ଇସ୍ରାଏଲ ଉପରେ ହମାସ୍ର ପୁଣି ରକେଟ୍ ବର୍ଷା,ଖୁବ୍ଶୀଘ୍ର ଗାଜାରେ ସ୍ଥଳ ଅଭିଯାନ ଆରମ୍ଭ କରିବ ଇସ୍ରାଏଲ
ଟେଲ୍ ଅଭିଭ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଟେଲ୍ ଅଭିଭରୁ ଆମେରିକା ଫେରିବା ପରେ ଇସ୍ରାଏଲ-ହମାସ୍ ଯୁଦ୍ଧ ତୀବ୍ର ରୂପ ନେଇଛି। ପାଲେଷ୍ଟିନୀୟ ଆତଙ୍କବାଦୀ ଗୋଷ୍ଠୀ ହମାସ୍ ଇସ୍ରାଏଲ ଉପରେ ଶତାଧିକ ରକେଟ୍ ମାଡ଼ କରିବା ପରେ ସ୍ଥିତି ବିସ୍ଫୋରକ ହୋଇପଡ଼ିଛି। ଅନ୍ୟପକ୍ଷେ ଇସ୍ରାଏଲ ସେନା ମଧ୍ୟ ଗାଜାରେ ହମାସ୍ର ବିଭିନ୍ନ ଠିକଣା ଏବଂ ହମାସ ସହ ସମ୍ବନ୍ଧିତ ପ୍ରତିଷ୍ଠାନଗୁଡ଼ିକ ଉପରେ ବୋମାମାଡ଼ କରିଛି। ଗାଜାରେ ଏୟାର ରେଡ୍ ସାଇରନ୍ ଜାରି ରହିଥିବା ବେଳେ ଗତ ୨୪ […]
ଟେଲ୍ ଅଭିଭ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଟେଲ୍ ଅଭିଭରୁ ଆମେରିକା ଫେରିବା ପରେ ଇସ୍ରାଏଲ-ହମାସ୍ ଯୁଦ୍ଧ ତୀବ୍ର ରୂପ ନେଇଛି। ପାଲେଷ୍ଟିନୀୟ ଆତଙ୍କବାଦୀ ଗୋଷ୍ଠୀ ହମାସ୍ ଇସ୍ରାଏଲ ଉପରେ ଶତାଧିକ ରକେଟ୍ ମାଡ଼ କରିବା ପରେ ସ୍ଥିତି ବିସ୍ଫୋରକ ହୋଇପଡ଼ିଛି। ଅନ୍ୟପକ୍ଷେ ଇସ୍ରାଏଲ ସେନା ମଧ୍ୟ ଗାଜାରେ ହମାସ୍ର ବିଭିନ୍ନ ଠିକଣା ଏବଂ ହମାସ ସହ ସମ୍ବନ୍ଧିତ ପ୍ରତିଷ୍ଠାନଗୁଡ଼ିକ ଉପରେ ବୋମାମାଡ଼ କରିଛି। ଗାଜାରେ ଏୟାର ରେଡ୍ ସାଇରନ୍ ଜାରି ରହିଥିବା ବେଳେ ଗତ ୨୪ ଘଣ୍ଟାରେ ଶତାଧିକ କୋଠା ମାଟିରେ ମିଶିଯାଇଛି। ଇତି ମଧ୍ୟରେ ଇସ୍ରାଏଲ ସେନା ଖୁବ୍ଶୀଘ୍ର ଗାଜାରେ ସ୍ଥଳ ଅଭିଯାନ ଆରମ୍ଭ କରିବ ବୋଲି ଘୋଷଣା କରିଛି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଯୁଦ୍ଧ ଯୋଗୁଁ ଏଯାବତ ୩,୭୮୫ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଇସ୍ରାଏଲରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଦକ୍ଷିଣ ଗାଜାରେ ଇସ୍ରାଏଲର ବିମାନ ଆକ୍ରମଣ ଯୋଗୁଁ ୭ ଶିଶୁଙ୍କ ମୃତ୍ୟୁ ହୋଇଛି ବୋଲି ଦାବି ହୋଇଛି।
ସେହିପରି ଇସ୍ରାଏଲ ଗାଜାକୁ ସୀମିତ ମାନବୀୟ ସହାୟତା ପଠାଇବାପାଇଁ ରାଜି ହେବାପରେ ଇଜିପ୍ଟ ଏହାର ରାଫା ସୀମା ଖୋଲିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଅନୁରୋଧକ୍ରମେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜାକୁ ଜଳ, ଖାଦ୍ୟ ଏବଂ ଅନ୍ୟାନ୍ୟ ସହାୟତା ପଠାଇବାକୁ ରାଜି ହୋଇଛନ୍ତି। ଅନ୍ୟପକ୍ଷେ ପାଲେଷ୍ଟିନୀୟ ନାଗରିକଙ୍କୁ ଇଜିପ୍ଟର ସିନାଇକୁ ସ୍ଥାନାନ୍ତର କରିବାପାଇଁ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଅଲ-ସିସି ପ୍ରତ୍ୟାଖ୍ୟାନ କରିଛନ୍ତି। ସିସି କହିଛନ୍ତି, ଏଭଳି ନିଷ୍ପତ୍ତି ଦ୍ବାରା ଏହି ଦ୍ବୀପାଞ୍ଚଳ ଇସ୍ରାଏଲ ବିରୋଧରେ ଆକ୍ରମଣର ଏକ ଆଡ଼ାସ୍ଥଳରେ ପରିଣତ ହୋଇଯିବ। ପରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଫୋନ୍ କଲ୍ରେ କଥା ହେବାପରେ ସିସି ଗାଜାକୁ ମାନବୀୟ ସହାୟତା ପଠାଇବାପାଇଁ ରାଫା ସୀମା ଖୋଲିବାକୁ ରାଜି ହୋଇଛନ୍ତି। ଖୁବ୍ଶୀଘ୍ର ୨୦ଟି ସହାୟତା ବୋଝେଇ ଟ୍ରକ୍ ଇଜିପ୍ଟର ସିନାଇ ଉପଦ୍ବୀପ ଦେଇ ଗାଜାକୁ ପ୍ରବେଶ କରିବ।




