ଆସାମରେ ଅଦିନିଆ ଗ୍ରୀଷ୍ମ ପ୍ରବାହ: ତାପମାତ୍ରା ସ୍ବାଭାବିକଠୁ ୭ ଡିଗ୍ରୀ ଅଧିକ, ୪ ଦିନ ସ୍କୁଲ ବନ୍ଦ

ଗୁଆହାଟୀ: ଆସାମର ଅନେକ ସ୍ଥାନରେ ସେପ୍ଟେମ୍ବର ମାସର ସବୁଠାରୁ ଉତ୍ତପ୍ତ ଦିନ ରେକର୍ଡ କରାଯାଇଛି। ଅସହ୍ୟ ଗରମ ଫଳରେ ଗୁଆହାଟୀରେ ୪ ଦିନ ସ୍କୁଲ ବନ୍ଦ ପାଇଁ ସରକାର ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି। ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକମାନେ କହିଛନ୍ତି ଯେ ସେପ୍ଟେମ୍ବର ମାସରେ ଚଳିତ ବର୍ଷର ଗ୍ରୀଷ୍ମପ୍ରବାହ ସ୍ୱାଭାବିକଠାରୁ ଅଲଗା। ଏହାର ଦୀର୍ଘ ଅବଧି ଓ ରେକର୍ଡଭଙ୍ଗା ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଗୁଆହାଟୀରେ ୩୯.୩, ଦିବ୍ରୁଗଡ଼ରେ ୩୯.୫, ଉତ୍ତର […]

Samaya Live Picture
Published On

ଗୁଆହାଟୀ: ଆସାମର ଅନେକ ସ୍ଥାନରେ ସେପ୍ଟେମ୍ବର ମାସର ସବୁଠାରୁ ଉତ୍ତପ୍ତ ଦିନ ରେକର୍ଡ କରାଯାଇଛି। ଅସହ୍ୟ ଗରମ ଫଳରେ ଗୁଆହାଟୀରେ ୪ ଦିନ ସ୍କୁଲ ବନ୍ଦ ପାଇଁ ସରକାର ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି। ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକମାନେ କହିଛନ୍ତି ଯେ ସେପ୍ଟେମ୍ବର ମାସରେ ଚଳିତ ବର୍ଷର ଗ୍ରୀଷ୍ମପ୍ରବାହ ସ୍ୱାଭାବିକଠାରୁ ଅଲଗା। ଏହାର ଦୀର୍ଘ ଅବଧି ଓ ରେକର୍ଡଭଙ୍ଗା ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଗୁଆହାଟୀରେ ୩୯.୩, ଦିବ୍ରୁଗଡ଼ରେ ୩୯.୫, ଉତ୍ତର ଲକ୍ଷ୍ମୀପୁରରେ ୩୯.୬ ଓ ଜୋରହାଟରେ ୩୭.୯ ଡିଗ୍ରି ସେଲ୍‌ସିୟସ୍ ରେକର୍ଡ କରାଯାଇଛି। ଲଗାତାର ତୃତୀୟ ଦିନ ପାଇଁ ମେଘାଳୟର ଶିଲଂରେ ସର୍ବାଧିକ ତାପମାତ୍ରା ୨୯.୯ ଡିଗ୍ରି ରେକର୍ଡ କରାଯାଇଛି, ଯାହା କି ସେପ୍ଟେମ୍ବର ମାସର ସର୍ବୋଚ୍ଚ ତାପମାତ୍ରା। ଆସାମର ସମସ୍ତ ପାଣିପାଗ କେନ୍ଦ୍ରରେ ମଧ୍ୟ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ୭ ଡିଗ୍ରି ଅଧିକ ଥିଲା ଏବଂ ଦିବ୍ରୁଗଡ଼ରେ ଏହା ୮.୯ ଡିଗ୍ରି ଅଧିକ ଥିଲା। ମେଘାଳୟର ଶିଲଂ ଓ ସୋହରାରେ ତାପମାତ୍ରା ସ୍ୱାଭାବିକଠାରୁ ଯଥାକ୍ରମେ ୭.୧ ଡିଗ୍ରି ଓ ୯.୩ ଡିଗ୍ରି ଅଧିକ ରହିଥିବା ବେଳେ ଉତ୍ତର-ପୂର୍ବର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏଭଳି ବିଭ୍ରାଟ ଦେଖିବାକୁ ମିଳିଛି। ଅରୁଣାଚଳ ପ୍ରଦେଶର ପାସିଘାଟରେ ତାପମାତ୍ରା ସ୍ୱାଭାବିକଠାରୁ ୮.୬ ଡିଗ୍ରି ଅଧିକ ରହିଛି। ରେକର୍ଡଭଙ୍ଗା ତାପମାତ୍ରାକୁ ଦୃଷ୍ଟିରେ ରଖି କାମରୂପ ମେଟ୍ରୋପଲିଟାନ୍ ଜିଲ୍ଲା ପ୍ରାଥମିକ ଶିକ୍ଷା ଅଧିକାରୀ ସୋମବାର ଅପରାହ୍ଣରେ ଏହି ଅଞ୍ଚଳର ସମସ୍ତ ବିଦ୍ୟାଳୟକୁ ସେପ୍ଟେମ୍ବର ୨୪-୨୭ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଅତ୍ୟଧିକ ଗରମ ଓ ଡିହାଇଡ୍ରେସନ୍ କାରଣରୁ ଛାତ୍ରଛାତ୍ରୀଙ୍କ ଅସୁସ୍ଥତା ଓ ଅଚେତ ହେବାର ବିଭିନ୍ନ ଘଟଣାକୁ ଦେଖି ଏହି ନିର୍ଦ୍ଦେଶନାମା ଦିଆଯାଇଛି। ବଢୁଥିବା ତାପମାତ୍ରା ଯୋଗୁଁ କାମରୁପ ମେଟ୍ରୋପଲିଟାନ୍ ଜିଲ୍ଲା ପ୍ରଶାସନ ସମେତ ବାରପେଟା, କାଚାର ଓ ଦିବ୍ରୁଗଡ଼ ଭଳି ଅନ୍ୟାନ୍ୟ ଜିଲ୍ଲାରେ ସ୍କୁଲ ସମୟ ପରିବର୍ତ୍ତନ କରାଯାଇଛି।

Tags: