ଅସ୍ଥାୟୀ ବାଚସ୍ପତିଙ୍କୁ ନେଇ କଂଗ୍ରେସର ଆପତ୍ତି

ନୂଆଦିଲ୍ଲୀ: ବିଜେପି ନେତା ଭର୍ତ୍ତୃହରି ମହତାବଙ୍କୁ ଗୁରୁବାର ଲୋକସଭାର ପ୍ରୋଟେମ୍(ଅସ୍ଥାୟୀ) ବାଚସ୍ପତି ଭାବେ ଚୟନ କରାଯାଇଥିବା ବେଳେ କଂଗ୍ରେସ ଏହାକୁ ନେଇ ଆପତ୍ତି ଉଠାଇଛି। ଦଳ ଅଭିଯୋଗ କରିଛି ଯେ ସରକାର ଏହାର ସାଂସଦ କେ ସୁରେଶଙ୍କ ପାଇଁ ଥିବା ସୁଯୋଗକୁ ଅଣଦେଖା କରିଛନ୍ତି। ତିରୁବନନ୍ତପୁରମରେ ଆଜି ସୁରେଶ ଗଣମାଧ୍ୟମକୁ କହିଛନ୍ତି ଯେ ବିଜେପି ଏଥର ତାଙ୍କୁ ପ୍ରୋଟେମ୍ ବାଚସ୍ପତି ନ କରି ସଂସଦୀୟ ପ୍ରକ୍ରିୟାକୁ ଏଡ଼ାଇ ଯିବାପାଇଁ ପ୍ରୟାସ କରିଛି। ‘ଲୋକସଭା ସଚିବାଳୟ ପକ୍ଷରୁ ମୋ […]

Samaya Live Picture
Published On

ନୂଆଦିଲ୍ଲୀ: ବିଜେପି ନେତା ଭର୍ତ୍ତୃହରି ମହତାବଙ୍କୁ ଗୁରୁବାର ଲୋକସଭାର ପ୍ରୋଟେମ୍(ଅସ୍ଥାୟୀ) ବାଚସ୍ପତି ଭାବେ ଚୟନ କରାଯାଇଥିବା ବେଳେ କଂଗ୍ରେସ ଏହାକୁ ନେଇ ଆପତ୍ତି ଉଠାଇଛି। ଦଳ ଅଭିଯୋଗ କରିଛି ଯେ ସରକାର ଏହାର ସାଂସଦ କେ ସୁରେଶଙ୍କ ପାଇଁ ଥିବା ସୁଯୋଗକୁ ଅଣଦେଖା କରିଛନ୍ତି। ତିରୁବନନ୍ତପୁରମରେ ଆଜି ସୁରେଶ ଗଣମାଧ୍ୟମକୁ କହିଛନ୍ତି ଯେ ବିଜେପି ଏଥର ତାଙ୍କୁ ପ୍ରୋଟେମ୍ ବାଚସ୍ପତି ନ କରି ସଂସଦୀୟ ପ୍ରକ୍ରିୟାକୁ ଏଡ଼ାଇ ଯିବାପାଇଁ ପ୍ରୟାସ କରିଛି। ‘ଲୋକସଭା ସଚିବାଳୟ ପକ୍ଷରୁ ମୋ ନାଁ ସୁପାରିସ କରାଯାଇଥିଲା। କିନ୍ତୁ ଯେତେବେଳେ କେନ୍ଦ୍ର ଏହାର ସୁପାରିସ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲା, ସେତେବେଳେ ମୋ ନାଁକୁ ହଟାଇ ଦିଆଯାଇଥିଲା’ ବୋଲି ସୁରେଶ ଦାବି କରିଛନ୍ତି। ୮ ଥର ବିଜେପି ସାଂସଦ ଥିବା ମେନକା ଗାନ୍ଧୀଙ୍କୁ କାହିଁକି ଅସ୍ଥାୟୀ ବାଚସ୍ପତି କରାଗଲା ନାହିଁ ବୋଲି ମଧ୍ୟ କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ କଂଗ୍ରେସ ବିଭ୍ରାନ୍ତିକର ଅଭିଯାନ ଆରମ୍ଭ କରିଥିବା ଦର୍ଶାଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହାର କଡ଼ା ଜବାବ ଦେଇଛନ୍ତି। କେରଳ ସାଂସଦ କେ ସୁରେଶ ୮ ଥର ସାଂସଦ ହୋଇଥିଲେ ମଧ୍ୟ ଲୋକସଭାରେ ତାଙ୍କର ନିରବଚ୍ଛିନ୍ନ କାର୍ଯ୍ୟକାଳ ନଥିଲା ଏବଂ ଏ ବାବଦରେ କଂଗ୍ରେସ ସବୁ ଜାଣି କେବଳ ବିଭ୍ରାନ୍ତି କରୁଛି ବୋଲି ରିଜିଜୁ କହିଛନ୍ତି। କେବଳ ଦଳିତ ହୋଇଥିବାରୁ ସୁରେଶଙ୍କୁ ଏହି ପଦ ପାଇଁ ବିବେଚନା କରାଯାଇ ନାହିଁ ବୋଲି କଂଗ୍ରେସର ଅଭିଯୋଗ ଭିତ୍ତିହୀନ ଏବଂ ଏହା ମିଥ୍ୟା ଉପରେ ପର୍ଯ୍ୟବସିତ ବୋଲି ସେ କହିଛନ୍ତି। ଓଡ଼ିଶାର ବରିଷ୍ଠ ବିଜେପି ନେତା ମହତାବଙ୍କୁ ପ୍ରୋଟେମ୍ ବାଚସ୍ପତି ଭାବେ ନିଯୁକ୍ତ ଦେବା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିଷ୍ପତ୍ତିକୁ ନେଇ କଂଗ୍ରେସ ଅଯଥା ବିବାଦ କରିବାକୁ ଚେଷ୍ଟା କରୁଛି ଏବଂ ଏହାର ଚାଲ୍‌ ସଫଳ ହେବନାହିଁ ବୋଲି ରିଜିଜୁ ଗଣମାଧ୍ୟମକୁ କହିଛନ୍ତି।

Tags: