ଆମେରିକା ଇସ୍କନ ମନ୍ଦିର ଉପରକୁ ଗୁଳିମାଡ଼, ଭାରତର ତୀବ୍ର ପ୍ରତିବାଦ
ନୂଆଦିଲ୍ଲୀ : ଆମେରିକା ଉଟାହ ଅନ୍ତର୍ଗତ ସ୍ପାନିସ୍ ଫର୍କରେ ଥିବା ଇସ୍କନର ଶ୍ରୀଶ୍ରୀରାଧାକୃଷ୍ଣ ମନ୍ଦିର ଉପରକୁ ଗତ କିଛି ଦିନ ମଧ୍ୟରେ ଲଗାତାର ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ମନ୍ଦିରର ଢାଞ୍ଚା ଓ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି। ଇସ୍କନ ପକ୍ଷରୁ ଜାରି ସୂଚନାନୁଯାୟୀ ରାତିରେ ମନ୍ଦିର ମଧ୍ୟରେ ଅତିଥି ଓ ଭକ୍ତମାନେ ଥିବା ବେଳେ ୨୦ରୁ ୩୦ […]
ନୂଆଦିଲ୍ଲୀ : ଆମେରିକା ଉଟାହ ଅନ୍ତର୍ଗତ ସ୍ପାନିସ୍ ଫର୍କରେ ଥିବା ଇସ୍କନର ଶ୍ରୀଶ୍ରୀରାଧାକୃଷ୍ଣ ମନ୍ଦିର ଉପରକୁ ଗତ କିଛି ଦିନ ମଧ୍ୟରେ ଲଗାତାର ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ମନ୍ଦିରର ଢାଞ୍ଚା ଓ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି। ଇସ୍କନ ପକ୍ଷରୁ ଜାରି ସୂଚନାନୁଯାୟୀ ରାତିରେ ମନ୍ଦିର ମଧ୍ୟରେ ଅତିଥି ଓ ଭକ୍ତମାନେ ଥିବା ବେଳେ ୨୦ରୁ ୩୦ ଥର ଗୁଳିମାଡ଼ ହୋଇଥିଲା। ଏହାଦ୍ବାରା ମନ୍ଦିରର କାରୁକାର୍ଯ୍ୟ ସହ ସହସ୍ରାଧିକ ଡଲାର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣକୁ ସାନ୍ ଫ୍ରାନ୍ସିସ୍କୋସ୍ଥିତ ଭାରତର ବାଣିଜ୍ୟ ଦୂତାବାସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରକାଶିତ ପୋଷ୍ଟରେ ଦୂତାବାସ ପକ୍ଷରୁ ଲେଖାଯାଇଛି, ସ୍ପାନିସ୍ ଫର୍କରେ ଥିବା ଇସ୍କନ ମନ୍ଦିର ଉପରେ ଆକ୍ରମଣକୁ ଆମେ ଦୃଢ଼ ନିନ୍ଦା କରୁଛୁ। ସମ୍ପ୍ରଦାୟ ଓ ଭକ୍ତଙ୍କୁ ଦୂତାବାସ ପୂର୍ଣ୍ଣ ସହଯୋଗ ଜଣାଉଛି ଏବଂ ଦୋଷୀଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରଶାସନ ନିକଟରେ ଦାବି କରାଯାଉଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୯ ତାରିଖରେ ଆମେରିକାର ସିନୋ ହିଲ୍ସଠାରେ ଥିବା ବୋଚାସାନୱାସି ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ ସଂସ୍ଥାର ମନ୍ଦିର ଓ ଏହାର ଭକ୍ତଙ୍କ ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।




