ଉତ୍ତର ଭାରତରେ ଗ୍ରୀଷ୍ମଲହରୀ ଜାରି
ନୂଆଦିଲ୍ଲୀ: ଗତ ୫ ଦିନ ଧରି ଉତ୍ତର ଭାରତରେ ଗ୍ରୀଷ୍ମ ଲହରୀ ଲୋକଙ୍କୁ ଆଉଟୁ ପାଉଟୁ କରୁଛି। ଆହୁରି ୪ ଦିନ ଧରି ଉତ୍ତର ଭାରତରେ ଗ୍ରୀଷ୍ମ ଲହରୀ ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରାଜସ୍ଥାନରେ ମଙ୍ଗଳବାର ସର୍ବୋଚ୍ଚ ତାପମାତ୍ରା ୪୬.୪ ଡିଗ୍ରି ଛୁଇଁଥିବା ବେଳେ ଗୁଜରାଟ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ମଧ୍ୟ ଗ୍ରୀଷ୍ମପ୍ରବାହର ସମ୍ଭାବନା ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ମଙ୍ଗଳବାର କେନ୍ଦ୍ରୀୟ ଓ […]
ନୂଆଦିଲ୍ଲୀ: ଗତ ୫ ଦିନ ଧରି ଉତ୍ତର ଭାରତରେ ଗ୍ରୀଷ୍ମ ଲହରୀ ଲୋକଙ୍କୁ ଆଉଟୁ ପାଉଟୁ କରୁଛି। ଆହୁରି ୪ ଦିନ ଧରି ଉତ୍ତର ଭାରତରେ ଗ୍ରୀଷ୍ମ ଲହରୀ ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରାଜସ୍ଥାନରେ ମଙ୍ଗଳବାର ସର୍ବୋଚ୍ଚ ତାପମାତ୍ରା ୪୬.୪ ଡିଗ୍ରି ଛୁଇଁଥିବା ବେଳେ ଗୁଜରାଟ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ମଧ୍ୟ ଗ୍ରୀଷ୍ମପ୍ରବାହର ସମ୍ଭାବନା ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ମଙ୍ଗଳବାର କେନ୍ଦ୍ରୀୟ ଓ ପଶ୍ଚିମ ଭାରତର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି ଏବଂ ରାଜସ୍ଥାନର ବାରମେରରେ ସର୍ବୋଚ୍ଚ ତାପମାତ୍ରା ୪୬.୪ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି ଯାହା ସ୍ୱାଭାବିକଠାରୁ ୭.୬ ଡିଗ୍ରି ଅଧିକ। ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ୨୭ଟି ପାଣିପାଗ କେନ୍ଦ୍ରରେ ତାପମାତ୍ରା ୪୩ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିବା ବେଳେ ସେଥିମଧ୍ୟରୁ ଅତି କମ୍ରେ ୧୯ଟି କେନ୍ଦ୍ରରେ ଅତିପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି ବୋଲି ଆଇଏମ୍ଡି ରିପୋର୍ଟ କରିଛି। ରାଜସ୍ଥାନର ଅନ୍ୟ ସହରଗୁଡ଼ିକରେ ମଧ୍ୟ ସମାନ ଭାବେ ପ୍ରବଳ ଗରମ ଅନୁଭୂତ ହୋଇଥିବା ବେଳେ ଜୈସଲମେରରେ ୪୫ ଡିଗ୍ରି, ଚିତ୍ତୋଡଗଡ଼ରେ ୪୪.୫ ଡିଗ୍ରି, ବିକାନେରରେ ୪୪.୪ ଡିଗ୍ରି ଓ ଶ୍ରୀଗଙ୍ଗାନଗରରେ ୪୪.୨ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି। ଗୁଜରାଟର ସୁରେନ୍ଦ୍ରନଗରରେ ୪୪.୮ ଡିଗ୍ରି, ରାଜକୋଟରେ ୪୪ ଡିଗ୍ରି, ଅମରେଲିରେ ୪୩.୮ ଡିଗ୍ରି ସେଲସିୟସ ଏବଂ ଉଭୟ ମହୁବା ଓ କଣ୍ଡଲାରେ ୪୩.୪ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ମହୁବାରେ ସ୍ୱାଭାବିକଠାରୁ ୮.୩ ଡିଗ୍ରି ଅଧିକ ତାପମାତ୍ରା ରହିଛି। ମହାରାଷ୍ଟ୍ରର ସହରଗୁଡ଼ିକରେ ମଧ୍ୟ ତାପମାତ୍ରା ବଢ଼ିଛି- ଆକୋଲାରେ ୪୪.୧ ଡିଗ୍ରି, ନନ୍ଦୁରବାରରେ ୪୩.୫ ଡିଗ୍ରି, ଜଳଗାଓଁରେ ୪୩.୩ ଡିଗ୍ରି ଏବଂ ଅମରାବତୀରେ ୪୩ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି। ମଧ୍ୟପ୍ରଦେଶର ଗୁନା ଓ ରତଲାମରେ ଯଥାକ୍ରମେ ୪୩.୪ ଓ ୪୩.୨ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।
ଆଇଏମ୍ଡିର ପୂର୍ବାନୁମାନ ଅନୁଯାୟୀ ଏପ୍ରିଲ ୧୦ରୁ ଉତ୍ତର-ପଶ୍ଚିମ ଭାରତରେ ଏବଂ ୧୧ରୁ ଗୁଜରାଟ ଓ ମଧ୍ୟପ୍ରଦେଶରେ ଗ୍ରୀଷ୍ମପ୍ରବାହ କମିବାର ସମ୍ଭାବନା ରହିଛି।ବୁଧବାର ଦିଲ୍ଲୀରେ ଗ୍ରୀଷ୍ମପ୍ରବାହ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଇଏମ୍ଡି ପୂର୍ବାନୁମାନ କରିଛି ଯେ ସର୍ବୋଚ୍ଚ ତାପମାତ୍ରା ୪୦ରୁ ୪୧ ଡିଗ୍ରି ସେଲସିୟସ ରହିବ। ସର୍ବନିମ୍ନ ତାପମାତ୍ରା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ସହରରେ ଋତୁର ସବୁଠାରୁ ଉତ୍ତପ୍ତ ରାତିର ତାପମାତ୍ରା ୨୫.୬ ଡିଗ୍ରି ରେକର୍ଡ କରାଯାଇଛି ଯାହା ସ୍ୱାଭାବିକଠାରୁ ପ୍ରାୟ ୫-୭ ଡିଗ୍ରି ଅଧିକ। ଦିଲ୍ଲୀ-ଏନ୍ସିଆରର ଅନେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ୪-୬ ଡିଗ୍ରି ଅଧିକ ରହିଛି। ଆଇଏମ୍ଡି କହିଛି ଯେ ଦିଲ୍ଲୀ-ଏନ୍ସିଆରର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳିଛି।




