ଅନିଦ୍ରା ଦୂର କରିବ ଯୋଗ
ଅନିଦ୍ରା ବା ଇନସୋମନିଆ ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଆଜିକାଲି ଏଭଳି ଅନେକ ଲୋକ ରହୁଛନ୍ତି ଯେଉଁମାନେ ଏହି ରୋଗର ଶିକାର ହେଉଛନ୍ତି । ତେବେ ଶୋଇବା ପୂର୍ବରୁ ମନକୁ ଶାନ୍ତ କରିବା ଏବଂ ଶରୀରରୁ ଥକାପଣ ଦୂର କରିବାଦ୍ବାରା ଏହି ରୋଗରୁ ମୁକ୍ତି ମିଳିବ, ଯେଉଁଥିରେ ଯୋଗ ସହାୟକ ହୋଇପାରିବ । ଆସନ୍ତୁ ଜାଣିବା ସେହିଭଳି କିଛି ଯୋଗ ସମ୍ପର୍କରେ ।
ବାଳାସନ
ଏହି ଆସନ ଶରୀରକୁ ସମ୍ପୂର୍ଣ୍ଣ ବିଶ୍ରାମ ଦେଇଥାଏ ଏବଂ ମସ୍ତିଷ୍କକୁ ଶାନ୍ତ କରେ। ଏହାକୁ କରିବାକୁ ହେଲେ ପ୍ରଥମେ ଆଣ୍ଠୁ ମାଡ଼ି ବସନ୍ତୁ । ଏହାପରେ ଦୁଇ ହାତକୁ ଆଗକୁ ପ୍ରସାରିତ କରି ମୁଣ୍ଡକୁ ତଳେ ଲଗାନ୍ତୁ। ଏହି ଆସନ କରିବାଦ୍ବାରା ଖୁବ ଆରାମ ମିଳିଥାଏ । ଏହା ମାନସିକ ଚାପ ଓ ଚିନ୍ତା କମ କରିବାରେ ସାହାଯ୍ୟ କରେ। ଏହାଦ୍ୱାରା ପିଠି ଏବଂ କାନ୍ଧର ମାଂସପେଶୀକୁ ଆରାମ ମିଳିଥାଏ ।
ଉତ୍ତାନାସନ
ଏହି ଆସନ କଲେ ଶରୀରରେ ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇଥାଏ, ଯାହା ଶୀଘ୍ର ନିଦ ଆସିବାରେ ସହାୟକ ହୁଏ । ସିଧା ଠିଆ ହୋଇ ଦୁଇ ହାତକୁ ଉପରକୁ ଟେକନ୍ତୁ ଏବଂ ଧୀରେ ଧୀରେ ଅଣ୍ଟା ପାଖରୁ ନଇଁ ନିଜ ଗୋଡ଼ର ପାଦକୁ ଛୁଇଁବାକୁ ଚେଷ୍ଟା କରନ୍ତୁ । ଏହା ସ୍ନାୟୁ ପ୍ରଣାଳୀକୁ ଆରାମ ଦିଏ ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।
ବିପରୀତ କରଣୀ
ଯଦି ଆପଣ ଥକାପଣ ଯୋଗୁଁ ଶୋଇପାରୁନାହାନ୍ତି, ତେବେ ଏହି ଆସନ ସବୁଠାରୁ ଲାଭଦାୟକ । ଏହାକୁ କରିବାକୁ କାନ୍ଥ ପାଖରେ ଶୋଇ ନିଜର ଦୁଇଟି ଗୋଡ଼କୁ କାନ୍ଥ ସାହାଯ୍ୟରେ ୯୦ ଡିଗ୍ରୀ କୋଣରେ ଉପରକୁ ଟେକି ରଖନ୍ତୁ । ଆପଣଙ୍କ ହାତ ଦୁଇଟି ଶରୀର ପାଖରେ ଖୋଲା ହୋଇ ରହିବ। ଏହା ଗୋଡ଼ର ଫୁଲା ଏବଂ କ୍ଳାନ୍ତି ଦୂର କରେ। ଏହା ରକ୍ତ ପ୍ରବାହକୁ ମସ୍ତିଷ୍କ ଆଡ଼କୁ ନେଇଥାଏ, ଯାହା ମନକୁ ଶାନ୍ତ ରଖେ ।
ବଦ୍ଧ କୋଣାସନ
ଏହାକୁ 'ପ୍ରଜାପତି ଆସନ'ର ଏକ ଶୋଇବା ଅବସ୍ଥା ବୋଲି କୁହାଯାଇପାରେ। ଚିତ୍ ହୋଇ ଶୋଇପଡ଼ନ୍ତୁ । ନିଜର ଦୁଇ ପାଦକୁ ପରସ୍ପର ସହ ଯୋଡ଼ି ଆଣ୍ଠୁକୁ ଦୁଇ ପାର୍ଶ୍ୱକୁ ମେଲାଇ ରଖନ୍ତୁ । ଏହା ଶରୀରର ମାଂସପେଶୀରୁ ଟେନସନ କମାଇଥାଏ ଏବଂ ଶରୀରକୁ ଗଭୀର ନିଦ୍ରା ପାଇଁ ପ୍ରସ୍ତୁତ କରେ ।
ଶବାସନ
ଯୋଗ ଅଭ୍ୟାସର ଶେଷରେ ଏହି ଆସନ କରାଯାଏ, ଯାହା ସବୁଠାରୁ ଶକ୍ତିଶାଳୀ ବିଶ୍ରାମଦାୟକ ଆସନ । ପ୍ରଥମେ ସମତଳ ଭୂଇଁରେ ଶୋଇପଡ଼ନ୍ତୁ। ଦୁଇ ହାତ ଓ ଗୋଡ଼ ମଧ୍ୟରେ କିଛି ଦୂରତା ରଖନ୍ତୁ । ଆଖି ବନ୍ଦ କରି ନିଜର ନିଶ୍ୱାସ-ପ୍ରଶ୍ୱାସ ଉପରେ ଧ୍ୟାନ ଦିଅନ୍ତୁ। ଏହା ହୃଦସ୍ପନ୍ଦନକୁ ସ୍ୱାଭାବିକ କରେ ଏବଂ ସମ୍ପୂର୍ଣ୍ଣ ଶରୀରକୁ ଶାନ୍ତ କରେ ।
Related Posts



