ଇଣ୍ଡିଆ ମେଣ୍ଟର ଅନାସ୍ଥା କାଟ ଖାଇଲା, ବିରୋଧୀଙ୍କ ଉପରେ ଗର୍ଜିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାର ବିରୋଧରେ ବିରୋଧୀ ଦଳଙ୍କ ଇଣ୍ଡିଆ ମେଣ୍ଟ ଆଣିଥିବା ଅନାସ୍ଥା ପ୍ରସ୍ତାବ ଲୋକସଭାରେ କାଟ ଖାଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନିଷ୍ପତ୍ତିକ୍ରମେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ ହୋଇଥିଲା। ଭୋଟ୍‌ ଗ୍ରହଣ ପୂର୍ବରୁ ବିରୋଧୀ ଦଳମାନେ କକ୍ଷତ୍ୟାଗ କରିଥିଲେ ଏବଂ ବାଚନିକ ଭୋଟ୍‌ରେ ଇଣ୍ଡିଆ ମେଣ୍ଟର ଅନାସ୍ଥା ପ୍ରସ୍ତାବ କାଟ ଖାଇଥିଲା। ମୋଦୀ ସରକାର ୯ ବର୍ଷର ଶାସନ କାଳରେ ଦ୍ବିତୀୟ […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାର ବିରୋଧରେ ବିରୋଧୀ ଦଳଙ୍କ ଇଣ୍ଡିଆ ମେଣ୍ଟ ଆଣିଥିବା ଅନାସ୍ଥା ପ୍ରସ୍ତାବ ଲୋକସଭାରେ କାଟ ଖାଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନିଷ୍ପତ୍ତିକ୍ରମେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ ହୋଇଥିଲା। ଭୋଟ୍‌ ଗ୍ରହଣ ପୂର୍ବରୁ ବିରୋଧୀ ଦଳମାନେ କକ୍ଷତ୍ୟାଗ କରିଥିଲେ ଏବଂ ବାଚନିକ ଭୋଟ୍‌ରେ ଇଣ୍ଡିଆ ମେଣ୍ଟର ଅନାସ୍ଥା ପ୍ରସ୍ତାବ କାଟ ଖାଇଥିଲା। ମୋଦୀ ସରକାର ୯ ବର୍ଷର ଶାସନ କାଳରେ ଦ୍ବିତୀୟ ଥର ପାଇଁ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିଲା। ଏହା ପୂର୍ବରୁ ୨୦୧୮ରେ ମଧ୍ୟ ମୋଦୀ ସରକାର ବିରୋଧରେ କଂଗ୍ରେସ ନେତୃତ୍ବରେ ବିରୋଧୀ ଦଳମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ବିରୋଧୀଙ୍କ ଅନାସ୍ଥା‌ ପ୍ରସ୍ତାବ ଉପରେ ଜବାବ ରଖି କଂଗ୍ରେସ ଓ ‘ଇଣ୍ଡିଆ ମେଣ୍ଟ’ ଉପରେ ପ୍ରବଳ ବର୍ଷିଛନ୍ତି। ୧୪୦ ମିନିଟ୍‌ର ଉଦ୍‌ବୋଧନରେ ମୋଦୀ ବିରୋଧୀ ଦଳମାନଙ୍କ ପ୍ରତିଟି ଅଭିଯୋଗର ଜବାବ ରଖିଛନ୍ତି। ଏହା ମୋଦୀଙ୍କର ସବୁଠାରୁ ଦୀର୍ଘ ଭାଷଣ ଥିଲା। ମୋଦୀ ସଂସଦରୁ ମଣିପୁର ବାସିନ୍ଦାଙ୍କୁ ଆଶ୍ବସ୍ତ କରିଛନ୍ତି। ହିଂସା ପ୍ରବଣ ମଣିପୁର ବାସିନ୍ଦାଙ୍କୁ ଆଶ୍ବସ୍ତ କରି ମୋଦୀ କହିଛନ୍ତି,ମଣିପୁରରେ ପୁଣିଥରେ ଶାନ୍ତି ଫେରିବ। ମଣିପୁର ପୁଣିଥରେ ବିକାଶ ଦେଖିବ। ମଣିପୁର ହିଂସାରେ ସଂପୃକ୍ତ ଲୋକଙ୍କୁ କଠୋରରୁ ଅତି କଠୋର ଦଣ୍ଡ ମିଳିବ। ମଣିପୁରର ମା’, ଭଉଣୀ ଏବଂ ଝିଅମାନଙ୍କୁ ମୁଁ ଆଶ୍ବସ୍ତ କରୁଛି ଯେ, ଦେଶ ଆପଣମାନଙ୍କ ସହ ଅଛି। ଆମେମାନେ ସମସ୍ତେ ମିଶି ଏକାଠି ଏହି ଜଟିଳ ସ୍ଥିତିର ମୁକାବିଲା କରିବା ଏବଂ ଶାନ୍ତି ସୁନିଶ୍ଚିତ କରିବା। ଦୀର୍ଘକାଳୀନ କଂଗ୍ରେସ ଶାସନରେ ଉତ୍ତରପୂର୍ବ ରାଜ୍ୟ ଅନେକ କିଛି ତ୍ୟାଗ କରିଛି। କିନ୍ତୁ କଂଗ୍ରେସଠାରୁ ଏହା କେବେ ବି ନିଜର ପ୍ରାପ୍ୟ ପାଇନାହିଁ। ଇଣ୍ଡିଆ ମେଣ୍ଟ ଉପରେ ମୋଦୀ କଡ଼ା ପ୍ରହାର କରିଛନ୍ତି। ମୋଦୀ କହିଛନ୍ତି, ଏହା ଇଣ୍ଡିଆ ମେଣ୍ଟ ନୁହେଁ ବରଂ ଏହା ‘ଘମଣ୍ଡିଆ ମେଣ୍ଟ’। ନୂଆ ନାମକୁ କଟାକ୍ଷ କରି ମୋଦୀ କହିଛନ୍ତି, ବିରୋଧୀମାନେ ତିଷ୍ଠି ରହିବାପାଇଁ ‘ଏନ୍‌ଡିଏ’ର ସମର୍ଥନ ନେଇଛନ୍ତି । କିନ୍ତୁ ‘ଆଇ’ର ଅହ‌ଙ୍କାର ସେମାନଙ୍କୁ ଛାଡ଼ିପାରିନି। ସେଥିପାଇଁ ସେମାନେ ନିଜର ଅହଙ୍କାର ପାଇଁ କେବଳ ଏଥିରେ ୨ଟି ‘ଆଇ’ ଯୋଡ଼ିଛନ୍ତି। ପ୍ରଥମ ‘ଆଇ’ ହେଉଛି ୨୬ଟି ଦଳର ଅହଙ୍କାର ଏବଂ ଦ୍ବିତୀୟ ‘ଆଇ’ ହେଉଛି କଂଗ୍ରେସର ଅହଙ୍କାର। ତେବେ ବିରୋଧୀ ବନ୍ଧୁମାନଙ୍କୁ ମୋର ସମବେଦନା। ସେମାନେ ନିକଟରେ ବେଙ୍ଗାଲୁ‌ରୁରେ ୟୁପିଏର ଶେଷ ସଂସ୍କାର ସମ୍ପନ୍ନ କରିଛନ୍ତି। ଏଥିପାଇଁ ସେମାନଙ୍କୁ ‌ମୋର ସମ‌ବେଦନା।
ବି‌ରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ମୋଦୀ ଭଗବାନଙ୍କ ଆଶୀର୍ବାଦ ‌ବୋଲି କହିଛନ୍ତି। ମୋଦୀ କହିଛନ୍ତି, ଅନାସ୍ଥା ଆମପାଇଁ ସବୁବେଳେ ଶୁଭ ହୋଇଛି। ୨୦୧୮ରେ ଟିଡିପିର ଚନ୍ଦ୍ରବାବୁ ନାଇଡ଼ୁଙ୍କ ଦ୍ବାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ମନେ ପକାଇ ମୋଦୀ କହିଛନ୍ତି, ସେତେବେଳେ ବି ମୁଁ କହିଥିଲି ଯେ ଏହି ପ୍ରସ୍ତାବ ଆମ ସରକାର ପାଇଁ ନୁହେଁ ବରଂ ସେମାନଙ୍କ ପାଇଁ। ମୋଦୀ କହିଛନ୍ତି, ୨୦୨୪ରେ ମଧ୍ୟ ଆମେ ସମସ୍ତ ରେକର୍ଡ ଭାଙ୍ଗି କ୍ଷମତାକୁ ଫେରିବୁ। ଆମ ସରକାର ଉପରେ ଦେଶର ଜନତା ବାରମ୍ବାର ବିଶ୍ବାସ ପ୍ରକଟ କରିଛନ୍ତି। ଦେଶର କୋଟି କୋଟି ନାଗରିକଙ୍କୁ ଏଥିପାଇଁ ମୋର କୃତଜ୍ଞତା। ଦେଶ ବିଶ୍ବାସ ରଖିଛି ଯେ ୨୦୨୮ରେ ଯେତେବେଳେ ଆପଣମାନେ ଅନାସ୍ଥା ଆଣିବେ ସେତେବେଳେ ଆମେ ବିଶ୍ବର ଶୀର୍ଷ ୩ ଅର୍ଥନୀତି ମଧ୍ୟରେ ଥିବୁ।
ମୋଦୀ କହିଛନ୍ତି, ଆଲୋଚନା ପାଇଁ ବିରୋଧୀମାନେ ପ୍ରସ୍ତୁତ କାହିଁକି ରହିଲେନି। ଏଥିପାଇଁ ପ୍ରସ୍ତୁତ ରହିବାକୁ ମୁଁ ୨୦୧୮ରୁ ୫ ବର୍ଷର ସମୟ ଦେଲିଣି। ତଥାପି ଆପଣ ପ୍ରସ୍ତୁତ ହୋଇପାରିଲେନି। ତେବେ ମୁଁ ଭାବୁଛି ୨୦୨୮ରେ ବିରୋଧୀ ମେଣ୍ଟ ଅନାସ୍ଥା ପ୍ରସ୍ତାବ ଆଣିବାବେଳେ ଭଲଭାବେ ପ୍ରସ୍ତୁତ ହୋଇ ଆସିବେ। ରାହୁଲଙ୍କୁ କଟାକ୍ଷ କରି ମୋଦୀ କହିଛନ୍ତି, କଂଗ୍ରେସ ବାରମ୍ବାର ସେହି ସମାନ ବିଫଳ ସାମଗ୍ରୀକୁ ଲଞ୍ଚ୍‌ କରିବାକୁ ଚେଷ୍ଟା କରୁଛି।

Tags: