ୍ଗଳବାର ଦିନ ତେଲେଙ୍ଗାନା ଏମଏଲସି ଏବଂ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତା ମଧ୍ୟ ଏନେଇ ସଂସଦରେ ପ୍ରତିନିଧିତ୍ବ ଥିବା ସମସ୍ତ ୪୭ ରାଜନୈତିକ ଦଳର ସଭାପତିଙ୍କୁ ଚିଠି ଲେଖିଛନ୍ତି। ଏହି ବିଲ୍ ଗୃହୀତ କରିବାପାଇଁ ସମସ୍ତେ ରାଜନୈତିକ ଭିନ୍ନମତରୁ ଦୂରେଇ ରହିବାପାଇଁ ସେ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୧୯୯୬ରେ ଦେବଗୌଡ଼ା ସରକାର ସଂସଦ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ବିଲ୍ ଆଣିଥିଲେ। ଉପା ସରକାର ପରେ ୨୦୦୮ରେ ଏହି ବିଲ୍ ଆଣିଥିଲେ। ବିଲ୍ ୨୦୧୦ରେ ରାଜ୍ୟସଭାରେ ଗୃହୀତ ହୋଇଥିଲା। କିନ୍ତୁ ଲୋକସଭାରେ ଏହା ଗୃହୀତ ହୋଇପାରିନଥିଲା। ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରିୟ ଜନତା ଦଳ ଭଳି ଦଳଗୁଡ଼ିକ ଏହି ବିଲ୍କୁ ବିରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଧନଖଡ଼ ସୋମବାର ଦିନ ଜୟପୁରରେ ‘ଓମେନ୍ସ ପାର୍ଟିସିପେସନ୍ ଇନ୍ ନେସନ୍ ବିଲ୍ଡିଂ’ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, ସମ୍ବିଧାନରେ ସଂଶୋଧନ ଦ୍ବାରା ମହିଳାମାନେ ସଂସଦ ଏବଂ ରାଜ୍ୟ ବିଧାନସଭାରେ ସେମାନଙ୍କ ପ୍ରତିନିଧିତ୍ବ ପାଇବାପାଇଁ ଆଉ ବେଶୀ ଦିନ ନୁହେଁ। ଧନଖଡ଼ କହିଛନ୍ତି, ଯଦି ଏହି ଶକ୍ତି ଦିଆଯାଏ ତେବେ ଭାରତ ୨୦୧୭ ପୂର୍ବରୁ ଏକ ବିଶ୍ବ ଶକ୍ତିରେ ପରିଣତ ହେବ।




