ଆମେରିକାରେ ମୋଦୀ-ଟ୍ରମ୍ପ୍ଙ୍କ ବୈଠକ ଉପରେ ସାରା ବିଶ୍ବର ନଜର
ୱାସିଂଟନ: ଦୁଇ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ବିଳମ୍ବିତ ରାତିରେ ହ୍ବାଇଟ୍ ହାଉସ୍ରେ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଛନ୍ତି। ଟ୍ରମ୍ପ ଦ୍ବିତୀୟ ବାର ରାଷ୍ଟ୍ରପତି ନିର୍ବାଚିତ ହେବାପରେ ଏହା ମୋଦୀଙ୍କ ପ୍ରଥମ ଆମେରିକା ଗସ୍ତ ଏବଂ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଦ୍ବିପାକ୍ଷିକ ବୈଠକ। ମୋଦୀ-ଟ୍ରମ୍ପଙ୍କ ସାକ୍ଷାତ ଉପରେ ସାରା ବିଶ୍ୱର ନଜର ରହିଥିବା ବେଳେ ଭାରତ-ଆମେରିକା ଦ୍ବିପାକ୍ଷିକ ସଂପର୍କ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ବୂର୍ଣ୍ଣ […]
ୱାସିଂଟନ: ଦୁଇ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ବିଳମ୍ବିତ ରାତିରେ ହ୍ବାଇଟ୍ ହାଉସ୍ରେ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଛନ୍ତି। ଟ୍ରମ୍ପ ଦ୍ବିତୀୟ ବାର ରାଷ୍ଟ୍ରପତି ନିର୍ବାଚିତ ହେବାପରେ ଏହା ମୋଦୀଙ୍କ ପ୍ରଥମ ଆମେରିକା ଗସ୍ତ ଏବଂ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଦ୍ବିପାକ୍ଷିକ ବୈଠକ। ମୋଦୀ-ଟ୍ରମ୍ପଙ୍କ ସାକ୍ଷାତ ଉପରେ ସାରା ବିଶ୍ୱର ନଜର ରହିଥିବା ବେଳେ ଭାରତ-ଆମେରିକା ଦ୍ବିପାକ୍ଷିକ ସଂପର୍କ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ବୂର୍ଣ୍ଣ ଭାଗିଦାରୀ ବୋଲି ଉଭୟ ନେତା ବର୍ଣ୍ଣନା କରିଛନ୍ତି। ଭାରତ-ଆମେରିକା ସମ୍ପର୍କରେ ଏକ ନୂତନ ଯୁଗ ଆରମ୍ଭ ହୋଇଛି ଏବଂ ବାଣିଜ୍ୟ, ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ବଡ଼ ଧରଣର ଚୁକ୍ତି ସ୍ୱାକ୍ଷରିତ ହେବାନେଇ ଉଭୟ ନେତା ସହମତି ପ୍ରକାଶ କରିଛନ୍ତି। ମୋଦୀ-ଟ୍ରମ୍ପ ବୈଠକ ପୂର୍ବରୁ ଭାରତ ଆମେରିକାଠାରୁ ଅଧିକ ପ୍ରତିରକ୍ଷା ଉପକରଣ କିଣିବା, ଆମେରିକୀୟ ଜ୍ଞାନକୌଶଳକୁ ପ୍ରାଥମିକତା ଦେବା, ଅଧିକ ଶକ୍ତି ଉତ୍ପାଦ ଆମଦାନୀ କରିବା ଏବଂ ୨୦୨୫ ଶେଷ ସୁଦ୍ଧା ଏକ ‘ନିରପେକ୍ଷ’ ବାଣିଜ୍ୟ ଚୁକ୍ତି ଆଡକୁ ଯିବାକୁ ଇଚ୍ଛା ପ୍ରକାଶ କରିଛି। ସଂପ୍ରତି ବିଶ୍ବ ଏବେ ବିଭିନ୍ନ ଜଟିଳ ସମସ୍ୟା ଦେଇ ଗତି କରୁଥିବା ବେଳେ ମୋଦୀ-ଟ୍ରମ୍ପଙ୍କ ବ୍ୟକ୍ତିଗତ ବନ୍ଧୁତା ଅନେକ ସଙ୍କଟର ସରଳ ସମାଧାନ ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି । ଭାରତକୁ ବିଭିନ୍ନ ପ୍ରସଙ୍ଗରେ ଟ୍ରମ୍ପଙ୍କ ସମର୍ଥନ ଏବଂ କ୍ବାଡ୍କୁ ନେଇ ଟ୍ରମ୍ପଙ୍କ ଆଭିମୁଖ୍ୟ ଓ ରଣନୀତିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଭାରତ ହେଉଛି ଆମେରିକାର ପ୍ରଥମ ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ଏବଂ ଏହି ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ନୂତନ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିବାକୁ କାର୍ଯ୍ୟ ଚାଲିଛି। ୟୁକ୍ରେନ ସଙ୍କଟ ସମ୍ପର୍କରେ ଭାରତର ଆଭିମୁଖ୍ୟକୁ ମଧ୍ୟ ଟ୍ରମ୍ପ ପ୍ରଶାସନ ସମର୍ଥନ କରିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ଓ ଟ୍ରମ୍ପଙ୍କ ବୈଠକ ସମୟରେ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଏନ୍ଏସ୍ଏ ଅଜିତ ଡୋଭଲ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଆମେରିକାରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ପ୍ରବଳ ଥଣ୍ଡା ସତ୍ତ୍ବେ ପ୍ରବାସୀ ଭାରତୀୟମାନେ ବହୁ ସଂଖ୍ୟାରେ ବ୍ଲେୟାର ହାଉସ୍ ବାହାରେ ଏକତ୍ରିତ ହୋଇ ହୋଇ ‘ବନ୍ଦେ ମାତରମ’ ଏବଂ ‘ମୋଦୀ ମୋଦୀ’ ସ୍ଲୋଗାନ୍ ଦେଇଥିଲେ। ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଶପଥ ଗ୍ରହଣ କରିଥିବା ତୁଳସୀ ଗବାର୍ଡଙ୍କୁ ଭେଟିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଆମେରିକାର ଜାତୀୟ ସୁରକ୍ଷା ଉପଦେଷ୍ଟା ମାଇକେଲ୍ ୱାଲ୍ଜ ଏବଂ ଟେସ୍ଲା ସିଇଓ ଏଲନ ମସ୍କଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଥିଲେ।




